fbpx

‘ଏହି ଥେରାପିରୁ ଫେରି ପାଇବେ ଯୌବନ…’, ଏମିତି କିଛି କହି ଲୋକଙ୍କ ଠାରୁ ଲୁଟିଥିଲେ ୩୫ କୋଟି ଟଙ୍କା, ଘଟଣାର ପର୍ଦ୍ଦାଫାସ୍ ହେବା ପରେ ଦମ୍ପତି ଫେରାର

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ସମସ୍ତେ ଚିର ଯୌବନ ଏବଂ ଆକର୍ଷଣୀୟ ଦେଖାଯିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଅଧିକାଂଶ ବ୍ୟକ୍ତି ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ଔଷଧ ସେବନ କରିଥାନ୍ତି । ଏଭଳି ବ୍ୟକ୍ତିଙ୍କୁ ଟାର୍ଗେଟ କରୁଛନ୍ତି କିଛି ଖଳ ପ୍ରକୃତି ଲୋକ । ନିରୀହ ବ୍ୟକ୍ତିଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଲୁଟି ନେଉଛନ୍ତି । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁରରେ ।

ସୂଚନାରୁ ପ୍ରକାଶ କାନପୁର ସ୍ଥିତ ଦମ୍ପତି ଏକ ଥେରାପି ମାଧ୍ୟମରେ ଯୌବନ ଫେରାଇ ଆଣିବାର ଲୋଭ ଦେଖାଇ ଅନେକ ବୟସ୍କଙ୍କୁ ନିଜ ଜାଲରେ ଫସାଇଥିଲେ । ଦମ୍ପତି ପ୍ରାୟ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ୨୫ ବର୍ଷୀୟ ଯୁବକ କରିବା ନେଇ ଦାବି କରିଆସୁଥିଲେ । ଇସରାଏଲର ଏକ ଅକ୍ସିଜେନ୍ ଥେରାପି ମେସିନ୍ ଦ୍ୱାରା ଯୌବନ ଫେରି ପାଇବା ନେଇ ଲୋକଙ୍କୁ ଆକୃଷ୍ଟ କରୁଥିଲେ । ଏହା ପରେ ଅନେକ ଲୋକଙ୍କ ମଧ୍ୟରେ ଏହି ଥେରାପି ନେବାର କ୍ରେଜ୍ ଦେଖାଯାଇଥିଲା । ଫଳରେ ଦମ୍ପତିଙ୍କ ସଂସ୍ଥାରେ ପ୍ରାୟ ୩୫ କୋଟି ଟଙ୍କା ଜମା ହୋଇଯାଇଥିଲା । କିନ୍ତୁ ସମୟ କ୍ରମେ ଲୋକମାନେ ଅନୁଭବ କଲେ କି ଅକ୍ସିଜେନ୍ ଥେରାପି ମେସିନ୍ କାର୍ଯ୍ୟକାରୀ ହେଉନାହିଁ । ପରେ ଜାଣିବାକୁ ପାଇଲେ ଯେ ସେମାନେ ଠକାମୀର ଶିକାର ହୋଇଛନ୍ତି । ଦମ୍ପତି ଏହା ଜାଣିବା ପରେ ନିଜ ଫ୍ଲାଟରେ ତାଲା ପକାଇ ଚମ୍ପଟ ମାରିଥିଲେ । ଏହା ପରେ ପୀଡ଼ିତମାନେ ଉକ୍ତ ଠକ ଦମ୍ପତି ବିରୋଧରେ କିଦୱଇ ନଗର ଥାନାରେ ଏକ ମାମଲା ରୁଜୁ କରିଥିଲେ । ପୀଡ଼ିତଙ୍କ ଅଭିଯୋଗ ଅନୁଯାୟୀ ଦମ୍ପତି ଇସରାଏଲର ଅକ୍ସିଜେନ୍ ଥେରାପି ମେସିନର ବିଲ୍ କାହାକୁ ଦେଖାଇନଥିଲେ କି ମେସିନର ଅସଲ ନାଁ କହିନଥିଲେ । ଦମ୍ପତି କିଛି ଲୋକଙ୍କ ଠାରୁ ଏକାଥରରେକ ୬୦ ହଜାର ଏବଂ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିମାଣ୍ଡ୍ କରୁଥିଲେ । ଠକାମୀ ସାମ୍ନାକୁ ଆସିବା ପରେ ଦମ୍ପତି କେଉଁଆଡ଼େ ଲୁଚି ପଳାଇଛନ୍ତି । ବର୍ତ୍ତମାନ ପୋଲିସ ସେମାନଙ୍କ ଛାନଭିନ୍ ଜାରି ରଖିଛି । ଖୁବ୍ ଶୀଘ୍ର ଠକ ଦମ୍ପତି ଧରା ପଡ଼ିବେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.