ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣି ନିଯୁକ୍ତି: ମାସିକ ବେତନ ୬୦ ହଜାର, ଅକ୍ଟୋବର ୩୦ ପୂର୍ବରୁ ଆବେଦନ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସିଛି ପୁଣି ଏକ ନିଯୁକ୍ତି ସୁଯୋଗ । ଏହି ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ମାସିକ ବେତନ ୪୫ ହଜାର ଓ ୬୦ ହଜାର ରହିଛି । ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଉଭୟ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର ଓ ଫ୍ରେଶ/ ଇନ-ସର୍ଭିସ ପ୍ରାର୍ଥୀମାନେ ମଧ୍ୟ ଏଥିରେ ଆବେଦନ କରିପାରିବେ । ମାଷ୍ଟର ଡିଗ୍ରୀ ସ୍ତରରେ ପ୍ରାର୍ଥୀଙ୍କର ସର୍ବନିମ୍ନ ମାର୍କ ୫୫ ପ୍ରତିଶତ ରହିବା ସହ ସେ ୟୁଜିସି / ସିଏସଆଇଆର ଦ୍ୱାରା ନେଟ୍ ପାସ୍ କରିଥିବେ କିମ୍ବା ୟୁଜିସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ଏମ.ଫିଲ/ ପିଏଚ.ଡି ଡିଗ୍ରୀ କରିଥିବେ କିମ୍ବା ସେ ଜଣେ ଜାତୀୟ ସ୍ତରୀୟ ଫେଲୋଶିପ / ସ୍କଲାରଶିପ ଧାରୀ ହୋଇଥିବେ ।

ପିଏଚ.ଡି ଯୋଗ୍ୟତାଧାରୀ ପ୍ରାର୍ଥୀଙ୍କୁ ପ୍ରତି କ୍ଲାସ ପିଛା ୧ ହଜାର ହିସାବରେ ମାସକୁ ୬୦ଟି କ୍ଲାସ ବାବଦରେ ୬୦ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ବିନା ପିଏଚ.ଡି ଯୋଗ୍ୟତାଧାରୀ ପ୍ରାର୍ଥୀଙ୍କୁ ପ୍ରତି କ୍ଲାସ ପିଛା ୭୫୦ ହିସାବରେ ମାସକୁ ୬୦ଟି କ୍ଲାସ ବାବଦରେ ୪୫ ହଜାର ଟଙ୍କା ପ୍ରଦାନ କରାଯିବ । ଚୟନ କମିଟି ଦ୍ୱାରା ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ବିଜିନେସ ଆଡମିନିଷ୍ଟ୍ରେସନ, କେମିଷ୍ଟ୍ରି, କମର୍ସ, ହିଷ୍ଟ୍ରି, ଜୁଲୋଜି ବିଭାଗରେ ମୋଟ ୫ଟି ପଦ ଖାଲି ରହିଛି । ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ପ୍ରାର୍ଥୀମାନେ ଆବେଦନ ଫର୍ମ ଡାଉନଲୋଡ୍ କରିପାରିବେ । ଅକ୍ଟୋବର ୩୦ ଆବେଦନର ଅନ୍ତିମ ତାରିଖ ରହିଛି ।

ବିଜ୍ଞପ୍ତି ଲିଙ୍କ: https://www.buodisha.edu.in/wp-content/uploads/2024/10/Applications-Invited-for-Temporary-Engagement-against-Vacant-Teaching-Posts-in-different-Post-Graduate-Departments.pdf