ହାର୍ଦ୍ଦିକ-ଋଷଭ ନା ଗିଲ୍… କିଏ ହେବେ ଟିମ ଇଣ୍ଡିଆର Future Captain? ବଡ଼ ସଂକେତ ଦେଉଛି BCCI

ଓଡ଼ିଶା ଭାସ୍କର: ଭାରତୀୟ କ୍ରିକେଟ ଦଳର କୋଚ୍ ଭାବରେ ନିଯୁକ୍ତି ପାଇବା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଗୌତମ ଗମ୍ଭୀର । ହାର୍ଦ୍ଦିକଙ୍କୁ ଅଣଦେଖା କରି ଟି-୨୦ ଦଳର ଅଧିନାୟକ ଭାବରେ ଗମ୍ଭୀର ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ କରିଛନ୍ତି । ଏହାବ୍ୟତୀତ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଶୁଭମନ ଗିଲ୍ ଦଳର ଉପ-ଅଧିନାୟକ ପଦ ପାଇଥିଲେ । ଯାହା ସମସ୍ତଙ୍କୁ ଚକିତ କରିଥିଲା । ଏହାପରେ ଗମ୍ଭୀର-ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଅନେକ ଆଲୋଚନା ହେଉଛି । ତେବେ ଶ୍ରୀଲଙ୍କା ବିପକ୍ଷ ସିରିଜ ପରେ ଗିଲ୍ ଟି-୨୦ ସିରିଜରେ ସୁଯୋଗ ପାଇ ନାହାନ୍ତି । ତେଣୁ ଆଗକୁ ଭାରତର ଭବିଷ୍ୟତ ଅଧିନାୟକ କିଏ ହେବେ, ସେ ନେଇ ଚର୍ଚ୍ଚା ଜୋର ଧରିଛି ।

ଟିମ ଇଣ୍ଡିଆରେ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବା ପାଇଁ ୩ ଜଣ ଖେଳାଳି ତାଲିକାର ଖୁବ ଆଗରେ ରହିଛନ୍ତି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ୍ ଏବଂ ଋଷଭ ପନ୍ତ ଏହି ଦାୟିତ୍ୱ ନେବା ପାଇଁ ଫିଟ ରହିଛନ୍ତି । ତେବେ ୩ ଜଣଙ୍କ ମଧ୍ୟରୁ କାହାକୁ ବାଛିବ ବିସିସିଆଇ? ଗତ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ପଦରେ ନିୟୋଜିତ କରି ବଡ଼ ସଂକେତ ଦେଇଥିଲା ଚୟନ କମିଟି । ଶୁଭମନ ଗିଲ୍ ହିଁ ଆଗକୁ ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କରିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା । କିନ୍ତୁ ଏହାପରେ ସେ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି । କିନ୍ତୁ ଏହି ସିରିଜ ପାଇଁ ଉପ-ଅଧିନାୟକ ପଦରେ ଅନ୍ୟ କୌଣସି ଖେଳାଳିଙ୍କୁ ନିଯୁକ୍ତ କରାଯାଇ ନାହିଁ । ପୂର୍ବ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ସାମିଲ ଥିଲେ ମଧ୍ୟ ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିନାହିଁ ବିସିସିଆଇ । ତେଣୁ ଶୁଭମନ ଗିଲ୍ ହିଁ ଆଗକୁ ଦଳର ଉତ୍ତରାଧିକାରୀ ଭାବରେ ନେତୃତ୍ବ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ସେପଟେ ଋଷଭ ପନ୍ତ ଜଣେ ଭଲ ବିକଳ୍ପ ରହିଥିଲେ ମଧ୍ୟ ତାଙ୍କୁ କୌଣସି ସିରିଜ ପାଇଁ ଅଧିନାୟକ ବା ଉପ-ଅଧିନାୟକ ପଦରେ ନିଯୁକ୍ତି ମିଳିନାହିଁ । ତେଣୁ ଋଷଭ ପନ୍ତ ଜଣେ ବିକଳ୍ପ ଅଧିନାୟକ ବା ତୃତୀୟ/ଚତୁର୍ଥ ବିକଳ୍ପ ଭାବରେ ଦଳରେ ସାମିଲ ହୋଇପାରନ୍ତି । ବର୍ତ୍ତମାନ ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ରୋହିତ ଶର୍ମା ନେତୃତ୍ୱ ନେଉଥିବା ବେଳେ ଟି-୨୦ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ରହିଛନ୍ତି । ତେବେ ଆଗକୁ ଦଳରେ ଏକ ବିରାଟ ପରିବର୍ତ୍ତନ ହେବା ନେଇ ଅନୁମାନ କରାଯାଉଛି ।

Get real time updates directly on you device, subscribe now.