fbpx

ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଗଣଶିକ୍ଷାମନ୍ତ୍ରୀ , ଜାଣନ୍ତୁ ଛାତ୍ରଛାତ୍ରୀଙ୍କୁ କିପରି ମିଳିବ ଏହାର ଫାଇଦା

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଭାସୀ ମାଧ୍ୟମରେ ବିନା ଦେୟରେ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏ ସଂପର୍କରେ ମନ୍ତ୍ରୀ କହିଛନ୍ତି ଏହି କାର୍ଯ୍ୟକ୍ରମ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା, ବିଭିନ୍ନ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ଦିଗରେ ସହାୟକ ହେବ ।

ସୂଚନା ଅନୁସାରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚଳିତ ଶିକ୍ଷାବର୍ଷରେ ନାମଲେଖାଇଥିବା ୮୨ ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମରେ ଅନ୍‍ଲାଇନ୍‍ ମାଧ୍ୟମରେ ଯୋଡ଼ି ହୋଇଛନ୍ତି । ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ପ୍ରତି ସୋମବାରରୁ ଗୁରୁବାର ପର୍ଯ୍ୟନ୍ତ ଏହି ଅନଲାଇନ୍‍ କ୍ଲାସରେ ଯୋଡ଼ିହୋଇ ପାରିବେ ।

ତେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରିବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଶିକ୍ଷା ସହାୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଗୁଡ଼ିକରେ ଅନ୍‍ଲାଇନ୍‍ ମାଧ୍ୟମରେ ପାଠପଢ଼ାଯିବ ।

ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସ୍ମାର୍ଟ କ୍ଲାସ୍‍ରୁମ୍‍ ପ୍ରସ୍ତୁତ ରଖିବାକୁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପତ୍ର ଲେଖାଯାଇଛି । ନିର୍ଦ୍ଦେଶାଳୟ ପକ୍ଷରୁ ବିଶେଷଜ୍ଞ ଚୟନ ଶେଷ ହେବା ପରେ ୧୨ ତାରିଖରୁ ଦିଗ୍‍ଦର୍ଶନ କ୍ଲାସ୍‍ ଏବଂ ୧୭ ତାରିଖରୁ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ହେବ । ପ୍ରତି ସପ୍ତାହରେ ୪ ଦିନ ଅପରାହ୍ନ ୨ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଅନ୍‍ଲାଇନ୍‍ ମାଧ୍ୟମରେ ପାଠପଢ଼ା ହେବ ।

Get real time updates directly on you device, subscribe now.