fbpx

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପ୍ରଥମ ଥର UPSC ପ୍ରାର୍ଥୀଙ୍କର Aadhaar ଭେରିଫିକେସନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ପୂଜା ଖେଡକରଙ୍କ ମାମଲା ପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରାର୍ଥୀଙ୍କର ଆଧାର ଭେରିଫିକେସନ ପାଇଁ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି)କୁ ପ୍ରଥମ ଥର ଅନୁମତି ମିଳିଛି । ପଞ୍ଜିକରଣ କରିବା ସମୟରେ ପ୍ରାର୍ଥୀଙ୍କର ଆଧାର ଯାଞ୍ଚ କରିବା ନେଇ କେନ୍ଦ୍ର ସରକାର ୟୁପିଏସସିକୁ ଅନୁମତି ଦେଇଛନ୍ତି । ରେଜିଷ୍ଟ୍ରେସନ ଓ ନିଯୁକ୍ତି ପରୀକ୍ଷାର ଅଲଗା ଅଲଗା ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ଆଧାର କାର୍ଡ ମାଧ୍ୟମରେ ଚିହ୍ନଟ କରାଯିବ । ଏହାଦ୍ୱାରା ବ୍ୟବସ୍ଥା ସ୍ୱଚ୍ଛ ହେବ । ଏନେଇ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି ।

ଆଧାର କାର୍ଡ ମାଧ୍ୟମରେ ଭେରିଫିକେସନକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ନୋଟିଫିକେସନ ଜାରି କରାଯାଇଛି । ସରକାରଙ୍କ ପକ୍ଷରୁ ଆଧାର-ବେସଡ ଅଥେଣ୍ଟିକେସନକୁ ଅନୁମତି ମିଳିବା ପରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏ ବାବଦରେ ବିଜ୍ଞପ୍ତି ଜାରି କରାଯାଇଛି । ନୋଟିଫିକେସନରେ କୁହାଯାଇଛି, ୱାନ ଟାଇମ୍ ରେଜିଷ୍ଟ୍ରେସନ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ସମୟରେ ଓ ପରୀକ୍ଷା /ଭର୍ତ୍ତି ପରୀକ୍ଷାର ବିଭିନ୍ନ ପର୍ୟ୍ୟାୟରେ ପ୍ରାର୍ଥୀଙ୍କୁ ଚିହ୍ନଟ ପାଇଁ ଯାଞ୍ଚ ପାଇଁ ଅଥଣ୍ଟିକେସନ କରିବା ନେଇ ୟୁପିଏସସିକୁ ଅନୁମତି ମିଳିଛି ।

ସୂଚନାଯୋଗ୍ୟ ଯେ, ଟ୍ରେନୀ ଆଇଏଏସ ପୂଜା ଖେଡକର ବିବାଦ ପରେ କେନ୍ଦ୍ର ସରକାର ଏ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଫର୍ଜି ପ୍ରମାଣପତ୍ର ଆଧାରରେ ଚାକିରି କରିବା ଅଭିଯୋଗରେ ପ୍ରୋବେସନାରୀ ଆଇଏଏସ ଅଧିକାରୀ ପୂଜାଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରାଯାଇଥିଲା । ଭବିଷ୍ୟତରେ ପୂଜାଙ୍କ ପରୀକ୍ଷାରେ ସାମିଲ ହେବା ଉପରେ ମଧ୍ୟ ରୋକ ଲାଗୁ କରାଯାଇଛି । ପୂଜାଙ୍କ ଉପରେ ଫର୍ଜୀ ଦିବ୍ୟାଙ୍ଗ ସାର୍ଟିଫିକେଟ ଓ ଓବିସି ନନ କ୍ରିମିଲେୟର ସାର୍ଟିଫିକେଟ ଦାଖଲ କରିବାର ଅଭିଯୋଗ ରହିଥିଲା ।

Get real time updates directly on you device, subscribe now.