fbpx

ହରିଆଣା: ଗଣତିରେ କଂଗ୍ରେସ ପଛରେ, ଏଥିପାଇଁ ହାତ ଦଳିଆଙ୍କୁ ଦାୟୀ କଲେ ଅନିଲ ବିଜ

ଚଣ୍ଡିଗଡ: ହରିଆଣାର ଭୋଟ ଗଣତିର ଟ୍ରେଣ୍ଡ ଦେଖି ମନେ ହେଉଛି ଏକ୍ଜିଟ ପୋଲର ଆକଳନ ମିଛ ହେବାକୁ ଯାଉଛି । ଗଣନାର ଦୁଇ ଘଣ୍ଟା ପର୍ଯ୍ୟନ୍ତ ଆକଳନ ଅନୁଯାୟୀ ରେଜଲ୍ଟ ଆସିଥିବା ବେଳେ ଧୀରେ ଧୀରେ ପରିବର୍ତ୍ତନ ହୋଇଗଲା ଫଳାଫଳ । ସାଢେ ୧୨ଟା ସୁଦ୍ଧା ବିଜେପି ହରିଆଣାରେ ୪୮ ଆସନରେ ଆଗରେ ଥିବା ବେଳେ କଂଗ୍ରେସ ୩୫ ଆସନ ଓ ଅନ୍ୟାନ୍ୟ ୭ ଆସନରେ ଟ୍ରେଣ୍ଡ କରୁଛନ୍ତି । ଘରବାହୁଡା ପୋଲ ରେଜଲ୍ଟକୁ ନେଇ ଉତ୍ସାହିତ ଥିବା କଂଗ୍ରେସ ପଛରେ ପଡିବା ପରେ ବିଜେପିର ବରିଷ୍ଠ ନେତା ତଥା ଅମ୍ବାଲା କୈଣ୍ଟର ପ୍ରାର୍ଥୀ ଅନିଲ ବିଜ ଏହାର କାରଣ କହିଛନ୍ତି ।

ବିଜ କହିଛନ୍ତି କି, କଂଗ୍ରେସ ଭିତରେ ଅନ୍ତର୍କନ୍ଦଳ ରହିଛି । ପରସ୍ପର ବିରୋଧରେ ଦଳର ନେତା ହିଁ ଘାତକ ସାଜିଛନ୍ତି । ଟିକେଟରୁ ବାଦ ପଡିଥିବା ପ୍ରାର୍ଥୀ ନିଜ ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ ଷଡଯନ୍ତ୍ର କରିଛନ୍ତି । ଆଉ କିଛି ସ୍ୱାଧୀନଭାବେ ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ଫଳରେ କଂଗ୍ରେସ ଭୋଟ ବାଣ୍ଟିହୋଇଗଲା, ଯେତେବେଳେ କି ବିଜେପି ଏକଜୁଟ ହୋଇ ଲଢୁଛି । ବିଜେପି ଭିତରେ କୌଣସି ଅନ୍ତର୍କନ୍ଦଳ ନାହିଁ ।

ସେପଟେ କଂଗ୍ରେସର ବରିଷ୍ଠ ନେତା ଭୁପେନ୍ଦ୍ର ସିଂହ ହୁଡ୍ଡା କହିଛନ୍ତି କି, ତାଙ୍କ ଦଳ ନିଜ ଶକ୍ତି ଆଧାରରେ ସରକାର ଗଢିବାକୁ ଯାଉଛି । କଂଗ୍ରେସକୁ ବହୁମତ ମିଳିବ ବୋଲି ହୁଡ୍ଡା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ତେବେ ସରକାର ଗଢିବାକୁ କାହାର ସମର୍ଥନ ଆବଶ୍ୟକ ହେବ ବୋଲି ପଚାରିବାରୁ ହୁଡ୍ଡା ପୂର୍ବ ବୟାନକୁ ଦୋହରାଇ କହିଛନ୍ତି, କଂଗ୍ରେସ ନିଜ ଦମରେ ସରକାର ଗଢିବ ଓ ଏହାର ଶ୍ରେୟ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀଙ୍କୁ ଯିବ । ପରେ ଏଥିରେ ହରିଆଣାର ଜନତାଙ୍କୁ ମଧ୍ୟ ହୁଡ୍ଡା ଶ୍ରେୟ ଦେଇଛନ୍ତି ।

ତେବେ ପୂର୍ଣ୍ଣ ଫଳାଫଳ ବାହାରିବା ପରେ ହିଁ ସ୍ପଷ୍ଟ ହେବ କି, ବାସ୍ତବରେ କାହା ଖାତାକୁ କେତେ ଆସନ ଯାଇଛି । କିଏ ଏକାକୀ ସରକାର ଗଢିବାକୁ ସମର୍ଥ ହେଉଛି ନା ଅନ୍ୟର ସହଯୋଗ ଲୋଡୁଛି?

Get real time updates directly on you device, subscribe now.