fbpx

କାହିଁକି ଶ୍ରୀ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ? ସର୍ବପ୍ରଥମେ ପାଆନ୍ତି ପୂଜା… ଜାଣନ୍ତୁ ମାହାତ୍ମ୍ୟ

ଓଡିଶା ଭାସ୍କର: ଆଗକୁ ଆସୁଛି ଗଣେଶ ପୂଜା ଯାହାକୁ ନେଇ ସବୁଠି ପ୍ରସ୍ତୁତି ବଡ଼ ଧୁମଧାମରେ ଚାଲିଛି । ଆମେ ସମସ୍ତେ ପ୍ରଭୁ ଗଣେଶଙ୍କ ପୂଜା ଅତି ଉତ୍ସାହର ସହ କରିଥା’ନ୍ତି । ହେଲେ ପ୍ରଭୁ ଗଣେଶଙ୍କ ଏକ ବଡ଼ ମାହାତ୍ମ୍ୟ ବିଷୟରେ ଆପଣଙ୍କୁ ଜଣା ଅଛି କି? ତେବେ ଆପଣମାନେ କେବେ ନା କେବେ ଲକ୍ଷ୍ୟ କରିଥିବେ ଆପଣଙ୍କ ଘରେ କିମ୍ବା ପୂଜା ମଣ୍ଡପରେ ପ୍ରତ୍ୟେକ ପୂଜା ଆରମ୍ଭ ପୂର୍ବରୁ ପୁରୋହିତ ପ୍ରଥମେ ଗଣେଶଙ୍କ ବନ୍ଦନା ପାଠ କରି ପୂଜା କାର୍ଯ୍ୟ ଆରମ୍ଭ କରିଥାନ୍ତି । ହେଲେ କାହିଁକି ଅନ୍ୟ ଦେବାଦେବୀଙ୍କୁ ଛାଡି ପ୍ରଥମେ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଏ ? କଣ ଏମିତି ପ୍ରଶ୍ନ ଆପଣଙ୍କ ମନକୁ କେବେ ଆସିଛି କି ? ତେବେ ଆସନ୍ତୁ ଜାଣିବା ଗଣେଶଙ୍କ ଅଗ୍ରପୂଜ୍ୟର କାରଣ କ’ଣ…

“ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ , ନିର୍ବିଘ୍ନ କୁରୁମେ ଦେବ ସର୍ବ କାର୍ଯ୍ୟେଷୁ ସର୍ବଦା ” ଏହିଭଳି କିଛି ଗଣେଶ ବନ୍ଦନା ବିଭିନ୍ନ ଶୁଭ କାର୍ଯ୍ୟ ଆଗରୁ ପାଠ କରାଯାଏ । ପୁରୋହିତ ସମସ୍ତ ପୂଜା ପ୍ରାରମ୍ଭରୁ ହିଁ ଏହି ଗଣେଶ ବନ୍ଦନାକୁ ପାଠ କରନ୍ତି ଓ ପରେ ଅନ୍ୟ ଦେବାଦେବୀଙ୍କୁ ପୂଜା କରନ୍ତି । ଏହାର କାରଣ ହେଉଛି ଭଗବାନ ଗଣେଶଙ୍କୁ ହିନ୍ଦୁ ଧର୍ମରେ ବିଘ୍ନବିନାଶକ ଭାବରେ ମନାଯାଏ । କୁହାଯାଏ, କୌଣସି ବିଘ୍ନ ଆସୁଥିଲେ ପ୍ରଭୁ ଗଣେଶଙ୍କୁ ତାଙ୍କର ବନ୍ଦନା ପାଠ କରି ସ୍ମରଣ କଲେ ଆସୁଥିବା ବିଘ୍ନର ବିନାଶ ହୋଇଥାଏ । ଏଣୁ ଗଣେଶଙ୍କୁ ବିଘ୍ନ ବିନାଶକ ନାମରେ ମଧ୍ୟ ଡକାଯାଏ ।

ସାଧାରଣତଃ ପୂଜାରେ କାଳେ କେଉଁଠି ତ୍ରୁଟି ରହିଯାଇଥିବ ଓ ଏହା ପୂଜାକୁ ଅନର୍ଥ କରିଦେବ, ଏହି ଦୃଷ୍ଟିରୁ ପ୍ରଥମେ ଗଣେଶଙ୍କ ଶରଣ ପଶି ପୂଜା କରାଯାଏ । ଯଦି ପୂଜାରେ କେଉଁଠି ତ୍ରୁଟି ରହିଯାଇଥିବ ତାହେଲେ ଭଗବାନ ଗଣେଶ ସେହି ବିଘ୍ନର ବିନାଶ କରିଥାନ୍ତି । ଏହାପରେ ପୁରୋହିତ ଅନ୍ୟ ଦେବାଦେବୀଙ୍କ ବନ୍ଦନା ପାଠ କରି ପୂଜା କାର୍ଯ୍ୟ କରିଥାନ୍ତି । ଏହି କାରଣରୁ ଗଣେଶଙ୍କ ବନ୍ଦନା ପ୍ରଥମେ ପାଠ କରାଯାଇଥାଏ । ଘର, ଅଫିସ କିମ୍ୱା ଶିକ୍ଷାନୁଷ୍ଠାନର ପ୍ରବେଶ ଦ୍ୱାର ମୁହଁରେ ଗଣେଶଙ୍କୁ ରଖି ପୂଜା କରାଯାଏ ଯାହା ଫଳରେ ଆଗକୁ ଆସୁଥିବା ବିପଦକୁ ପ୍ରଥମେ ଭଗବାନ ଗଣେଶ ଏଡାଇ ଦେଇଥାନ୍ତି ।

Get real time updates directly on you device, subscribe now.