fbpx

ମେଟ୍ରୋ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ମେଟ୍ରୋ କାର୍ଡ଼ ପରିବର୍ତ୍ତେ QR ଟିକେଟରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌(DMRC) ଯାତ୍ରୀଙ୍କ ପାଇଁ ନୂତନ ଟିକଟ ସେବା ଆରମ୍ଭ କରିଛି । ଗୁରବାର DMRC  ‘ମଲ୍ଟିପଲ ଜର୍ଣ୍ଣି QR ଟିକେଟ୍‌’(MJQRT) ଲଞ୍ଚ୍ କରିଛି । ଏହି ନୂତନ ଟିକେଟ ସିଷ୍ଟମ ଦ୍ୱାରା ମେଟ୍ରୋରେ ଯାତ୍ରା କରିବା ଆହୁରି ସହଜ ହେବ । ସେପ୍ଟେମ୍ବର ୧୩ରୁ ଯାତ୍ରୀମାନେ ଏହି ନୂତନ ଫିଚର ବ୍ୟବହାର କରିପାରିବେ ।

DMRC ଅଧିକାରୀଙ୍କ କହିବାନୁଯାୟୀ MJQRT ହେଉଛି ଏକ କ୍ରାନ୍ତିକାରୀ ଡିଜିଟାଲ ପଦକ୍ଷେପ । ଏହାର ଉଦ୍ଦେଶ୍ୟ ହେଉଛି ଯାତ୍ରୀଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା । ଏହା ଦ୍ୱାରା ଯାତ୍ରୀଙ୍କୁ ବାରମ୍ବାର QR ଟିକେଟ୍ କିଣିବାର ଆବଶ୍ୟକତା ପଡ଼ିନଥାଏ ବରଂ ସେମାନଙ୍କୁ ଏକ ସିଙ୍ଗିଲ QR କୋଡ୍ ଥିବା ଟିକେଟ୍ ପ୍ରଦାନ କରାଯାଇଥାଏ । ଏହା ସ୍ମାର୍ଟ କାର୍ଡ଼ ତୁଳନାରେ ଏକ ସୁବିଧାଜନକ ବିକଳ୍ପ । ଏଥିପାଇଁ ଯାତ୍ରୀଙ୍କୁ ସ୍ମାର୍ଟଫୋନରେ ଦିଲ୍ଲୀ ସାରଥୀ(Momentum 2.0) ଆପ୍ ଡାଉନଲୋଡ କରି QR କୋଡ୍ କ୍ରୟ କରି ଏହାକୁ ରିଚାର୍ଜ କରିବାକୁ ପଡ଼ିଥାଏ । ଏହି ଆପ୍ ଦ୍ୱାରା ଯାତ୍ରୀ ଜଣଙ୍କ ମେଟ୍ରୋରେ କେଉଁ ଦିନ କେଉଁଠି ଯାତ୍ରା କରିଥିଲେ ଏବଂ କେତେ ଟଙ୍କା ଟିକେଟ୍ କରିଥିଲେ ସବୁର ସୂଚନା ପାଇ ପାରିବେ ।

କିପରି ବ୍ୟବହାର କରିବେ QR କୋଡ୍ ?

୧. ପ୍ରଥମେ ନିଜ ସ୍ମାର୍ଟ ଫୋନରେ ଦିଲ୍ଲୀ ସାରଥୀ(Momentum 2.0) ଆପ୍ ଡାଉନଲୋଡ କରି ଲଗ୍ ଇନ୍ କରନ୍ତୁ । ଏହା ପରେ ‘ମଲ୍ଟିପଲ ଜର୍ଣ୍ଣି QR ଟିକେଟ୍‌’ ବିକଳ୍ପ ଚୟନ କରନ୍ତୁ ।

୨. ଏହି କୋଡରେ ୫୦ ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ ସୁବିଧା ରହିଛି । ଯାତ୍ରୀ ନିଜ ସୁବିଧା ଅନୁଯାୟୀ ଟିକେଟ ବିକଳ୍ପ ଚୟନ କରନ୍ତୁ ।

୩. ୟୁପିଆଇ, କ୍ରେଡିଟ୍ ବା ଡେବିଟ୍ କାର୍ଡ଼ ମାଧ୍ୟମରେ ରିଚାର୍ଜ କରିପାରିବେ ।

୪. ମେଟ୍ରୋରେ ଯାତ୍ରା ସମୟରେ ନିଜ ଫୋନରେ QR କୋଡ୍ ସ୍କାନ୍ କରି ସହଜରେ ଯାତ୍ରା କରିପାରିବେ । ତେବେ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କ ପାଖରେ ସର୍ବନିମ୍ନ ୬୦ ଟଙ୍କାର ବାଲାନ୍ସ ଥିବା ଆବଶ୍ୟକ ।

୫. ‘ମଲ୍ଟିପଲ ଜର୍ଣ୍ଣି QR ଟିକେଟ୍‌’ ଉପଭୋକ୍ତାମାନେ peak hours(ସକାଳ ୮ଟାରୁ ଅପରାହ୍ନ ୧୨ଟା ଏବଂ ସନ୍ଧ୍ୟା ୫ଟାରୁ ରାତି ୯ଟା) ମଧ୍ୟରେ ୧୦% ଏବଂ non peak hoursରେ ୨୦% ରିଆତି ସୁବିଧା ପାଇପାରିବେ ।

Get real time updates directly on you device, subscribe now.