fbpx

No Western Outfit… ଏଥର ଡିଗ୍ରୀ ପାଇଲେ ବି ପିନ୍ଧିବେ ଭାରତୀୟ ପୋଷାକ, ମନ୍ତ୍ରାଳୟ ତରଫରୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ସଂସ୍ଥାର ଦୀକ୍ଷାନ୍ତ ସମାରୋହରେ ଏଣିକି ଚଳିବନି କଳା ଗାଉନ୍ ଏବଂ ଟୋପି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ କେନ୍ଦ୍ରୀୟ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି କରିଛି । ଏହି କାର୍ଯ୍ୟକ୍ରମରେ କଳା ଗାଉନ୍ ଏବଂ ଟୋପି ପରିବର୍ତ୍ତେ ଇଣ୍ଡିଆନ୍ ପୋଷାକ ପିନ୍ଧିବା ପାଇଁ ଚିଠି ଲେଖି ପରାମର୍ଶ ଦିଆଯାଇଛି । ଦୀକ୍ଷାନ୍ତ ସମାରୋହରେ ଛାତ୍ରଛାତ୍ରୀମାନେ ପିନ୍ଧୁଥିବା କଳା ଗାଉନ୍ ଏବଂ ଟୋପି ସ୍ଥାନରେ ଭାରତୀୟ ସଭ୍ୟତାର ପୋଷାକକୁ ସ୍ଥାନ ଦେବାକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ମନ୍ତ୍ରାଳୟ କହିଛି ଯେ, ଏହି ସମ୍ମିଳନୀ ପାଇଁ ଡ୍ରେସ୍ କୋଡ୍ ଅନୁଷ୍ଠାନ ଥିବା ରାଜ୍ୟର ବେଶଭୁଷା ଏବଂ ପରମ୍ପରା ଉପରେ ଆଧାରିତ ହେବା ଉଚିତ୍ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବର୍ତ୍ତମାନ ମନ୍ତ୍ରଣାଳୟର ବିଭିନ୍ନ ଅନୁଷ୍ଠାନ ଦୀକ୍ଷାନ୍ତ ସମାରୋହ ସମୟରେ କଳା ଗାଉନ୍ ଏବଂ କ୍ୟାପ୍ ବ୍ୟବହାର କରାଯାଉଛି। ମଧ୍ୟଯୁଗରେ ୟୁରୋପରେ ଏହି ପୋଷାକର ଧାରା ଆରମ୍ଭ ହୋଇଥିଲା । ଏହି ପରମ୍ପରା ହେଉଛି ଏକ ଉପନିବେଶିକ ଉତ୍ତରାଧିକାରୀ ଯାହା ପରିବର୍ତ୍ତନ ହେବା ଆବଶ୍ୟକ ।

ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ଏମ୍ସ ଏବଂ ଆଇଏନଆଇଏସ ସମେତ ଡାକ୍ତରୀ ପାଠ ପଢାଯାଉଥିବା ମନ୍ତ୍ରଣାଳୟର ବିଭିନ୍ନ ଅନୁଷ୍ଠାନରେ ସମାରୋହ ପାଇଁ ଉପଯୁକ୍ତ ଭାରତୀୟ ଡ୍ରେସ କୋଡ୍ ପ୍ରସ୍ତୁତ କରିବେ । ତେବେ ଏହା ରାଜ୍ୟର ସ୍ଥାନୀୟ ପରମ୍ପରା ଉପରେ ଆଧାରିତ ହେବା ଆବଶ୍ୟକ । ମନ୍ତ୍ରଣାଳୟର ନିଜସ୍ୱ ବିଭାଗ ମାଧ୍ୟମରେ ସ୍ୱାସ୍ଥ୍ୟ ସଚିବଙ୍କ ବିଚାର ଏବଂ ଅନୁମୋଦନ ପାଇଁ ଏହି ପ୍ରସ୍ତାବ ଦାଖଲ କରାଯିବା ଉଚିତ୍।

କାହିଁକି ପିନ୍ଧାଯାଏ କଳା ଗାଉନ୍ ଏବଂ ଟୋପି?

କଳା ରଙ୍ଗ ଜ୍ଞାନ ଏବଂ ନମ୍ରତାର ପ୍ରତୀକ ଭାବରେ ବିବେଚନା କରାଯାଏ । ସମସ୍ତ ଛାତ୍ର ସମାନ ପୋଷାକ ପିନ୍ଧି ନିଜର ଏକତା ପ୍ରଦର୍ଶନ କରନ୍ତି । ଏହି ପୋଷାକ ସମାରୋହର ଆନୁଷ୍ଠାନିକତାକୁ ପ୍ରତିଫଳିତ କରିଥାଏ । ତେବେ ଗତ କିଛି ବର୍ଷରେ ଅନେକ ଭାରତୀୟ ଶିକ୍ଷାନୁଷ୍ଠାନ ସମାରୋହରେ ଭାରତୀୟ ପୋଷାକର ଝଲକ ଦେଖାଯାଇଛି ।

Get real time updates directly on you device, subscribe now.