DA ପରେ ଏବେ HRA ବଢ଼ିବ! ଏକସଙ୍ଗେ ତିନୋଟି ଭତ୍ତା ବୃଦ୍ଧି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଘୋଷଣା କରିଥିଲେ । ୩ ପ୍ରତିଶତ ଡିଏ ବଢ଼ିବା ପରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ଡିଏ ୫୩ ପ୍ରତିଶତରେ ପହଞ୍ଚି ଯାଇଛି । ତେବେ ଡିଏ ବୃଦ୍ଧି ପରେ ଏବେ କେନ୍ଦ୍ର କର୍ମଚାରୀଙ୍କର ଅନ୍ୟ ଭତ୍ତା ବୃଦ୍ଧିକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତଥର ଡିଏ ବଢ଼ାଇବା ପରେ ମୋଟ ଡିଏ ୫୦ ପ୍ରତିଶତରେ ପହଞ୍ଚି ଯାଇଥିଲା । ତା’ପରେ କେନ୍ଦ୍ର ସରକାର ଅନ୍ୟ ଭତ୍ତା ମଧ୍ୟ ବୃଦ୍ଧି କରିଥିଲେ । ସେହି କାରଣରୁ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀଙ୍କ ବେତନରେ ମଧ୍ୟ ବୃଦ୍ଧି ଘଟିଥିଲା ।

ନିକଟରେ ମହଙ୍ଗା ଭତ୍ତା ୫୩ ପ୍ରତିଶତରେ ପହଞ୍ଚିବା ପରେ ଗତଥର ଭଳି କେନ୍ଦ୍ର ସରକାର ଏଥର ମଧ୍ୟ ଅନ୍ୟ ଭତ୍ତା ବୃଦ୍ଧି କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ମୁତାବକ, ଡିଏ ୫୦ ପ୍ରତିଶତରୁ ଅଧିକ ହୋଇଗଲେ ଘର ଭଡ଼ା ଭତ୍ତା (ଏଚଆରଏ) ସମେତ ଅନ୍ୟ ଭତ୍ତା ମଧ୍ୟ ବୃଦ୍ଧି ହେବ । ସେହି ଅନୁସାରେ କେନ୍ଦ୍ର ସରକାର ବିଭିନ୍ନ ବିଭାଗର ଅନ୍ୟ ଭତ୍ତାରେ ବୃଦ୍ଧି କରିଥିଲେ । ସେଥିରେ ଏଚଆରଏ, ସ୍ପେଶାଲ ଆଲାଉନ୍ସ, ଶିକ୍ଷା ଭତ୍ତା ପରି ଭତ୍ତା ସାମିଲ ରହିଛି । ତେଣୁ ଏଥର ଏଚଆରଏ ସମେତ ଅନ୍ୟ ଭତ୍ତା ବଢ଼ିବ କି ନା ସେନେଇ ଏବେ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି । ତେବେ ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ତରଫରୁ ଅଫିସିଆଲ ଭାବେ କୌରସି ଅଧିସୂଚନା ଜାରି ହୋଇନାହିଁ, ସେ ପର୍ଯ୍ୟନ୍ତ ଏଚଆରଏରେ କୌଣସି ସଂଶୋଧନ ହେବ ନାହିଁ ବୋଲି ଏକ୍ସପର୍ଟ ମତ ଦେଇଛନ୍ତି ।