fbpx

ଆଜିଠାରୁ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ, ତୃଣମୂଳ ସ୍ତରରେ ସରକାରୀ ଯୋଜନା ପହଂଚାଇବା ନେଇ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଲୋକସେବା ଭବନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ନୂଆ ସରକାରରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନେଇ ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମ୍ମିଳନୀରେ ଜିଲ୍ଲାପାଳମାନଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ସମସ୍ତ ଏସପି ମଧ୍ୟ ସାମିଲ ହୋଇଛନ୍ତି । ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବୈଠକରେ ଆଲୋଚନା ଆରମ୍ଭ ହୋଇଛି । ସରକାରୀ ଯୋଜନାକୁ ତୃଣମୂଳ ସ୍ତରକୁ ନେବା ଲାଗି ଜିଲ୍ଲାସ୍ତରୀୟ ଅଧିକାରୀଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେଥିପାଇଁ ଜିଲ୍ଲାପାଳଙ୍କୁ ନେଇ ସରକାର ବୈଠକ ଡାକିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ପ୍ରଥମ ଦିନ ସମ୍ମିଳନୀରେ ସମସ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଚିବ ସାମିଲ ହେବେ । ସେହିପରି ଦ୍ୱିତୀୟ ଦିନରେ ଜିଲ୍ଲାପାଳଙ୍କ ସହ ଏସପି ସାମିଲ ହେବେ । ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର କ୍ରିୟାନ୍ଵୟନ ବାବଦରେ ବିସ୍ତୃତ ଆଲୋଚନା ହେବ । ସାମଗ୍ରିକ ଭାବେ ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଧାଡ଼ିରେ ଶେଷରେ ଥିବା ବ୍ୟକ୍ତି ପାଖରେ କିପରି ସରକାରଙ୍କ ସମସ୍ତ ଯୋଜନା ପହଞ୍ଚିବ, ସେ ନେଇ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେବେ ସରକାର ।

ଏନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ”ରାଜ୍ୟ ସରକାରଙ୍କ ଓଡ଼ିଶାକୁ ବିକାଶ ନେଇ ରୋଡମ୍ୟାପ ବିଷୟରେ ସମସ୍ତ ଜିଲ୍ଲାପାଳ ଓ ଉପରିସ୍ତ ଅଧିକାରୀମାନେ ଅବଗତ ହେବେ । ସବୁଠୁ ବଡ଼ କଥା ହେଲା କେମିତି ପ୍ରଶାସକମାନେ ସମ୍ବେଦନଶୀଳ ହେବେ, ଗରିବଙ୍କ ହୃଦୟର ବେଦନା ବୁଝି ପାରିବେ, ଆଖିର କୋହ ଦେଖିପାରିବେ ତାହା ହିଁ ମୂଳ ବିଷୟ । ଏ ସରକାର ଲୋକଙ୍କ ସରକାର, ଲୋକଙ୍କ ପାଇଁ ସରକାର । ଏ ମନ୍ତ୍ର ଜିଲ୍ଲାପାଳ, ଏସପିଙ୍କ ପରେ ବ୍ଲକ ଅଧିକାରୀ, ତହସିଲଦାରମାନଙ୍କୁ ମଧ୍ୟ ଦିଆଯିବ । ଦୁର୍ନୀତି ପ୍ରତି ଶୂନ୍ୟ ସମ୍ବେଦନଶୀଳତା ସହ ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟନୁଷ୍ଠାନ । ଆଇନ ପ୍ରତି ଭୟ, ଲୋକଙ୍କ ପ୍ରତି ମମତା । ଏହା ହିଁ ଆଜି ଜିଲ୍ଲାପାଳ ବୈଠକରେ ହେବ ମୂଳ ମନ୍ତ୍ର। ”

ସକାଳ ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଏବଂ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ସମ୍ମିଳନୀ ଜାରି ରହିବ । ସାଢ଼େ ୧୦ଟାରୁ ୧୧ଟା ୧୫ମିନିଟ୍ ପର୍ଯ୍ୟନ୍ତ ଅଧିବେଶନରେ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା ଯୋଜନା’ର ସଫଳ କାର୍ଯ୍ୟାନ୍ୱୟନ ସଂକ୍ରାନ୍ତରେ ମହିଳା ଓ ଶିଶୁବିକାଶ ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ପ୍ରମୁଖ ସଚିବଙ୍କ ସମେତ କଟକ ଓ କୋରାପୁଟ ଜିଲ୍ଲାପାଳ ନିଜର ମତ ରଖିବେ । ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଏହି ଅଧିବେଶନକୁ ପରିଚାଳନା କରିବେ ।

ସେହିପରି ୧୧ଟା ୧୫ରୁ ୧୨ଟା ପର୍ଯ୍ୟନ୍ତ ଅଧିବେଶନରେ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଉପରେ ଆଲୋଚନା ହେବ । ଏଥିରେ ଖାଦ୍ୟଯୋଗାଣ ବିଭାଗ ଓ ସମବାୟ ବିଭାଗର ପ୍ରମୁଖ ସଚିବ, କୃଷି ନିର୍ଦ୍ଦେଶକ, ସମବାୟ ରେଜିଷ୍ଟ୍ରାରଙ୍କ ସମେତ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳ ନିଜର ରିପୋର୍ଟ ଉପସ୍ଥାପନ କରିବେ । ଏହି ଅଧିବେଶନକୁ ପରିଚାଳନା କରିବେ ଓଡ଼ିଶା ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ । ସେହିପରି ୧୨ଟାରୁ ୪୫ମିନିଟ୍ ଧରି ରାଜ୍ୟରେ ପିଏମ-ଜନମନ ଯୋଜନା ସମେତ ଆଦିବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଅନ୍ୟ ନୂଆ ଯୋଜନା(ମାଧୋ ସିଂ ହାତଖର୍ଚ୍ଚ ସମେତ) ଆଦିର କାର୍ଯ୍ୟକାରିତାକୁ ନେଇ ଆଲୋଚନା ହେବ । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବଙ୍କ ସମେତ କେନ୍ଦୁଝର ଓ ମାଲକାନଗିରି ଜିଲ୍ଲାପାଳ ନିଜର ମତ ରଖିବେ । ଏହି ଅଧିବେଶନକୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ପରିଚାଳନା କରିବେ ।

ସେହିପରି ୧୨ଟା ୪୫ରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଅଧିବେଶନରେ ପିଏମଶ୍ରୀ ଯୋଜନାର ପ୍ରଶିକ୍ଷଣ, ନିପୁଣ ଓଡ଼ିଶାର କାର୍ଯ୍ୟକାରିତା, ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋଚନା ହେବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମେତ ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାପାଳ ଏଥିରେ ନିଜର ମତାମତ ରଖିବେ । ଏହି ଅଧିବେଶନକୁ ଓପେସା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପରିଚାଳନା କରିବେ । ସେହିପରି ମଧ୍ୟାହ୍ନଭୋଜନ ପରେ ସାଢ଼େ ୨ଟାରେ ଅପରାହ୍ନ ଅଧିବେଶନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଉଭୟ ଗ୍ରାମାଂଚଳ ଓ ସହରାଂଚଳ) ଏବଂ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତା, ଶିଳ୍ପାଂଚଳ ବିକାଶ ପ୍ରସଙ୍ଗ ଆଦି ଉପରେ ବିସ୍ତୃତ ଆଲୋଚନା ହେବ । ଆସନ୍ତାକାଲିର ଶେଷ ଅଧିବେଶନ ୪ଟା ୧୫ମିନିଟରେ ଆରମ୍ଭ ହେବ ଓ ଏଥିରେ ଅଭିଯୋଗର ସମାଧାନ ଓ ସରକାରୀ ସେବା ପ୍ରଦାନ ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବଗତ କରାଇବେ । ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାପାଳମାନେ ଗ୍ରୁଫ୍ ଫଟୋ ଉଠାଇବେ । ରାତିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାପାଳମାନେ ରାତ୍ରିଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

 

Get real time updates directly on you device, subscribe now.