fbpx

ପିତୃଦୋଷ ମୁକ୍ତି ପାଇଁ କେବଳ କାଉକୁ କାହିଁକି ଦିଆଯାଏ ଖାଦ୍ୟ? ଶ୍ରାଦ୍ଧକର୍ମରେ କ’ଣ ରହିଛି ଏହାର ମହତ୍ତ୍ୱ, ଜାଣନ୍ତୁ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପିତୃପକ୍ଷକୁ ଖୁବ ବିଶ୍ୱାସ କରାଯାଏ । ପୂର୍ବଜମାନଙ୍କୁ ସ୍ମରଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ପକ୍ଷ ପାଳନ କରାଯାଉଛି । ଏହି ପିତୃପକ୍ଷ ପ୍ରାୟତଃ ଭାଦ୍ରବ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଆଶ୍ୱୀନ କୃଷ୍ଣ ପକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ୧୬ ଦିନ ରହିଥାଏ । ଏହି ଦିନମାନଙ୍କରେ ଲୋକେ ନିଜର ପୂର୍ବଜ ବା ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ଏବଂ ସଦଗତି ପାଇଁ ଶ୍ରାଦ୍ଧ କରିଥାନ୍ତି । ଶ୍ରାଦ୍ଧ କର୍ମରେ ପିତୃପୁରୁଷଙ୍କୁ ତର୍ପଣ,ପିଣ୍ଡଦାନ ଏବଂ ଅନ୍ୟ ଧାର୍ମିକ କାର୍ଯ୍ୟ କରାଯାଏ । କିନ୍ତୁ ଏହି ସମୟରେ କାଉ ମାନଙ୍କୁ ଖାଇବାକୁ ଦିଆଯାଏ । ତେବେ କାହିଁକି ରହିଛି ଏହି ପରମ୍ପରା?

ହିନ୍ଦୁ ଧର୍ମରେ କାଉକୁ ଯମଦୂତଙ୍କ ବାହନ ଏବଂ ଯମରାଜଙ୍କ ପ୍ରତୀକ ବୋଲି ବିଶ୍ୱାସ ରହିଛି । ମୃତ୍ୟୁର ଦେବତା ହେଉଛନ୍ତି ଯମରାଜ । କୁହାଯାଏ ଯେ, ଏହି ପିତୃପକ୍ଷ ସମୟରେ ପୂର୍ବଜଙ୍କ ଆତ୍ମା ପୃଥିବୀକୁ ଆସିଥାଏ ଏବଂ କାଉ ରୂପରେ ଭୋଜନ ଗ୍ରହଣ କରିଥାନ୍ତି । ତେଣୁ ସେମାନଙ୍କୁ ଖୁଆଇବା ଦ୍ୱାରା ପିତୃପୁରୁଷଙ୍କୁ ସନ୍ତୁଷ କରାଯାଏ ଏବଂ ସେମାନଙ୍କ ଆତ୍ମାକୁ ତୃପ୍ତି ମିଳେ ବୋଲି କୁହାଯାଏ । ଏହାବ୍ୟତୀତ କାଉ ପିତୃପୁରୁଷଙ୍କ ସନ୍ଦେଶବାହକ ବୋଲି ମଧ୍ୟ କୁହାଯାଏ । ତେଣୁ ପିତୃପକ୍ଷରେ କାଉମାନଙ୍କୁ ଭୋଜନ କରାଇ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ଗ୍ରହଣ କରାଯାଏ ।

ବିଶ୍ୱାସ ରହିଛି ଯେ, ପିତୃପକ୍ଷରେ ହୋଇଥିବା ଶ୍ରାଦ୍ଧ କର୍ମର ଭୋଜନ କାଉକୁ ଖୁଆଇବା ଦ୍ୱାରା ପିତୃପୁରୁଷଙ୍କୁ ମୁକ୍ତି ଏବଂ ଶାନ୍ତି ମିଳିଥାଏ । ଏଥିରେ ପିତୃପୁରୁଷ ପ୍ରସନ୍ନ ହୋଇ ସାଧକଙ୍କୁ ଆଶୀର୍ବାଦ ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହାଦ୍ୱାରା କୌଣସି ସାଧକଙ୍କ ଭାଗ୍ୟରେ ପିତୃଦୋଷ ଥିଲେ, ସେ ଏହି ଦୋଷରୁ ମୁକ୍ତି ପାଇଥାନ୍ତି । ଏଥିପାଇଁ ପିତୃପକ୍ଷରେ କାଉମାନଙ୍କୁ ଭୋଜନ କରାଇବା ଖୁବ ମହତ୍ତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ ।

କାଉ ପ୍ରଭୁ ଶ୍ରୀରାମଙ୍କ ସହ ଜଡିତ ବୋଲି ମଧ୍ୟ ଏକ ପୌରାଣିକ କାହାଣୀରେ ଉଲ୍ଲେଖ କରାଯାଇଛି । ଥରେ ଏକ କାଉ ମାତା ସୀତାଙ୍କ ପାଦକୁ ନିଜ ଥଣ୍ଟରେ ଆଘାତ ଦେଇଥିଲା, ଫଳରେ ମାତା ସୀତାଙ୍କ ଗୋଡରେ କ୍ଷତ ହୋଇଥିଲା। ମାତା ସୀତାଙ୍କୁ ଯନ୍ତ୍ରଣାରେ ଦେଖି ପ୍ରଭୁ ଶ୍ରୀରାମ କ୍ରୋଧିତ ହୋଇ ଏକ ତୀର ସାହାଯ୍ୟରେ ସେ ମଧ୍ୟ କାଉକୁ ଆଘାତ କରିଥିଲେ। ଏହା ପରେ କାଉ ନିଜ ଭୁଲ ହୃଦଙ୍ଗମ କରି ପାରିଥିଲା । ତେଣୁ ଆଘାତ ଦେଇଥିବା କାଉ ମାତା ସୀତା ଏବଂ ଭଗବାନ ଶ୍ରୀ ରାମଙ୍କୁ କ୍ଷମା ମାଗିଥିଲା । ଏହାପରେ ଭଗବାନ ଶ୍ରୀ ରାମ ତୁରନ୍ତ କାଉକୁ କ୍ଷମା କରି ଏକ ବର ପ୍ରଦାନ କରିଥିଲେ । ଏହି ବରଦାନରେ ଶ୍ରୀରାମ କାଉକୁ କହିଥିଲେ ଯେ, ବର୍ତ୍ତମାନ କେବଳ ତୁମ ମାଧ୍ୟମରେ ପିତୃପୁରୁଷମାନେ ପରିତ୍ରାଣ ପାଇବେ । ତେଣୁ ସେବେଠାରୁ ପିତୃପକ୍ଷ ସମୟରେ କାଉମାନଙ୍କୁ ଖାଇବାକୁ ଦେବାର ଏହି ପରମ୍ପରା ଆରମ୍ଭ ହୋଇଥିବା ପୁରାଣରେ ବର୍ଣ୍ଣିତ ରହିଛି ।

Get real time updates directly on you device, subscribe now.