fbpx

ବର୍ଷାରେ ଭିଜିବ କୁମାର ପୂର୍ଣ୍ଣିମା, ୭ ଦିନ ମଧ୍ୟରେ ଆସୁଛି ଦୁଇଟି ଲଘୁଚାପ: ୪୮ ଘଣ୍ଟା ପାଇଁ ଏହିସବୁ ଜିଲ୍ଲାକୁ ସତର୍କବାଣୀ

ଭୁବନେଶ୍ବର: ଆସନ୍ତା ୭ ଦିନ ମଧ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବ। ପ୍ରଥମଟି ଆଜି ସନ୍ଧ୍ୟାରେ କେନ୍ଦ୍ରୀୟ-ପୂର୍ବ ଆରବସାଗରରେ ଉତ୍ତର କର୍ଣ୍ଣାଟକ ଉପକୂଳଠାରୁ କିଛି ଦୂରରେ ରହିଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬ ତାରିଖରେ ୟେମେନ୍ ସଂଲଗ୍ନ ଓମାନ ଉପକୂଳ ସ୍ପର୍ଶ କରିବ। ଏହାର ପ୍ରଭାବ ଭାରତ ଉପରେ ପଡ଼ିବନାହିଁ।

ଦ୍ବିତୀୟଟି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଶ୍ରୀଲଙ୍କା ନିକଟରେ ଶୁକ୍ରବାର ସୃଷ୍ଟି ହେବ। ଏହା ଉତ୍ତରମୁହାଁ ହୋଇ ଘନୀଭୂତ ହେବ। ୧୪ରୁ ପଶ୍ଚିମମୁହାଁ ହୋଇ ଅଧିକ ଘନୀଭୂତ (ଗଭୀର ଅବପାତ ତଥା ଅଧିକ) ହୋଇ ୧୫ରେ ତାଲିମନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ସ୍ପର୍ଶ କରିବ। ଏହା ପ୍ରାୟତଃ ପଶ୍ଚିମ ଦିଗରେ ଗତି କରି ୧୭ ତାରିଖରେ ଉତ୍ତର କର୍ଣ୍ଣାଟକ/ଗୋଆ ନିକଟରେ ଆରବସାଗରରେ ପହଞ୍ଚିବ। ଏହାପରେ ଉତ୍ତର-ପଶ୍ଚିମ-ଉତ୍ତର ଦିଗରେ ଗତି କରି ମହାରାଷ୍ଟ୍ର ଉପକୂଳରୁ ଦୂରେଇବ। ଏହାର ପରବର୍ତ୍ତୀ ଅବସ୍ଥା ବର୍ତ୍ତମାନ କହିବା କଷ୍ଟକର ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ସେ ଆହୁରି ଆକଳନ କରିଛନ୍ତି ଯେ ଏହି ଦୁଇ ଲଘୁଚାପ ଦ୍ବାରା ଦକ୍ଷିଣ ଭାରତର ଆଭ୍ୟନ୍ତରୀଣ ଓ ଉଭୟ ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ତେବେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କୁମାର ପୂର୍ଣ୍ଣିମା ବେଳକୁ ବର୍ଷା ହୋଇପାରେ। ୧୫ ତାରିଖରୁ ଦକ୍ଷିଣ ଉପକୂଳରେ ବର୍ଷା ଆରମ୍ଭ ହେବ। ୧୫ରୁ ୧୮ ତାରିଖ ମଧ୍ୟରେ ଗଞ୍ଜାମରୁ ପୁରୀ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ମଧ୍ୟମଧରଣର ବର୍ଷା ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୬ରୁ ୧୮ ତାରିଖ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଏବଂ ୧୭ ଓ ୧୮ ତାରିଖରେ ଉତ୍ତର ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ବଙ୍ଗୋପସାଗର ମଧ୍ୟରେ ଏକ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହି ବାୟୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ସଂସ୍ପର୍ଶରେ ଆସି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା କରାଇବ। ଶୁକ୍ରବାର ସକାଳ ସୁଦ୍ଧା ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବର୍ଷା ହୋଇପାରେ। ପରବର୍ତ୍ତୀ ୪୮ ଘଣ୍ଟାରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.