ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମର ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓମର ଅବଦୁଲ୍ଲା । ଏହି ଶପଥ ଗ୍ରହଣ ଉତ୍ସବରେ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମେଣ୍ଟର ଅନେକ ବରିଷ୍ଠ ନେତା ଯୋଗଦେଇଥିଲେ । ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଓମରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ନ୍ୟାସନାଲ କନଫରେନ୍ସ (ଏନସି)ର ଉପସଭାପତି ଅମର ମୁଖ୍ୟମନ୍ତ୍ରୀ ଭାବେ ଏବେ ଜମ୍ମୁ କଶ୍ମୀରରେ ଆଜିଠାରୁ ନୂଆ ଇନିଂସ ଆରମ୍ଭ କରିବେ ।

୧୦ ବର୍ଷ ପରେ ଓମର ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମାରୋହରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟିର ପ୍ରମୁଖ ନେତା ଅଖିଲେଶ ଯାଦବଙ୍କ ସମେତ ଇଣ୍ଡିଆ ମେଣ୍ଟର ଅନେକ ଟପ୍ ନେତା ସାମିଲ ହୋଇଥିଲେ । ଏହି ଅବସରରେ ଜମ୍ମୁ କଶ୍ମୀରରେ ନୂଆ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ପାଠ କରିଥିଲେ । ଏହି କ୍ୟାବିନେଟରେ ସାମିଲ ନ ହେବା ନେଇ ପୂର୍ବରୁ କଂଗ୍ରେସ ସ୍ପଷ୍ଟ କରିସାରିଥିଲା । ଶେର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରେ ଏହି ସମାରୋହ ଆୟୋଜିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ୧୦ ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ଏଥିରେ ବହୁମତ ହାସଲ କରିଥିଲା । ମୋଟ ୯୦ଟି ଆସନ ମଧ୍ୟରୁ ଏନସିକୁ ୪୨ଟି, କଂଗ୍ରେସକୁ ୬ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ଟି ଆସନ ମିଳିଥିଲା । ଏହି ନିର୍ବାଚନରେ ମେହବୁବା ମୁଫତୀଙ୍କ ପିଡିପି ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା ।

Get real time updates directly on you device, subscribe now.