ଏକ ଅସହ୍ୟ ଦୁଃଖ କାହାଣୀ! ୧୦ ବର୍ଷୀୟ ବାଳକ ଶରୀରରେ ଗୋଟିଏ କିଡନୀ, ଦୁଇଟି ଗୁପ୍ତାଙ୍ଗ, ଚିକିତ୍ସା ପାଇଁ ଅର୍ଥ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ । ଜଣଙ୍କ ପାଖରେ ଟଙ୍କା, ପଇସା ନଥିଲେ ବି ଯଦି ସ୍ୱାସ୍ଥ୍ୟ ଭଲ ରହୁଥିବ ତେବେ ସେ ସବୁବେଳେ ଖୁସିରେ ରହିପାରିବ । ମାତ୍ର ଯେତେ ଟଙ୍କା ଥିଲେ ବି ରୋଗବ୍ୟାଧିରେ ବାରମ୍ବାର ପୀଡ଼ିତ ହେଉଥିଲେ ମଣିଷ କେବେ ବି ଶାନ୍ତିରେ ରହିପାରିବ ନାହିଁ । ଅନେକ ସମୟରେ କିଛି ଶିଶୁ ଜନ୍ମରୁ ଏକାଧିକ ବ୍ୟାଧିରେ ପୀଡ଼ିତ ହୋଇଥାନ୍ତି । ଅନୁରୂପ ଭାବେ ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାବ ଜିଲ୍ଲା ପୋଲସରାରେ । ଗୋଟିଏ ୧୦ ବର୍ଷୀୟ ବାଳକର ଦୁଃଖର କାହାଣୀ ଶୁଣିଲେ ସତେ ଯେମିତି ଆଖିରୁ ଲୁହ ଝରିଯିବ ।

ପୁଅ ଜନ୍ମହେବା ପରେ ବାପା-ମାଆ ଖୁସି ହୋଇଯାଇଥିଲେ । ଆଉ ତାକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ । ତେବେ ପୁତ୍ର ସନ୍ତାନର ଜନ୍ମ ପରେ ତାକୁ ନେଇ ପିତାମାତା ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ । କାରଣ ପିଲାଟିର ଦୁଇଟି ଗୁପ୍ତାଙ୍ଗ ରହିଥିବା ନେଇ ଡାକ୍ତର ରିପୋର୍ଟ ଦେଇଥିଲେ । ଦୁଇଟି ଗୁପ୍ତାଙ୍ଗକୁ ନେଇ ପିତାମାତା ଚିନ୍ତିତ ରହିଥିବା ବେଳେ ତା’ର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ତେବେ ବାଳକଟିକୁ ୪ ବର୍ଷ ବୟସ ହୋଇଥିବା ବେଳେ ୨୦୧୭ରେ ପିତାମାତା ତାକୁ ଭେଲୋର ନେଇ ସେଠାରେ ଚେକ୍ ଅପ୍ କରାଇଥିଲେ । ମାତ୍ର ସେଠାରେ ତା’ ଶରୀରରେ ଗୋଟିଏ କିଡନୀ ଥିବା ଡାକ୍ତର କହିଥିଲେ । ୨୦୨୨ରେ ପୁଣି ଚେକ୍ ଅପ୍ କରିବା ପରେ ପିଲାଟିର ପରିସ୍ରା କିଡନରୁ ବ୍ଲାଡରକୁ ନଯାଇ ସିଧା ପରିସ୍ରା ହେଉଥିବା ଜଣାପଡ଼ିଥିଲା । ପିଲାଟିର ବ୍ଲାଡରର ଆକାର ସାଧାରଣ ବ୍ଲାଡରଠାରୁ ଛୋଟ ଥିବା ଜଣାପଡ଼ିଥିଲା ।

ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଏଇ ନିରୀହ ପିଲାଟିକୁ ଈଶ୍ୱର କାହିଁକ ଏତେ ଦୁଃଖ ଦେଉଛନ୍ତି? ଗୋଟିଏ ପଟେ ପିଲାଟି ଭବିଷ୍ୟତରେ ଆର୍ମି ଅଫିସର ହେବାକୁ ସ୍ୱପ୍ନ ଦେଖିଥିବା ବେଳେ ପିତାମାତା ପୁଅର ଚିକିତ୍ସା କରିବା ପାଇଁ ଧାର କରଜ କରି କରି ଥକି ପଡ଼ିଲେଣି । ବର୍ତ୍ତମାନ ସୁଦ୍ଧା ୧୦ଟି ଅପରେସନ ସରିଥିବା ବେଳେ ଆଗକୁ ଆହୁରି ୪ଟି ଅପରେସନ ହେବ ବୋଲି ଡାକ୍ତର କହିଛନ୍ତି । ତେଣୁ ଏଭଳି ସ୍ଥିତିରେ ନିଜର ସନ୍ତାନର ସୁସ୍ଥ ଜୀବନ ପାଇଁ ପିତାମାତା କେବଳ ଉପରବାଲା ଉପରେ ଭରସା କରି ରହିଛନ୍ତି ।

Get real time updates directly on you device, subscribe now.