ହାପୁଡରେ ନାଗୁଣୀ ନେଉଛି ପ୍ରତିଶୋଧ, ପଛର ବାସ୍ତବତା

ନୂଆଦିଲ୍ଲୀ: ୟୁପିର ହାପୁଡ ଜିଲ୍ଲାରେ ସାପ କାମୁଡାରେ ଅନେକ ଲୋକଙ୍କ ମୃତ୍ୟୁ ପରେ ଚର୍ଚ୍ଚା କି, ଏକ ନାଗୁଣୀ ନେଉଛି ପ୍ରତିଶୋଧ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି । ଲୋକେ ଯଥା ସମ୍ଭବ ବାହାରକୁ ଯିବାଠୁ ନିଜକୁ ଦୂରେଇ ରଖୁଛନ୍ତି । ତେବେ ସତରେ କଣ ନାଗୁଣୀ ପ୍ରତିଶୋଧ ନିଏ?

ସାପଙ୍କ ଉପରେ ଗବେଷଣା କରୁଥିବା ଷ୍ଟିବ ରୋର୍କଙ୍କ ମୁତାବକ, ଏମିତି କିଛି ହୁଏ ନାହିଁ । ଏହା ଲୋକଙ୍କ ଭିତରେ ଥିବା ଏକ ଭୁଲ ଧାରଣା । ସାପର ଭାବିବା ଶକ୍ତି ନାହିଁ । ସାପଙ୍କୁ ନେଇ ହୋଇଥିବା ଗବେଷଣାରେ ଲୋକ କଥାକୁ ପ୍ରାଧାନ୍ୟ ଦିଆଯାଇଥିଲା, ହେଲେ ସେମିତି କିଛି ପ୍ରମାଣ ମିଳିନାହିଁ । ଏହା ଏକ ଭ୍ରମ । ପରୀକ୍ଷାରୁ ସେମାନଙ୍କ ମଧ୍ୟରେ ସ୍ମରଣଶକ୍ତି ନ ଥିବା ଜଣାପଡିଛି ।

ତେବେ ସାପ ମରିଥିବା ସ୍ଥାନରେ ଅନ୍ୟ ସାପ ଦେଖାଦେବାକୁ ନେଇ ମିଶନ ସ୍ନେକ ଡେଥ ଫ୍ରି ଇଣ୍ଡିଆର କୋଅର୍ଡିନେଟର ଡା ଆଶିଷ କହିଛନ୍ତି କି, ଏହା ଏମିତି ହୁଏ, କାରଣ, ନାଗ ମରିବା ବେଳେ ପରିସ୍ରା କରିଥାଏ । ପରିସ୍ରା ସହ ସେଠାରେ ଫେରୋମନ ଛାଡିଥାଏ । ଏହା ଜୀବଙ୍କ ଦ୍ୱାରା ଛଡା ଯାଉଥିବା ରାସାୟନିକ ସଂକେତ, ତେଣୁ ଯେଉଁଠି ସାପଙ୍କୁ ମରାଯାଏ, ସେଠାକୁ ଫେରୋମନ କାରଣରୁ ଅନ୍ୟ ସାପ ପହଞ୍ଚିଥାନ୍ତି, ଠିକ କୁକୁର ଯେମିତି ସଂକେତ ପାଇଥାନ୍ତି ।

ତେବେ ସାପ ଗୋଡାଇବାକୁ ନେଇ ୱାର୍ଲ୍ଡ ଲାଇଫ ୟୁଏନଏ ରିପୋର୍ଟ ମୁତାବକ, ସାପର ଗୋଟିଏ ମାତ୍ର ଉଦ୍ଦେଶ୍ୟ ନିଜ ଜୀବନ ବଞ୍ଚାଇବା ସହ ବିଷ ବଞ୍ଚାଇବା । ଜୀବନ ବଞ୍ଚାଇବାକୁ ଯାଇ ଯେତେବେଳେ ସାପ ମଣିଷ ଆଡକୁ ଅଗ୍ରସର ହୁଏ, ଲୋକେ ଭାବନ୍ତି କି ସାପ ସେମାନଙ୍କୁ ଗୋଡାଉଛି । ସାପକୁ ଖସି ଯିବାର ସୁବିଧା ମିଳିଲେ ସେ କଦାପି ଆକ୍ରମଣ କରି ନ ଥାଏ । ହେଲେ ଯେତେବେଳେ ତାକୁ ଅନୁଭବ ହୁଏ କି ଆଉ ବଞ୍ଚିବାର କୌଣସି ବାଟ ନାହିଁ, ସେ କାମୁଡିଥାଏ । ତେଣୁ ସାପ ଗୋଡାଇବା, ପ୍ରତିଶୋଧ ନେବା ପରି କଥା ମିଛ ବୋଲି ସାପଙ୍କ ଉପରେ ଗବେଷଣା କରୁଥିବା ବିଶେଷଜ୍ଞ ଜାଣିବାକୁ ପାଇଛନ୍ତି ।