fbpx

ଗୋଟିଏ ଟିକେଟରେ ୫୬ ଦିନ ଭ୍ରମଣ ! ସମୟ ଏବଂ ଟଙ୍କାର ହେବ ସଞ୍ଚୟ, ଜାଣନ୍ତୁ କିପରି କରିବେ ବୁକିଂ ?

ନୂଆଦିଲ୍ଲୀ: ଦେଶରେ ଅଧିକାଂଶ ଲୋକ ରେଳ ଯାତ୍ରା କରିଥାନ୍ତି । ସମୟ ସମୟରେ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା ଲାଗୁ କରାଯାଇଛି । ସାଧାରଣତଃ ଜଣେ ଯାତ୍ରୀ ଗୋଟିଏ ଷ୍ଟେସନ ପାଇଁ ଗୋଟିଏ ଟିକେଟ୍ କାଟିଥାଏ । ଯାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାର ଟିକେଟ୍ ବୁକିଂ ସୁବିଧା ରହିଛି ଯେପରି ଜେନେରାଲ, ରିଜର୍ଭେସନ, ତତ୍କାଳ ଇତ୍ୟାଦି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏପରି ଏକ ଟ୍ରେନ୍ ଟିକେଟ ରହିଛି ଯେଉଁଥିରେ ୫୬ ଦିନ ପର୍ଯ୍ୟନ୍ତ ଯାତ୍ରା ସୁବିଧା ଉପଲବ୍ଧ ।

ଭାରତୀୟ ରେଳବାଇ ପକ୍ଷରୁ ଏପରି ଏକ ଟିକେଟ ସୁବିଧା ରହିଛି ଯାହା ୫୬ ଦିନ ପାଇଁ ବୈଧ ଅଟେ । ଏହି ଗୋଟିଏ ଟିକେଟ୍ ମାଧ୍ୟମରେ ଯାତ୍ରୀ ଦେଶର ବିଭିନ୍ନ ରୁଟରେ ଯାତ୍ରା କରିପାରିବ । ଗୋଟିଏ ଷ୍ଟେସନରୁ ଅନ୍ୟ ଷ୍ଟେସନକୁ ବାରମ୍ବାର ଟ୍ରେନ୍ ଟିକେଟ୍ କରିବା ଟେନସନରୁ ମୁକ୍ତି ମିଳିଥାଏ । ଏଭଳି ଏକ ଲକି ଟିକେଟ୍ ହେଉଛି ‘ସର୍କୁଲାର ଟିକେଟ୍‌’ । ଏହି ଟିକେଟ ମାଧ୍ୟମରେ ଆପଣ ତୀର୍ଥ ଯାତ୍ରା କିମ୍ବା ଅନ୍ୟ କୌଣସି ସ୍ଥାନ ଭ୍ରମଣ କରିପାରିବେ । ଯେକୌଣସି କ୍ଲାସର କୋଚ୍‌ ପାଇଁ ଏହି ଟିକେଟ୍ ଉପଲବ୍ଧ । ସର୍ବାଧିକ ୮ଟି ଷ୍ଟପେଜ୍ ପାଇଁ ଟିକେଟ୍ ବୈଧ ।

କିପରି ବୁକ୍ କରିବେ ସର୍କୁଲାର ଟିକେଟ୍ ?

ଏଥିପାଇଁ ଆପଣ ଯେଉଁ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବାକୁ ଚାହୁଁଛନ୍ତି ସେହି ଷ୍ଟେସନର ଟିକେଟ୍ ବୁକିଂ କାଉଣ୍ଟରରୁ ଏକ ଆବେଦନ ଫର୍ମ ପୁରଣ କରି ସର୍କୁଲାର ଟିକେଟ୍ କ୍ରୟ କରିପାରିବେ । ଏହି ଆବଦନ ଫର୍ମରେ ନିଜ ଟ୍ରାଭେଲ ରୁଟର ବିବରଣୀ ରେଳବାଇ ଅଧିକାରୀଙ୍କୁ ଦେବାକୁ ପଡ଼ିଥାଏ । ତେବେ ଯାତ୍ରୀ ଜଣଙ୍କୁ ଧ୍ୟାନ ରଖିବାକୁ ହେବ କି ଯେଉଁ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିବେ ସେଠାରେ ହିଁ ଯାତ୍ରା ଶେଷ କରିବାକୁ ପଡ଼ିବ । ଯାତ୍ରା ଯୋଜନା କରିବା ପରେ ଆପଣ ବିଭାଗର ଡିଭିଜନାଲ କମର୍ସିଆଲ ମ୍ୟାନେଜର କିମ୍ବା କିଛି ପ୍ରମୁଖ ଷ୍ଟେସନ୍ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିପାରିବେ । ଏହା ପରେ ଡିଭିଜନାଲ ମ୍ୟାନେଜର କିମ୍ବା ଷ୍ଟେସନ୍ ଅଫିସର ଯାତ୍ରା କାର୍ଯ୍ୟକ୍ରମ ଆଧାରରେ ଟିକେଟ୍ ମୂଲ୍ୟ ନିର୍ଦ୍ଧାରଣ କରିବେ । ଏହା ସହ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ନିଜ ସିଟ୍ ରିଜର୍ଭ କରିବା ପାଇଁ ସଂରକ୍ଷଣ କାର୍ଯ୍ୟାଳୟ ସହ ସମ୍ପର୍କ କରିବାକୁ ପଡ଼ିବ । ଏହା ପରେ ରେଳବାଇ ପକ୍ଷରୁ ଆପଣଙ୍କୁ ରିଜର୍ଭ ଟିକେଟ ଜାରି କରାଯିବ । ଏହି ସର୍କୁଲାର ଟିକେଟ୍ ଆଧାରରେ ଯାତ୍ରୀଙ୍କ ସମୟ ବି ସଂଚୟ ହୋଇଥାଏ ।

Get real time updates directly on you device, subscribe now.