ଅକ୍ଟୋବର ୨୮ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି; କ’ଣ କରିବେ ପଞ୍ଜୀକରଣ କରିଥିବା ଲୋକ?

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଆଗାମୀ ୨୮ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ସମ୍ଭାବ୍ୟ ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖ୍, ଅକ୍ଟୋବର ୨୮ରେ ଭୁବନେଶ୍ବର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ ।

ଯେଉଁମାନେ ଅକ୍ଟୋବର ୨୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଅନଲାଇନ ଯୋଗେ ପଞ୍ଜୀକରଣ କରିଥିଲେ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ପାଇଁ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ ।

ସେମାନଙ୍କ ପାଇଁ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ।