fbpx

କ୍ଷମତାର ମୋହ, ଯାହାକୁ ଲାଗିଛି, ତାଠି ଦେଖାଦେଇଛି ଚାରିତ୍ରିକ ପରିବର୍ତ୍ତନ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ପରଠୁ ରାଜ୍ୟବ୍ୟାପୀ ଚର୍ଚାରେ ଯାଜପୁର ଓ ସେଠାର ପୂର୍ବତନ ବିଧାୟକ ତଥା ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ନିର୍ବାଚନ ଲଢିବାକୁ କହିବା ପରଠାରୁ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଥିବା ବେଳେ ପଦରୁ ଇସ୍ତଫା ନ ଦେବା ନେଇ ସୁଜାତା ସାହୁଙ୍କ ଟିପ୍ପଣୀ ଆହୁରି ଖୋରାକ ଯୋଗେଇଛି ଚର୍ଚ୍ଚାକୁ । ଓଡିଶା ରାଜନୀତି ସହ ଦୀର୍ଘ ଦିନରୁ ସଂଶ୍ଲିଷ୍ଟ ଥିବା ଲୋକେ କହୁଛନ୍ତି, ବିଜେଡି ଆରମ୍ଭରେ ଯାହା ହୋଇଥିଲା, ଦଳ କ୍ଷମତାରୁ ଯିବା ବେଳକୁ ଇତିହାସ କଡ ଲେଉଟେଇଛି । ପାଟକୁରା ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି ଯାଜପୁରରେ ବୋଲି ଚର୍ଚ୍ଚା ହେଉଛି ।

ରାଜନୀତି ବିଶାରଦ କହୁଛନ୍ତି, ୨୦୦୦ରେ ବିଜୟ ମହାପାତ୍ରଙ୍କ କ୍ଷେତ୍ରରେ ଯାହା ହୋଇଥିଲା, ଏବେ ବବିଙ୍କ ସହ ଘଟିବାକୁ ଯାଉଛି । ୨୦୦୦ ନିର୍ବାଚନ କାଳରେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେଡିର ପଲିଟିକାଲ ଆଫେୟାର କମିଟି ଅଧ୍ୟକ୍ଷ ଥିଲେ । ନିର୍ବାଚନର ସବୁ ଦାୟିତ୍ୱ ଥିଲା ତାଙ୍କ କାନ୍ଧରେ । ସେ ପାଟକୁରାରୁ ନାମାଙ୍କନ ଦାଖଲ କରିବାର ଥିଲା । କିନ୍ତୁ ଶେଷ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ଟିକେଟ କାଟି ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ କରାଇଥିଲେ ।

ବିଜୟଙ୍କ ପାଖରେ ନ ଥିଲା ଆଉ କୌଣସି ବାଟ । ତେଣୁ ପାଟକୁରାରୁ ସେତେବେଳେ ଏଆଇଟିଏମସିର ପ୍ରାର୍ଥୀ ହୋଇଥିବା ତ୍ରିଲୋଚନ ବେହେରାଙ୍କୁ ନିଜ ସମର୍ଥ ଦେଲେ ବିଜୟ । ବିଜେଡି ତାଙ୍କ ପ୍ରତି କରିଥିବା ବିଶ୍ୱାସଘାତକତାର ପ୍ରତିଶୋଧ ନେବାକୁ ଚାହୁଁଥିଲେ । ଯେତେବେଳେ ବିଜୟଙ୍କ ସମର୍ଥନ ମିଳିଲା, ତ୍ରିଲୋଚନ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀଙ୍କୁ ବହୁ ଭୋଟରେ ପରାସ୍ତ କରିଦେଲେ । ସେତେବେଳେ ବିଜୟ ଆଶା ରଖିଥିଲେ, ପାଟକୁରାରେ ଅସମ୍ଭବକୁ ସମ୍ଭବ କରିଥିବାରୁ ତ୍ରିଲୋଚନ କୃତଜ୍ଞତା ସ୍ୱରୂପ ସେହି ଆସନରୁ ଓହରି ଯାଇ ବିଜୟଙ୍କ ପାଇଁ ରାସ୍ତା ପରିସ୍କାର କରିବେ ।

ହେଲେ ସେମିତି କିଛି ହେଲା ନାହିଁ । ବିଧାୟକ ହେବା ପରେ ତ୍ରିଲୋଚନ ଭୁଲିଗଲେ ବିଜୟଙ୍କ ସାହାଯ୍ୟ, ସହଯୋଗ । କୃତଜ୍ଞତା ଜଣାଇବା ଦୂରର କଥା, ସେ ବିଜୟଙ୍କ ପାଖ ମାଡିଲେ ନାହିଁ । ବିଧାୟକ ଗାଦିକୁ ମାଡି ଧରିଲେ । ଫଳରେ ବିଜୟଙ୍କୁ ନିରାଶ ହେବାକୁ ପଡିଲା । ତା ପରଠୁ ଆଉ କେବେ ବିଜୟ ନିର୍ବାଚନ ଲଢିନାହାନ୍ତି । ଏ ଥିଲା କ୍ଷମତାର ଅସଲ ଚେହେରା ।

ତେବେ ଖାଲି ପାଟକୁରା ନୁହେଁ, ସମାନ ଘଟଣା ମଧ୍ୟ ଘଟିଥିଲା ଆଠଗଡ ଓ ଚମ୍ପୁଆରେ । ୨୦୦୯ରେ ରଣେନ୍ଦ୍ର ସ୍ୱାଇଁଙ୍କ ଟିକେଟ ନାକଚ ହୋଇଗଲା । ନିଜ ଆସନକୁ ଅକ୍ତିଆରରେ ରଖିବାକୁ ସେ ରମେଶ ରାଉତ ନାମକ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ଲାଗି ପାତି ଜିତାଇଥିଲେ ରଣେନ୍ଦ୍ର । କିନ୍ତୁ ରମେଶ ଗାଦି ଛାଡିବାକୁ ମନା କରି ଦେଇଥିଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ରଣେନ୍ଦ୍ର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ପୁନର୍ବାର ସେହି ଆସନରୁ ନିର୍ବାଚିତ ହୋଇଥିଲେ ରଣେନ୍ଦ୍ର ।

ସେମିତି ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା ୨୦୧୯ରେ । ଚମ୍ପୂଆର ହେଭିୱେଟ ନେତା ସନାତନ ମହାକଡଙ୍କୁ ବିଜେଡି ସାଇଡ କରିଦେଇଥିଲା ତାଙ୍କ ବିରୋଧରେ କିଛି ଭିଜିଲାନ୍ସ ମାମଲା ଥିବାରୁ । ହେଲେ ତାଙ୍କୁ ବିଜେଡି ପକ୍ଷରୁ କୁହାଯାଇଥିଲେ, ସେ ଯାହାକୁ ଚାହିଁବେ, ଦଳ ତାଙ୍କୁ ହିଁ ଟିକେଟ ଦେବ । ତାହା ହେଲା । ସନାତନଙ୍କ ମନୋନୀତ ପ୍ରାର୍ଥି ମିନାକ୍ଷୀ ମହାନ୍ତଙ୍କୁ ବିଜେଡି ଟିକେଟ ଦେଲା । ସନାତନଙ୍କ ସମର୍ଥନ ପାଇ ମିନାକ୍ଷୀ ଜିତିଲେ । କିନ୍ତୁ ବିଜୟୀ ହେବା ପରେ ମିନାକ୍ଷୀ ସନାତନଙ୍କୁ ଆଉ ଧରାଛୁଆଁ ଦେଲେନାହିଁ ।

ଅର୍ଥାତ୍ ଗତ ୨୪ ବର୍ଷରେ ଗୋଟିଏ ସରକାର କାଳରେ ୩ଟି ଘଟଣା ଦେଖିଛି ରାଜ୍ୟ । କ୍ଷମତାକୁ ଆସିଗଲା ପରେ ବ୍ୟକ୍ତିଠାରେ ଚାରିତ୍ରିକ ଦୋଷ ଦୁର୍ବଳତା ପ୍ରକାଶ ପାଏ । ଯେମିତି ପ୍ରକାଶ ପାଇଥିଲା ତ୍ରିଲୋଚନ ବେହେରା, ରମେଶ ରାଉତ ଓ ମିନାକ୍ଷୀ ମହାନ୍ତଙ୍କଠାରେ । ଆଉ ଏଥିରେ ନିରାଶ ବା ହତାଶ ହୋଇଥିଲେ ବିଜୟ ମହାପାତ୍ର, ରଣେନ୍ଦ୍ର ପ୍ରତାପ ଓ ସନା ମହାକୁଡଙ୍କ ପରି ରାଜନୀତିର ଦିଗ୍ଜ ନେତା ।

ଏବେ ଯାଜପୁରରେ ବବିଙ୍କ ସ୍ଥିତି ସମାନ ହୋଇଥିବା କୁହାଯାଉଛି । ବବି ସୁଜାତାଙ୍କୁ ସେଠାରେ ଠିଆ କରେଇଥିଲେ ଏହି ଆଶାରେ କି, ଯଦି ସେ ସମ୍ବଲପୁରରେ ହାରି ଯାଆନ୍ତି, ତେବେ ଯାଜପୁରକୁ ପୁଣି ଫେରିବେ । ତେଣୁ ତାଙ୍କର ଜଣେ ଅତି ନିକଟତମ ତଥା ସାଧାରଣ ମହିଳାଙ୍କୁ ଟିକେଟ ଦେଇଥିଲେ । ହେଲେ ବବିଙ୍କ ସବୁ ଅଙ୍କ ଭୁଲ ହୋଇଯାଇଥିବା କୁହାଯାଉଛି ।

 

Get real time updates directly on you device, subscribe now.