fbpx

ଆଉ ଶିକ୍ଷକ ପିନ୍ଧିପାରିବେନି ଜିନ୍ସ, ନହେଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ପାଟନା: ଏଣିକି ସ୍କୁଲକୁ ଆଉ ଶିକ୍ଷକ ଜିନ୍ସ ଓ ଟି ସର୍ଟ ପିନ୍ଧି ଆସିପାରିବେ ନାହିଁ । ସରକାରୀ ଶିକ୍ଷକଙ୍କ ପାଇଁ ଲାଗୁ ହେଲା ଆଇନ କଡା । ଆଗରୁ ଏହି ନିୟମ ଥିବା ବେଳେ ଏହାର ପାଳନ ହେଉନଥିଲା । ଏବେ ଏହି ଆଇନକୁ କଡା କରିଛନ୍ତି ସରକାର । ନିୟମ ନ ମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏମିତି କରିବାର କାରଣ, ଅନେକ ଶିକ୍ଷକ ସ୍କୁଲରେ ରିଲ ତିଆରିରେ ମାତିଛନ୍ତି । ରିଲ କରି ତାକୁ ସୋସିଆଲ ମିଡିଆରେ ଛାଡୁଛନ୍ତି, ଯାହାର ଖରାପ ପ୍ରଭାବ ପିଲାଙ୍କ ଉପରେ ପଡୁଛି ।

ଏନେଇ ଶିକ୍ଷା ବିଭାଗ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି ଜାରିକରିଛନ୍ତି । ଜଣେ ଅଧିକାରୀ ଏହା ଉପରେ କହିଛନ୍ତି କି, କିଛି ସ୍କୁଲରେ ଡିଜେ, ଡ୍ୟାନ୍ସ ଓ ଅନ୍ୟାନ୍ୟ ନିୟମ ବହିର୍ଭୂତ କାମ ହେଉଛି, ଯାହା ଶୈକ୍ଷିକ ପରିବେଶକୁ ନଷ୍ଟ କରୁଛି । ତେଣୁ ଏମିତି ପଦକ୍ଷେପ ନିଆଯାଇଛି । ତେବେ ଏହାକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ଆସୁଛି ସାମ୍ନାକୁ । ଅନେକ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଏହା ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅନୁଶାସନ ଶିଖେଇବ ବୋଲି କହୁଛନ୍ତି ।

ସ୍କୁଲରେ ଶିକ୍ଷକ ହୁଅନ୍ତୁ ବା ଛାତ୍ରଛାତ୍ରୀ, ରିଲ୍ସ କରିବା ଅସ୍ୱୀକାର୍ଯ୍ୟ । ମୋବାଇଲର ବ୍ୟବହାର ଉଚିତ ମାର୍ଗରେ ହେବାର ଆବଶ୍ୟକତା ରହିଛି, ଏମିତି ପିଲାଙ୍କୁ ପଥଭ୍ରଷ୍ଟ କରିବାକୁ ନୁହେଁ । ସେହିପରି ଶିକ୍ଷକମାନେ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି । ପୂର୍ବରୁ ଧୋତି ଓ ପାଇଜାମା ପିନ୍ଧି ଶିକ୍ଷକ ସ୍କୁଲକୁ ଆସୁଥିଲେ । କାଳକ୍ରମେ ଜିନ୍ସର ପ୍ରଚଳନ ପାଇଁ ଶିକ୍ଷକମାନେ ଜିନ୍ସ ପିନ୍ଧିଲେ । ଯଦି ନିୟମ ହୋଇଛି ତେବେ ସମସ୍ତେ ପାଳନ କରିବେ ବୋଲି ଶିକ୍ଷକଙ୍କ ପକ୍ଷରୁ କୁହାଯାଇଛି ।

ତେବେ ଏହି ନିୟମଟି ବିହାର ସରକାର ଦ୍ୱାରା ତାଙ୍କ ରାଜ୍ୟରେ ଲାଗୁ କରାଯାଇଛି । ଦେଖିବାକୁ ରହିଲା ଏହି ନିୟମକୁ କେତେଦିନ ଓ କେତେଜଣ ଗ୍ରହଣ କରୁଛନ୍ତି?

Get real time updates directly on you device, subscribe now.