fbpx

ସମଦୂରତା ନୂହେଁ, କଂଗ୍ରେସ ସହ ହାତ ମିଶେଇବ ବିଜେଡି!

ଭୁବନେଶ୍ୱର: ବିଜେଡି ଇଣ୍ଡିମେଣ୍ଟ ମୁହାଁ । ଏହାକୁ ନେଇ ଚର୍ଚ୍ଚା ଜୋର । ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆରମ୍ଭରୁ କ୍ଷମତା ହାତେଇଥିବା ବିଜେଡି ପୁଣି କ୍ଷମତା ହାସଲ କରିବାକୁ କଂଗ୍ରେସ ସହ ସମ୍ପର୍କରେ ରହିଛି । ଖୁବ ଶୀଘ୍ର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଜେଡି ଶାସନର ଶେଷ ପାଳିରେ ସର୍ବମୟ କର୍ତ୍ତା ହୋଇଥିବା ଭି କାର୍ତ୍ତିକେୟନ ପାଣ୍ଡିଆନ ଦିଲ୍ଲୀ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାର ମୂଳଦୂଆ ପଡିଥିଲା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବୟାନ ପରଠାରୁ ।

ଦେବାଶିଷ କିଛି ଦିନ ତଳେ କହିଥିଲେ କି, ରାଜ୍ୟରେ ସରକାର ଗଠନ କରିବାକୁ କଂଗ୍ରେସ ସହ ମେଣ୍ଟ କରିବ ବିଜେଡି । ତାଙ୍କ ଏହି ବୟାନ ପରଠାରୁ ଇଣ୍ଡିମେଣ୍ଟ ମୁହାଁ ନବୀନ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି କି, ବିଜେପିକୁ କ୍ଷମତା ଚ୍ୟୁତ କରିବାକୁ ବିଜେଡି ଯେଉଁ ଇଣ୍ଡିଆ ମେଣ୍ଟକୁ ନା କରିଥିଲା, ଏବେ ସେହି ମେଣ୍ଟ ସହ ହାତ ମିଳାଇବାକୁ ଯାଉଛି । ଏଥିଲାଗି ନବୀନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରୁଛନ୍ତି ଟେଲିଫୋନ ଯୋଗେ ବୋଲି ବିଭିନ୍ନ ଗଣମାଧ୍ୟମରେ ବିଶାରଦମାନେ କହୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ମୁତାବକ, କ୍ଷମତାରୁ ଆରମ୍ଭ ହୋଇଥିବା ବିଜେଡିର ଯାତ୍ରା ଦୀର୍ଘ କାଳ ରହିଥିଲା । ତେଣୁ ବିଭିନ୍ନ ଦଳରୁ ବହୁ ନେତା ଯେତେବେଳେ ନାହିଁ ସେତେବେଳେ ଶଙ୍ଖ ଧରୁଥିଲେ । ସେମାନଙ୍କୁ ମଧ୍ୟ ସୁପ୍ରିମ ଅତି କମରେ ଥରଟିଏ କ୍ଷମତାର ସ୍ୱାଦ ଚଖାଉଥିଲେ । କିନ୍ତୁ ଏବେ କ୍ଷମତା ନାହିଁ । କ୍ଷମତାରୁ ବାହାର ହେବା ପରେ ବିଜେଡିରେ ଦେଖାଦେଇଛି ଅସନ୍ତୋଷ । ଯିଏ, ଯେତେବେଳେ, ଯେଉଁଠି ପାରୁଛି ବିଷୋଦଗାର କରୁଛନ୍ତି । ଏହାକୁ ଦେଖି କାଳେ ଛାନିଆ ହୋଇପଡିଛନ୍ତି ନବୀନ । ସ୍ଥିତି ଏମିତି ରହିଲେ ଜଣ ଜଣ କରି ସମସ୍ତେ ଦଳଛାଡି ବିଜେପି କି କଂଗ୍ରେସରେ ସାମିଲ ହୋଇଯିବେ ।

ତା ଉପରେ ପୁଣି ବାରମ୍ବାର ବିଜେପି ଧମକ ଦେଉଛି କି ବିଜେଡି ଖାଲି ହେଇଯିବ । ଏମିତି ଅବସ୍ଥାରେ ବିଜେଡିକୁ ବଞ୍ଚାଇ ରଖିବାକୁ କାଳେ ଦଳପତିଙ୍କୁ ପୁଣି ଥରେ ଦଳକୁ କ୍ଷମତାକୁ ଆଣିବାକୁ ପଡିବ । ସେପଟେ ଦେଶବ୍ୟାପୀ କଂଗ୍ରେସ ଏବେ ଭଲ ପ୍ରଦର୍ଶନ କରୁଛି । ଲୋକଙ୍କ ଆସ୍ଥାଭାଜନ ହେବାରେ ଲାଗିଲାଣି କଂଗ୍ରେସ ଓ ଇଣ୍ଡିମେଣ୍ଟ । ଆଉ ବିଜେପିର ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାରେ । ଦୁଇ ପଲଟୁରାମ ଚନ୍ଦ୍ରବାବୁ ନାଇଡୁ ଓ ନୀତିଶଙ୍କୁ ନେଇ କ୍ଷମତାକୁ ଆସିଥିବା ବିଜେପି ଏମାନଙ୍କ ଭିତରୁ କାହାର ମନ ବଦଳିଲେ ସରକାର ଭୁଶୁଡି ପଡିବ । ଫଳରେ ରାଜ୍ୟରେ ନ ହେଉ କିଛି ବିଧାୟକଙ୍କୁ ରାଜ୍ୟସଭାର ଧୋପ ଦେଇ ନବୀନ କିଛି କାଳ ସନ୍ତୁଷ୍ଟ କରିପାରିବେ ଇଣ୍ଡି ମେଣ୍ଟରେ ସାମିଲ ହୋଇ ବୋଲି ବରିଷ୍ଠ ସମୀକ୍ଷକ କହୁଛନ୍ତି । ଏଥିପାଇଁ କାଳେ ନବୀନ କଂଗ୍ରେସକୁ ଧରିଛନ୍ତି । ବିଜେଡି ସୁପ୍ରିମୋ ଫୋନରେ ସୋନିଆଙ୍କ ସହ ଆଲୋଚନା କରୁଛନ୍ତି । ଖୁବ ଅଳ୍ପ ଦିନ ଭିତରେ ପାଣ୍ଡିଆନ ଓ ବବି ଦାସ ଦିଲ୍ଲୀ ଯାତ୍ରା କରିବେ । ସେଠି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତଥା ଯୁବରାଜ ରାହୁଲ ଗାନ୍ଧୀଙ୍କୁ ଭେଟିବେ । ଉଭୟ ସେଠାରୁ ଆସିବା ପରେ ରାହୁଲ ଗାନ୍ଧୀ ଓଡିଶା ଆସି ନବୀନଙ୍କ ସହ ବିସ୍ତୃତ ଆଲୋଚନା କରିବେ ବୋଲି କୁହା ଯାଉଛି ।

ଆଉ ଏହି ଇଣ୍ଡିମୁହାଁ ବିଜେଡି ଚର୍ଚ୍ଚା ଭିତରେ ସାମ୍ନାକୁ ଆସୁଛି ରାଜ୍ୟ ନେତାଙ୍କ ବୟାନ । ବିଜେପି କହୁଛି ବିଜେଡିକୁ କଂଗ୍ରେସ ଚଳାଉଛି । ଯାହାକୁ ଖଣ୍ଡନ କରିଛି କଂଗ୍ରେସ । ଦଳ କହୁଛି, କଂଗ୍ରେସ ଏକ ବହୁ ପୁରାତନ ଓ ସବୁଠାରୁ ବଡ ଜାତୀୟ ଦଳ । ବିଜେଡି ଏକ ଆଞ୍ଚଳିକ ଦଳ । ବିଜେଡି କେମିତି କଂଗ୍ରେସକୁ ଚଳେଇ ପାରିବ । ହଁ କଂଗ୍ରେସ ଚାହିଁଲେ ବିଜେଡିକୁ ଚଳାଇ ନେବ । କଂଗ୍ରେସ ସମସ୍ତଙ୍କୁ ନେଇ ଚାଲିବା ଜାଣିଛି ଓ ବିଜେଡିକୁ ମଧ୍ୟ ସାଙ୍ଗରେ ନେଇପାରିବ, ଯଦି ବିଜେଡି ଇଛା କରିବ ।ହେଲେ ବିଜେଡି ପକ୍ଷରୁ ଏହି କଥାକୁ ଖଣ୍ଡନ କରିଛନ୍ତି ଘସିପୁରା ବିଧାୟକ ବଦ୍ରୀ ପାତ୍ର । ବିଜେଡି ଦୁଇ ଜାତୀୟ ଦଳଠାରୁ ସମଦୂରତା ରକ୍ଷା କରି ଆସିଛି । ଆଜି ମଧ୍ୟ ରାଜ୍ୟରେ ବିଜେଡି ସବୁଠାରୁ ଲୋକପ୍ରିୟ ଓ ବଡ ଦଳ । ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟାସତ୍ୟ ରହିଛି ତାହା ଖୁବ ଶୀଘ୍ର ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.