Police Encounter ପାଇଁ ଆସିଲା ଗାଇଡଲାଇନ୍: କରିବାକୁ ପଡ଼ିବ ଏହି କାମ, ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୋଲିସ ଏନକାଉଣ୍ଟର ମାମଲାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିଛି । ବିଶେଷ କରି ଉତ୍ତରପ୍ରଦେଶରେ ହେଉଥିବା ଏହାକୁ ନେଇ ଖୁବ ଚର୍ଚ୍ଚା ହେବା ସହ ପ୍ରଶନ ଘେରରେ ରହିଛି ପୋଲିସର ଏନକାଉଣ୍ଟର । ତେଣୁ ପୋଲିସର ଏନକାଉଣ୍ଟର ନିଷ୍ପତ୍ତିକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଉତ୍ତରପ୍ରଦେଶ ସରକାର । ଡିଜିପିଙ୍କ ତରଫରୁ ଏନକାଉଣ୍ଟର ପାଇଁ ଜାରି ହୋଇଛି ଗାଇଡଲାଇନ୍ । ଜଣେ ଅପରାଧୀର ମୃତ୍ୟୁ କିମ୍ବା ଆହତ ହେଲେ, ଶୁଟ ଆଉଟ ସ୍ଥାନର ଭିଡିଓଗ୍ରାଫି କରିବାକୁ ହେବ ବୋଲି ଗାଇଡଲାଇନ୍ ରେ କୁହାଯାଇଛି । ଯଦି ଏନକାଉଣ୍ଟରରେ ଅପରାଧୀର ମୃତ୍ୟୁ ହେଉଛି, ତେବେ ୨ ଜଣ ଡାକ୍ତର ପ୍ୟାନେଲ ମୃତଦେହ ବ୍ୟବଚ୍ଛେଦ କରିବେ ଏବଂ ଏହାର ମଧ୍ୟ ଭିଡିଓଗ୍ରାଫି କରାଯିବ । ସେହିପରି ଶୁଟଆଉଟ ସ୍ଥାନରେ ଫରେନ୍ସିକ ଟିମ୍ ମଧ୍ୟ ନୀରିକ୍ଷଣ କରିବେ ବୋଲି ଗାଇଡଲାଇନ ଜାରି ହୋଇଛି ।

ଏନକାଉଣ୍ଟର ମାମଲାକୁ ନେଇ ଡିଜିପି କହିଛନ୍ତି ଯେ, ଶୁଟ ଆଉଟ ହୋଇଥିବା ଅଞ୍ଚଳର ଥାନା ପୋଲିସ ଏହାର ଯାଞ୍ଚ କରିପାରିବ ନାହିଁ । ଅନ୍ୟ କୌଣସି ସ୍ଥାନର ପୋଲିସ କିମ୍ବା କ୍ରାଇମବ୍ରାଞ୍ଚକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯିବ । ଏନକାଉଣ୍ଟରରେ ସାମିଲ ଅଫିସରମାନଙ୍କ ଉପରିସ୍ଥ ଅଧିକାରୀ ହିଁ ଏହାର ଯାଞ୍ଚ କରିବେ । ଜିଲ୍ଲାର ସମସ୍ତ ପୋଲିସ କ୍ୟାପଟେନଙ୍କୁ ଏ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ଡିଜିପି ।

ଏହାବ୍ୟତୀତ ଏନକାଉଣ୍ଟର ପରେ ଅପରାଧୀଙ୍କ ପରିବାରକୁ ତୁରନ୍ତ ଏ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ ବୋଲି ଡିଜିପି ଗାଇଡଲାଇନରେ କହିଛନ୍ତି । ସେହିପରି ଏନକାଉଣ୍ଟରରେ ବ୍ୟବହାର ହୋଇଥିବା ହତିଆର/ଅସ୍ତ୍ରକୁ ଯାଞ୍ଚ କରିବା ପାଇଁ ସରେଣ୍ଡର କରିବାକୁ ହେବ । ତେବେ ଅପରାଧୀ ସାମାନ୍ୟ ଆହତ କିମ୍ବା ଗମ୍ଭୀର ଆହତ ହୋଇଥିଲେ, ତାଙ୍କର ହ୍ୟଣ୍ଡୱାଶ ଏବଂ ଅପରାଧୀ ନିକଟରୁ ଜବତ ହୋଇଥିବା ଅସ୍ତ୍ରର ବାଲାଷ୍ଟିକ ପରୀକ୍ଷଣ କରାଯିବ ବୋଲି ଗାଇଡଲାଇନରେ କୁହାଯାଇଛି ।

ସୂଚନା ଥାଉ କି, ନିକଟରେ ସୁଲତାନପୁରରେ ହୋଇଥିବା ମଙ୍ଗେଶ ଯାଦବର ଏନକାଉଣ୍ଟର ମାମଲାକୁ ନେଇ ସମାଜବାଦୀ ପାର୍ଟି ସମେତ ବିପକ୍ଷ ଦଳ ମଧ୍ୟ ମୁଖ୍ୟ ପ୍ରସଙ୍ଗ କରିଛନ୍ତି । ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଏହାକୁ ଫର୍ଜି ଏନକାଉଣ୍ଟର ବୋଲି ଦାବି କରିବା ସହ ପୋଲିସ ମଙ୍ଗେଶକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାକୁ ପିଡିଏ ସହ ଯୋଡ଼ିବା ସହ ଉଦ୍ଦେଶ୍ୟମୂଳକ ଭାବରେ ଏନକାଉଣ୍ଟର କରୁଥିବା ଅଭିଯୋଗ ଆଣିଛନ୍ତି ଅଖିଳେଶ ଯାଦବ । ତେବେ ଏହି ଅଭିଯୋଗ ପରେ ପୋଲିସ ଏହାର ଉତ୍ତର ରଖିସାରିଛି ।

Get real time updates directly on you device, subscribe now.