ଜଳ ସଂରକ୍ଷଣରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା: ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ସାରା ଦେଶରେ ଚମକିଛି ଓଡ଼ିଶା । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ତରଫରୁ ପଞ୍ଚମ ଜାତୀୟ ଜଳ ପୁରସ୍କାର-୨୦୨୩ ଘୋଷଣା କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଓଡ଼ିଶାକୁ ଏଥିରେ ସାରା ଦେଶରେ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି । ଜଳ ସଂରକ୍ଷଣ ଦିଗରେ ବ୍ୟାପକ କାର୍ଯ୍ୟ କରୁଥିବା କାରଣରୁ ଓଡ଼ିଶାକୁ ପ୍ରଥମ ପୁରସ୍କାର ମିଳିଛି । ସେହିପରି ବଲାଙ୍ଗିରକୁ ଶ୍ରେଷ୍ଠ ଜିଲ୍ଲା, ପୁରୀକୁ ଶ୍ରେଷ୍ଠ ସହରାଞ୍ଚଳ ସଂସ୍ଥା ଓ ମୟୂରଭଞ୍ଜର ଖଇରବଣି ଆଶ୍ରମ ସ୍କୁଲକୁ ଶ୍ରେଷ୍ଠ ସ୍କୁଲ ଭାବେ ମନୋନୀତ କରାଯାଇଛି । ଏହି ୪ଟି ବର୍ଗରେ ଓଡ଼ିଶା ଜାତୀୟ ଜଳ ପୁରସ୍କାର ପାଇବ ।

ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଜଳ ସଂରକ୍ଷଣ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରି ସାରା ଦେଶରେ ସଫଳତା ହାସଲ କରିଛି । ରାଜ୍ୟରେ ୫୩ ହଜାର ଜଳ ସଂରକ୍ଷଣ ଓ ବର୍ଷା ଜଳ ଅମଳ ପ୍ରକଳ୍ପ, ୧୧ ହଜାର ଜଳାଶ୍ରୟରେ ପ୍ରାୟ ୧୦,୮୦୦ଟି ଜଳ ଅମଳ ଭିତ୍ତିଭୂମି, ୬୮,୭୦୦ ଜଳ ବିକାଶ ପ୍ରକଳ୍ପ, ୨୧ ହଜାର ବର୍ଜ୍ୟଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହୋଇଛି । ଏଥିସହିତ ୧୮ ହଜାର କିମି ଡ୍ରେନେଜ ଚ୍ୟାନେଲ ନିର୍ମାଣ କରାଯିବା ସହ ୩୯ ହଜାର ହେକ୍ଟର ଚାଷଜମିକୁ ଜଳବନ୍ଦୀରୁ ଉଦ୍ଧାର କରାଯାଇଛି । ୯୦ ହଜାର ୯ ଶହ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ଅଞ୍ଚଳରେ ପରିଣତ କରାଯାଇଛି । ରାଜ୍ୟରେ କ୍ଷୁଦ୍ର ଜଳସେଚନ ଓ ଚେକଡ୍ୟାମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା କାର୍ଯ୍ୟକ୍ଷମ ହେଉଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଓଡ଼ିଶାକୁ ଅନେକ ଥର ଜାତୀୟ ଜଳ ପୁରସ୍କାର ମିଳିଥିଲା ।

Get real time updates directly on you device, subscribe now.