fbpx

ଦେଶରେ ବେରୋଜଗାରୀ କ୍ଷେତ୍ରରେ କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ସ୍ଥିତି ସବୁଠାରୁ ଖରାପ?

ନୂଆଦିଲ୍ଲୀ: ବିଶ୍ୱ ମାନ୍ଦାବସ୍ଥା, କୋଭିଡ ୧୯, ଯୁଦ୍ଧ ସ୍ଥିତି ସତ୍ତେ୍ୱ ଦେଶର ଅର୍ଥନୀତିରେ ସୁଧାର ଆସିଛି । ଏହାର କାରଣ ଦେଶର ଜନସଂଖ୍ୟାର ଏକ ବିରାଟ ଭାଗର ଶିକ୍ଷା ଓ ସମ୍ବଳ ଏହି କ୍ଷେତ୍ରରେ ନିଜ ଭାଗିଦାରୀ ଜାହିର କରିପାରିଛନ୍ତି । ତଥାପି ଦେଶରେ ଏକ ବଡ ଭାଗ ଉଚ୍ଚ ଶିକ୍ଷା ସତ୍ତେ୍ୱ ବେରୋଜଗାର ହୋଇରହିଛନ୍ତି । ଦିନକୁ ଦିନ ବେରୋଜଗାରୀ ହ୍ରାସ ପାଉଥିବା ବେଳେ ଦେଶରେ ମହିଳାଙ୍କ ବେରୋଜଗାରୀ ବୃଦ୍ଧି ପାଇଛି । ଦେଶର ମୋଟ ବେରୋଜଗାର ହାର ୧୦.୨ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ ହାର ରହିଛି ୧୧ ପ୍ରତିଶତ, ଯେତେବେଳେ କି ପୁରୁଷଙ୍କ ହାର ରହିଛି ୯.୮ ପ୍ରତିଶତ । ଗତବର୍ଷ ତୁଳନାରେ ବେରୋଜଗାର ମହିଳାଙ୍କ ହାରରେ ୩.୨ ପ୍ରତିଶତ ବୃଦ୍ଧି ହୋଇଛି, ଯାହା ଗତବର୍ଷ ୨.୯ ପ୍ରତିଶତ ଥିଲା ।

ଦେଶରେ ଥିବା ବେରୋଜଗାରଙ୍କୁ ନେଇ ପିରିଓଡିକ ଲେବର ଫୋର୍ସ ସର୍ଭେ (ପିଏଲଏଫଏସ) ଜୁଲାଇ ୨୦୨୩ରୁ ଜୁନ ୨୦୨୪ ମଧ୍ୟରେ କରିଥିବା ସର୍ଭେ ମୁତାବକ ବେରୋଜଗାରୀ କ୍ଷେତ୍ରରେ ସବୁଠାରୁ ଆଗରେ କେନ୍ଦ୍ରଶାସିତ ଅଞ୍ଚଳ ଲକ୍ଷାଦୀପ ରହିଥିବା ବେଳେ ସବୁଠାରୁ ତଳେ ରହିଛି ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶର ଜନସଂଖ୍ୟାର ୨.୬ ପ୍ରତିଶତ ବେରୋଜଗାର । ସେଥିରେ ପୁରୁଷ ଅନଏମ୍ପ୍ଲଏମେଣ୍ଟ ୨.୮ ପ୍ରତିଶତ ରହିଥିବା ବେଳେ ମହିଳାଙ୍କର ରହିଛି ୨.୧ ପ୍ରତିଶତ ।

ଦେଶରେ ବେରୋଜଗାର କ୍ଷେତ୍ରରେ ସବୁଠାରୁ ତଳେ ଥିବା ୧୦ ରାଜ୍ୟ ମଧ୍ୟରେ ମଧ୍ୟପ୍ରଦେଶ ତଳକୁ ଆସୁଛି ଗୁଜୁରାଟ । ଗୁଜୁରାଟରେ ମୋଟ ବେରୋଜଗାର ସଂଖ୍ୟା ୩.୧ ପ୍ରତିଶତ । ତା ତଳକୁ ୩.୬ ହାରରେ ଝାରଖଣ୍ଡ, ୪.୬ ସହ ଦିଲ୍ଲୀ, ୬.୩ ପ୍ରତିଶତ ସହ ଛତିଶଗଡ ରହିଛି । ତା ତଳକୁ ଆସୁଛି ଦାଦ୍ରା-ନଗର ହାବେଳି, ତ୍ରିପୁରା, ସିକିମ, ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ । ଉତ୍ତର ପ୍ରଦେଶର ବେରୋଜଗାର ମୋଟ ହାର ୯.୮ ପ୍ରତିଶତ ରହିଛି ।

ଅନ୍ୟପଟରେ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଲକ୍ଷାଦୀପ ସବୁଠାରୁ ଆଗରେ ରହିଛି । ଏହି କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ବେରୋଜଗାର ସଂଖ୍ୟା, ସେଠାକାର ଜନସଂଖ୍ୟା ତୁଳନାରେ ୩୬.୨ ପ୍ରତିଶତ ରହିଛି । ସେଥିରୁ ପୁରୁଷଙ୍କ ହାର ୨୬.୨ ଓ ମହିଳାଙ୍କ ହାର ୭୯.୭ ହରିଛି । ତା ତଳକୁ ସବୁଠାରୁ ଅଧିକ ବେରୋଜଗାର ୧୦ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ । ଏଠାରେ ମୋଟ ବେରୋଜଗାର ହାର ରହିଛି ୩୩.୬ ପ୍ରତିଶତ । ସେହିପରି କେରଳ ୨୯.୯ ପ୍ରତିଶତ ତୃତୀୟ ସ୍ଥାନରେ ରହିଛି । ୪ର୍ଥ ସ୍ଥାନରେ ନାଗାଲାଣ୍ଡ ୨୭.୪ ପ୍ରତିଶତ, ମଣିପୁରର ୨୨.୯ ପ୍ରତିଶତ ବେରୋଜଗାର ହାର ରହିଛି ।

୧୦ ସର୍ବାଧିକ ବେରୋଜଗାର ଶ୍ରେଣୀରେ ୬ଷ୍ଠ ସ୍ଥାନରେ ଲଦାଖ, ତା ପରେ ଅରୁଣାଚଳ ପ୍ରଦେଶ, ଗୋଆ, ପଞ୍ଜାବ, ଆନ୍ଧ୍ରପ୍ରଦେଶ ରହିଛି । ଏହି ତଥ୍ୟ ନାସନାଲ ସାମ୍ପଲ ସର୍ଭେ/ ମିନିଷ୍ଟ୍ରୀ ଅଫ ଷ୍ଟାଟିଷ୍ଟିକ୍ସ ଆଣ୍ଡ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ ପକ୍ଷରୁ ଦିଆଯାଇଛି । ସଂସ୍ଥା ପିଏଲଏଫଏସର ଡାଟାକୁ ଅଧ୍ୟୟନ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି ।

Get real time updates directly on you device, subscribe now.