ବାତ୍ୟା ପାଇଁ ବଡ଼ ନିଷ୍ପତ୍ତି: ଅକ୍ଟୋବର ୨୩ ଓ ୨୫ରେ ହେବାକୁ ଥିବା ATO ପଦର ସାର୍ଟିଫିକେଟ ଭେରିଫିକେସନ ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଏବେ ସାରା ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି । ତେଣୁ ବାତ୍ୟାର ସଫଳ ମୁକାବିଲା କରିବା ଓ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଆସନ୍ତାକାଲି ରାତି ୧୧.୩୦ରୁ ସକାଳ ସମୟରେ ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି । ତେବେ ବାତ୍ୟା ପାଇଁ ରାଜ୍ୟ ସରକାର ସ୍କୁଲ, କଲେଜ ଛୁଟି ଘୋଷଣା କରିବା ସହ ସମସ୍ତ ସରକାରୀ ଅଧିକାରୀଙ୍କର ଛୁଟି ବାତିଲ କରିଦେଇଥିଲେ ।

ଏହା ମଧ୍ୟରେ ବାତ୍ୟା ପାଇଁ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ) (ଡିପ୍ଲୋମା/ଡିଗ୍ରୀ) ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୨୩ ଓ ୨୫ ତାରିଖରେ ହେବାକୁ ଥିବା ଏଟିଓ ସାର୍ଟିଫିକେଟ ଭେରିଫିକେସନକୁ ସ୍ଥଗିତ ରଖାଯାଇଛି । ନଭେମ୍ବର ମାସ ମାସ ୪ ଓ ୫ ତାରିଖକୁ ଏହି ସାର୍ଟିଫିକେଟ ଭେରିଫିକେସନକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଯେଉଁ ପ୍ରାର୍ଥୀମାନେ ଭୁବନେଶ୍ୱରରେ ରହୁଛନ୍ତି ବା ପ୍ରମାଣପତ୍ର ଯାଞ୍ଚ ପାଇଁ ଯେଉଁମାନେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି, ସେମାନେ ଯଦି ଏହି ତାରିଖ ପରିବର୍ତ୍ତନ ଦ୍ୱାରା ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବେ ତେବେ ସେମାନେ ଚାହିଁଲେ ଆଜି ଓଏସଏସସି କାର୍ଯ୍ୟାଳୟରେ ନିଜର ସାର୍ଟିଫିକେଟ ଯାଞ୍ଚ କରିପାରିବେ ବୋଲି କୁହାଯାଇଛି ।