fbpx

(video) ଭରତପୁର ଥାନାରେ ବାସ୍ତୁଦୋଷ, ଖଣ୍ଡନ ପାଇଁ ହେଲା ପୂଜା ପାଠ

ଭୁବନେଶ୍ୱର: ଦୀର୍ଘ ବିବାଦ ପରେ ଭରତପୁର ଥାନା ଘଟଣାରେ ଆସିଛି ଶୀଥିଳତା । ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ପରେ ସବୁ ପକ୍ଷ ଆଶ୍ୱସ୍ତ । ସେପଟେ ଥାନାବାବୁ ଦୀନବନ୍ଧୁ ମିଶ୍ରଙ୍କ ନିଲମ୍ବନ ପାଇଁ ଥାନାକୁ ମିଳିଛନ୍ତି ନୂଆ ଅଧିକାରୀ । ଭରତପୁର ଥାନାର ନୂଆ ଆଇଆଇସି ଭାବେ ଦୀପକ ଖଣ୍ଡାୟତରାୟଙ୍କୁ ଦିଆଯାଇଛି ନିଯୁକ୍ତି । ହେଲେ ବାବୁଙ୍କ ମନରେ ଭାରି ଭୟ । ଥାନାରେ କରୁଛନ୍ତି ଗ୍ରହଶାନ୍ତି ପୂଜାପାଠ ।

ଭରତପୁର ଥାନାର ନୂଆ ଆଇଆଇସି ଦାୟିତ୍ୱ ନେବା ପରେ ଦୀପକ ଖଣ୍ଡାୟତରାୟ ଥାନା ଭିତରେ କରିଛନ୍ତି ପୂଜା । ବ୍ରାହ୍ମଣଙ୍କ ବେଦପାଠ ସହ ହୋମ, ଯଜ୍ଞ କରାଗଲା । ବାବୁ ବସିଲେ କର୍ତ୍ତା ହୋଇ । ପୂଜା ସରିବା ପରେ ଥାନା ଆଗରେ ଟଙ୍ଗାଯାଇଛି କଞ୍ଚାଲଙ୍କା ସାଙ୍ଗକୁ ଲେମ୍ବୁର ମାଳ । ତେବେ ପୂଜାକୁ ନେଇ ଥାନା ବାବୁ କହିଛନ୍ତି କି, ନୂଆକରି ଥାନାରେ ଯୋଗଦେଲି ତ, ସେଥିପାଇଁ ମାନସିକ ଶାନ୍ତି ପାଇଁ ପୂଜାପାଠଟିଏ କରିଦେଲି । କିନ୍ତୁ ଆଇଆଇସିଙ୍କ ଏହି ପୂଜାକୁ ନେଇ ଏବେ ଚର୍ଚ୍ଚା ଜୋରଦାର ।

ମେଜର ବାନ୍ଧବୀଙ୍କ ଘଟଣାକୁ ନେଇ ଥାନା ବଦନାମ । ବଦନାମ ଥାନାର ଦାୟିତ୍ୱ ନେବା ନୂଆ ଆଇଆଇସିଙ୍କ ପାଇଁ ହେବନି ସହଜ । ପୁଣି କେଉଁ ନୂଆ ଘଟଣାକୁ ନେଇ ସେ ମଧ୍ୟ ଘେରାବନ୍ଦୀକୁ ଆସିବେ, ସ୍ଥାନଟିରେ କାଳେ କୌଣସି ଦୁଷ୍ଟ ଆତ୍ମାର କୋପଦୃଷ୍ଟି ପଡିଥିବ, ଏହି ଭୟ ହୁଏତ ନୂଆ ଥାନାବାବୁଙ୍କୁ କବଳିତ କରିଛି । ସେଥିପାଇଁ ଏହି ବିବାଦୀୟ ଥାନାରେ କାମ କରିବା ଆଗରୁ ଥାନା ବାବୁ ବିଧିବଦ୍ଧ ପୂଜାପାଠ କରି ନିଜକୁ ଆଶ୍ୱସ୍ତ କରିବାକୁ ଚେଷ୍ଟା କରିଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଆଜି ହାଇକୋର୍ଟ ପ୍ରବଳ ବର୍ଷିଛନ୍ତି । ଥାନାରେ ସିସିଟିଭି କ୍ୟାମେରା ଲଗା ନ ଯିବାକୁ ନେଇ ଉଦବେଗପ୍ରକାଶ କରିଛନ୍ତି କୋର୍ଟ । ଏଥିସହ ପୋଲିସ, ତଦନ୍ତକାରୀ କମିଟି, ଗଣମାଧ୍ୟମ, ସାଧାରଣ ଜନତାଙ୍କୁ ପୀଡିତାଙ୍କ ଚରିତ୍ର ସଂହାର କରିବା ଉପରେ ଲଗାଇଛନ୍ତି ପ୍ରତିବନ୍ଧକ ।

Get real time updates directly on you device, subscribe now.