ଡେରିରେ ହେଉପଛେ ଚେତିଲେ ଫାରୁକ, ପାକିସ୍ତାନକୁ ସୁଧୁରିବାକୁ ଦେଲେ ଚେତାବନୀ

ଶ୍ରୀନଗର: ନାସନାଲ କନଫେରେନ୍ସ ମୁଖ୍ୟ ଫାରୁକ ଅବଦ୍ଦୁଲ୍ଲା ଜମ୍ମୁ କାଶ୍ମୀରରେ ବଢୁଥିବା ଆତଙ୍କା ଆକ୍ରମଣକୁ ନେଇ ପାକିସ୍ତାନକୁ ଦାୟି କରିଛନ୍ତି । ଆକ୍ରମଣ ବନ୍ଦ କରିବାକୁ ଦେଇଛନ୍ତି ଚେତାବନୀ । ବନ୍ଧୁ ହେବାକୁ ଅନ୍ୟ କୌଣସି ରାସ୍ତା ଖୋଜି ବାହାର କରିବାକୁ ଇସଲାମବାଦକୁ କହିବା ସହ ଏମିତି ନ କଲେ ବହୁ ସମସ୍ୟା ହେବ ବୋଲି ଚେତାଇ ଦେଇଛନ୍ତି ।

ଗୁରୁବାର ବିଳମ୍ବିତ ରାତିରେ ବାରାମୁଲାରେ ସେନାର ଏକ ଗାଡି ଉପରେ ଆତଙ୍କୀ ଆକ୍ରମଣ କରିଥିଲେ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଦୁଇ ଯବାନ ଓ ଦୁଇ ନାଗରିକ ରହିଛନ୍ତି । ଏହି ଗୋଟିଏ ସପ୍ତାହ ଭିତରେ କେନ୍ଦ୍ର ଶାସିତ ଅଞ୍ଚଳରେ ୪ଟି ଆକ୍ରମଣ ହୋଇ ୧୨ ଜଣଙ୍କ ଜୀବନ ଗଲାଣି । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲ୍ଲା ।

ଅବଦ୍ଦୁଲ୍ଲା କହିଛନ୍ତି କି, ରାଜ୍ୟରେ ସେପର୍ଯ୍ୟନ୍ତ ଆତଙ୍କୀ ଆକ୍ରମଣ ଜାରି ରହିବ, ଯେ ପର୍ଯ୍ୟନ୍ତ ଆମେ କୌଣସି ଉପଯୁକ୍ତ ସମାଧାନ ବାହାର କରିନୁ । ଏହାର କାରଣ ସହ ଆମେ ସମସ୍ତେ ପରିଚିତ । ୩୦ ବର୍ଷରୁ ମୁଁ ଦେଖିଆସୁଛି, ନିର୍ଦ୍ଦୋଷ ଲୋକଙ୍କ ହତ୍ୟା ହେଉଛି । ପାକିସ୍ତାନ କାହିଁକି ଏମିତି କରୁଛି ଓ ନିଜ ଭବିଷ୍ୟତ କାହିଁକି ନଷ୍ଟ କରୁଛି…ଯେତେବେଳେ କି ଆମେ ପାକିସ୍ତାନର ଅଂଶ ହେବୁ ନାହିଁ ।

ଏଥିସହ ଫାରୁକ ପାକ ସରକାରକୁ ନିଜ ଘର ସମ୍ଭଳିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଆମର ବହୁ ସାଥି ସହିଦ ହୋଇଛନ୍ତି …  ଏହା ପ୍ରତି ବର୍ଷ ଜାରି ରହିଛି ଓ ଆଉ ଆପଣ ଜାଣନ୍ତି ଏଥିପାଇଁ କିଏ ଉତ୍ତରଦାୟୀ । ସେମାନଙ୍କ ଭିତରେ ଭ୍ରମ ରହିଛି କି, କାଶ୍ମୀରକୁ ପାକିସ୍ତାନରେ ସାମିଲ କରିବାରେ ଆକ୍ରମଣ ସାହାଯ୍ୟ କରିବ । ଆଗକୁ ଫାରୁକ କହିଛନ୍ତି କି, ସେମାନଙ୍କୁ ନିଜ ଦେଶ ଆଗରେ ଠିଆହେଉଥିବା ସମସ୍ୟା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ । ଆକ୍ରମଣ ବନ୍ଦ କରି ବନ୍ଧୁତ୍ୱ ପାଇଁ ଅନ୍ୟ ରାସ୍ତା ଖୋଜି ବାହାର କରନ୍ତୁ । ନୋହିଲେ ବହୁ ସମସ୍ୟା ହେବ ।