fbpx

ସାହାରା ନିବେଶକଙ୍କ ଟଙ୍କା ଫେରାଇବା ମାମଲା: ପୂର୍ବ ରାୟ ଦୋହରାଇଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ:  ଲକ୍ଷ ଲକ୍ଷ ସାହାରା ଇଣ୍ଡିଆ ଇନଭେଷ୍ଟରଙ୍କ ପାଇଁ ଭଲ ଖବର । ନିବେଶକଙ୍କ ଟଙ୍କା ଫେରସ୍ତରେ ବିଳମ୍ବକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କମ୍ପାନୀ ଉପରେ କ୍ଷୁବ୍ଧ ହେବା ସହ ତୁରନ୍ତ ନିଜର ସମ୍ପତ୍ତି ବିକି ଟଙ୍କା ଫେରସ୍ତ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ସେବି ସାହାରା ରିଫଣ୍ଡ ଖାତାରେ ପ୍ରାୟ ୧୦ହଜାର କୋଟି ଟଙ୍କା ଜମା କରିବା ପରେ ଏପରି ଟିପ୍ପଣୀ ଦେଇଛନ୍ତି ।

ସେବି ବନାମ ସାହାରା ମାମଲାରେ ସୁପ୍ରିମ କୋର୍ଟ କହିଛନ୍ତି କି, ନିବେଶକଙ୍କ ଟଙ୍କା ଫେରାଇବାକୁ ସେବି ସାହାରା ରିଫଣ୍ଡ ଖାତାରେ ୧୦ ହଜାର କୋଟି ଟଙ୍କା ଜମା କରିବାକୁ ସାହାରା ସମୂହର ସମ୍ପତ୍ତି ବିକି ପାରିବ, ଏହା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଏପରି କରି ଠୁଳ ଅର୍ଥ ନିବେଶକଙ୍କୁ ଦେଇ ପାରିବ ବୋଲି କହିଛନ୍ତି କୋର୍ଟ । ସୁପ୍ରିମ କୋର୍ଟ ଗତ ୩୧ ଅଗଷ୍ଟ ୨୦୧୨ରେ ଜାରି ନିର୍ଦ୍ଦେଶକୁ ସ୍ପଷ୍ଟ କରିବାକୁ ଯାଇ କହିଥିଲେ କି, ସାହାର ଗ୍ରୁପର ଏସଆଇଆରଇସିଏସ ଓ ଏସଏଚଆଇସିଏଲ ପ୍ରତ୍ୟକ ନିବେଶକ ବା ସମୂହ ନିବେଶଙ୍କଠାରୁ ସଂଗ୍ରହ କରିଥିବା ଅର୍ଥ ଉପରେ ୧୫ ପ୍ରତିଶତ ବାର୍ଷିକ ସୁଧ ସହ ସେବିକୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ ।

ଏହି ମାମଲାରେ ମଙ୍ଗଳବାର ହୋଇଥିବା ଶୁଣାଣି କାଳରେ ସାହାରା ଗ୍ରୁପ ଦ୍ୱାରା କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଟଙ୍କା ଜମା କରାଯାଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ସର୍ବୋଚ୍ଚ କୋର୍ଟ । କୋର୍ଟ କହିଥିଲେ କି, ସଦସ୍ୟତା ରାଶି ଡିପୋଜିଟ ହେବା ତାରିଖରୁ ୩ ମାସ ଭିତରେ ରିଫଣ୍ଡ ତାରିଖ ପର୍ଯ୍ୟନ୍ତ ସବୁ କିଛି କରିବାକୁ ହେବ । ଘଟଣାକୁ ୧୦ ବର୍ଷରୁ ଅଧିକ ସମୟ ବିତିଯାଇଛି, କିନ୍ତୁ କୋର୍ଟ ଆଦେଶର ଅନୁପାଳନ ହେଉନାହିଁ । ଏପରି ସ୍ଥିତିରେ ଏବେ ନିବେଶକଙ୍କୁ ସାହାରା ଇଣ୍ଡିଆର କମ୍ପାନୀରେ ଫସିଥିବା ଟଙ୍କା ଫେରାଇବା ସମୟ ଆସିଛି ବୋଲି କମ୍ପାନୀକୁ ରୋକଠୋକ କହିଥିଲେ କୋର୍ଟ ।

ଶୁଣାଣି କାଳରେ ସାହାରା ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ଟଙ୍କା କୋର୍ଟଙ୍କୁ ଜଣାଇଥିଲେ କି, ଟଙ୍କା ଫେରସ୍ତ କରିବାକୁ କମ୍ପାନୀକୁ ନିଜ ସମ୍ପତ୍ତି ବିକ୍ରି କରିବାର ଅବସର ଦିଆଯାଇ ନ ଥିଲା ।

Get real time updates directly on you device, subscribe now.