Cyclone Update : କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା? ଜାଣନ୍ତୁ ଦାନା ଦୁର୍ବଳ ହେବାର କାରଣ

ଭୁବନେଶ୍ବର: ଗୁରୁବାର ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଦାନା । ତେବେ ଲ୍ୟାଣ୍ଡଫଲ ଯେଉଁ ସମୟ ମଧ୍ୟରେ ଶେଷ ହେବା ନେଇ ଆକଳନ କରାଯାଉଥିଲା ତାହା ହୋଇପାରିନଥିଲା । ହଠାତ୍ ଦୁର୍ବଳ ହୋଇଯାଇଥିଲା ବାତ୍ୟା ଦାନା । ଦାନା କାହିଁକି ହଠାତ୍ ଦୁର୍ବଳ ହୋଇଯାଇଥିଲା ସେନେଇ ବର୍ତ୍ତମାନ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହା ପଛର କାରଣ କହିଛନ୍ତି ପାଣପାଗ ବିଭାଗ । ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବ ହୋଇଥିବା କଥା କୁହାଯାଉଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଭୀଷଣ ବାତ୍ୟା ଦାନା ଉପକୂଳ ମୁହାଁ ହେଉଥିବା ବେଳେ 2ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା । ଉତ୍ତର ପୂର୍ବ ଓ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା । ଏଥିପାଇଁ ବାତ୍ୟାର ଗତିରେ ସାମାନ୍ୟ ମନ୍ଥର ହୋଇଥିଲା । ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ 5ରୁ 6 ଘଣ୍ଟା ଲାଗିଥାଏ, କିନ୍ତୁ ଦାନା କ୍ଷେତ୍ରରେ ବିଳମ୍ବ ହୋଇଥିବା ନେଇ କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆରବ ସାଗର ଉପରେ ସକ୍ରିୟ ଗୁରୁଚାପ ବଳୟର ପ୍ରଭାବ ରହିଥିଲା । ଦୁଇ ଗୁରୁଚାପ ବଳୟ ମଧ୍ୟ କ୍ଷେତ୍ରରେ ବାତ୍ୟା କେନ୍ଦ୍ରୀଭୂତ ହୋଇଥିଲା । ବାତ୍ୟାର ବାମ ପାର୍ଶ୍ବରେ ଉତ୍ତର-ଉତ୍ତରପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ବାୟୁ ପାଇଁ ଏହା ଦୁର୍ବଳ ହୋଇଥିଲା ।