ନ୍ୟୁଜିଲାଣ୍ଡ ବିପକ୍ଷରେ ‘ସୁନ୍ଦର’ ବୋଲିଂ: ୱାଶିଂଟନଙ୍କ ଖାତାରେ ୭ଟି ସଫଳତା, ଅଶ୍ୱୀନଙ୍କୁ ୩

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର କମବ୍ୟାକ କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଦୁର୍ବଳ ବୋଲିଂ ୟୁନିଟ ପାଇଁ ଟ୍ରୋଲ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚରେ ନିଜର ଦମ୍ ଦେଖାଇଛି । ଷ୍ଟାର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଦଳରେ ସାମିଲ କରି ନ୍ୟୁଜିଲାଣ୍ଡକୁ ଚକମା ଦେଇଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ ପରେ ଅଚାନକ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ୱାଶିଂଟନ୍ ସୁନ୍ଦର । ଦଳରେ ସୁଯୋଗ ମିଳିବା ମାତ୍ରେ ବୋଲିଂ ଅନ୍ଦାଜର କମାଲ ଦେଖାଇଛନ୍ତି ସୁନ୍ଦର । ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡର ୭ଟି ୱିକେଟ ଅକ୍ତିଆର କରି ଦଳକୁ ମାତ୍ର ୨୫୯ ରନରେ ଅଟକାଇଛନ୍ତି ୱାଶିଂଟନ୍ ।

ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାଥମ୍ । ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡ଼ିଛି । ଟିମ ଇଣ୍ଡିଆର ଦୁଇ ଷ୍ଟାର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଏବଂ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଫିରକିରେ ଫିକା ପଡ଼ିଛି ନ୍ୟୁଜିଲାଣ୍ଡ ବ୍ୟାଟିଂ ବିଭାଗ । ଏହି ମ୍ୟାଚ ପାଇଁ ମହମ୍ମଦ ସିରାଜ, କେ.ଏଲ ରାହୁଲ ଏବଂ କୁଳଦୀପ ଯାଦବଙ୍କୁ ଦଳରୁ ବାଦ୍ ଦେଇ ସେମାନଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦର, ଆକାଶଦୀପ ଏବଂ ଶୁଭମନ ଗିଲଙ୍କୁ ଦଳରେ ସୁଯୋଗ ମିଳିଛି । ତେବେ ଦଳରେ ଏଣ୍ଟ୍ରି ମିଳିବା ପରେ ଦମଦାର ସ୍ପେଲ ପକାଇଛନ୍ତି ୱାଶିଂଟନ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଇନିଂସରେ ୭ଟି ୱିକେଟ ଅକ୍ତିଆର କରିଛନ୍ତି ସୁନ୍ଦର । ଏହାବ୍ୟତୀତ ଅଶ୍ୱୀନ ୩ଟି ସଫଳତା ନିଜ ନାମରେ କରିଛନ୍ତି ।

ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ ଏବଂ ଡିଭନ୍ କନୱେଙ୍କ ସମେତ ୱିଲଇ ୟଙ୍ଗଙ୍କ ଆଉଟ କରି ଅଶ୍ୱୀନ ଭାରତୀୟ ଦଳକୁ ଏକ ଦମଦାର ଆରମ୍ଭ କରାଇଥିଲେ । ଏହାପରେ ୱାଶିଂଟନ ସୁନ୍ଦର ନ୍ୟୁଜିଲାଣ୍ଡର ବ୍ୟାଟିଂ ୟୁନିଟକୁ ଧୂଳିସାତ୍ କରି ଦେଇଛନ୍ତି । ସୁନ୍ଦରଙ୍କ ଖାତାରେ ରଚିନ୍ ରବିନ୍ଦ୍ର, ଡାରିଲ ମିଚେଲ, ଟମ୍ ବ୍ଲଣ୍ଡେଲଙ୍କ ସହିତ ଗ୍ଲେନ ଫିଲିପ୍ସଙ୍କ ୱିକେଟ ସାମିଲ ରହିଛି । ଏହାବ୍ୟତୀତ ମିଚେଲ ସାଣ୍ଟନର, ଟିମ ସାଉଦି ଏବଂ ଅଜାଜ ପଟେଲ ମଧ୍ୟ ସୁନ୍ଦରଙ୍କ ଶିକାର ପାଲଟିଛନ୍ତି । ତେବେ ଉଭୟ ଖେଳାଳିଙ୍କ ଏହି ବୋଲିଂ ବିପକ୍ଷରେ ନ୍ୟୁଜିଲାଣ୍ଡ ୨୫୯ ରନ୍ ସଂଗ୍ରହ କରିପାରିଛି । ଦଳ ପକ୍ଷରୁ ଡିଭନ୍ କନୱେ(୭୬) ଏବଂ ରଚିନ ରବିନ୍ଦ୍ର (୬୫) ଅର୍ଦ୍ଧଶତକ ହାସଲ କରିଛନ୍ତି ।