ଜଳୁଛି ବହରାଇଚ, ଦୁର୍ଗା ବିସର୍ଜନ ବେଳେ ପଥରମାଡରୁ ହିଂସା ସୃଷ୍ଟି, ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ

ବହରାଇଚ: ଅଶାନ୍ତ ୟୁପିର ବହରାଇଚ ଜିଲ୍ଲାର ହରଦି । ରବିବାର ଦୁର୍ଗାମୂର୍ତ୍ତି ବିସର୍ଜନ ଅବସରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ବଢିଛି ଉତ୍ତେଜନା । ବିସର୍ଜନ ଶୋଭାଯାତ୍ରାରେ ଡିଜେ ବଜାଇବାକୁ ନେଇ ଦେଖାଦେଇଥିଲା ବିବାଦ । ମାମଲାରେ ଅଭିଯୁକ୍ତଙ୍କ ଗିରଫଦାରୀ ଦାବି ନେଇ ସମୋବାର ମହାରାଜଗଞ୍ଜ ବଜାରରେ ପୁଣି ହିଂସା ଦେଖାଦେଇଛି । ଫଳରେ ପୋଲିସ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି ।

ବିସର୍ଜନ ବେଳେ ହୋଇଥିବା ଗୁଳିକାଣ୍ଡର ଅପରାଧୀକୁ ଗିରଫ କରିବା ଦାବିରେ ଲୋକେ ମହାରାଜଗଞ୍ଜ ବଜାରରେ ଭଙ୍ଗାରୁଜା ଓ ପୋଡା ଜଳା କରିବା ପରେ ପ୍ରଶାସନ ସ୍ଥିତିର ଭୟାବହତାକୁ ଦେଖି ଆଗୁଆ ପଦକ୍ଷେପ ନେଇଛି । ରାତିରେ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ଜିଲ୍ଲାର ଇଣ୍ଟରନେଟ ସେବା ବନ୍ଦ କରି ଦେଇଛି ।

ବଜାରରେ ସାତ କମ୍ପାନୀ ପିଏସି ନିୟୋଜିତ ହୋଇଛନ୍ତି । ପ୍ରଦର୍ଶନକାରୀଙ୍କୁ କାବୁ କରିବାକୁ ପୋଲିସକୁ ଲୁହ ବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିବା ଦସହ ଲାଠିଚାର୍ଜ କରିବାକୁ ପଡିଥି । ଏହା ପରେ ବଜାରରୁ ପ୍ରଦର୍ଶନକାରୀ ଛତ୍ରଭଙ୍ଗ ଦେଇଥିଲେ । ହିଂସାରେ ମହାରାଜଗଞ୍ଜରେ ଥିବା ହିରୋ ମୋଟରସାଇକେଲ ସୋରୁମକୁ ପ୍ରଦର୍ଶନକାରୀ ନିଆଁ ଲଗାଇଦେଇଥିଲେ । ବିଭିନ୍ନ ସ୍ଥାନରେ ଲୋକଙ୍କୁ ଅଟକାଇ ସେମାନଙ୍କ ଉପରେ ଆକ୍ରମଣର ଖବର ଆସୁଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିଂସା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । ସୋମବାର ସକାଳୁ ଡିଜିପିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ସ୍ଥିତିର ବିବରଣୀ ସଂଗ୍ରହ କରିଛନ୍ତି । ସ୍ଥିତିର ଆବଶ୍ୟକତାକୁ ଦେଖି ବହରାଇଚକୁ ବାହାରର ପୋଲିସକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ଏପରି ସାମ୍ପ୍ରଦାୟିକ ହିଂସାର ସୂତ୍ରପାତ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ଯୋଗୀ ଆଦିତ୍ୟନାଥ ।
ଶୋଭାଯାତ୍ରା ଉପରକୁ ପଥର ମାଡ ପରେ ଫାୟାରିଂ ହୋଇଥିଲା ଓ ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ପରେ ଲୋକେ ରାସ୍ତାରେ ନିଆଁ ଜାଳିବା ସହ ଭଙ୍ଗାରୁଜା ଓ ଜଳାପୋଡା କରିଥିଲେ ।

Get real time updates directly on you device, subscribe now.