ହାର୍ଦ୍ଦିକ-ରୋହିତ-ବୁମରାହ ନା ସୂର୍ଯ୍ୟକୁମାର… ଦୋଛକିରେ Mumbai Indians: କାହାକୁ ରଖିବ, କାହାକୁ କରିବ ରିଲିଜ?

ଓଡ଼ିଶା ଭାସ୍କର: ଆଇପିଏଲ ରିଟେନସନ୍ ଡେଡଲାଇନ୍ ପାଖେଇ ଆସିଲାଣି । ୩୧ ତାରିଖ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜି ନିଜର ରିଟେନସନ୍ ଲିଷ୍ଟ ଦେବେ । କିନ୍ତୁ ଏପଟେ ମୁମ୍ବାଇ ଶିବିରରେ ଛିଡ଼ୁନି ରିଟେନ୍ ଗଣିତ । ପ୍ରମୁଖ ଖେଳାଳିଙ୍କୁ ନେଇ ଦୋଛକିରେ ଫସିଯାଇଛି ମୁମ୍ବାଇ ଇଣ୍ଡିଆନ୍ସ । କାହାକୁ ରିଟେନ୍ କରିବ ଏବଂ କାହାକୁ କରିବ ରିଲିଜ, ସେ ନେଇ ଦ୍ୱନ୍ଦ୍ୱ ଭିତରେ ପଡ଼ିଛି ଚମ୍ପିଆନ୍ ଦଳ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ପୂର୍ବ ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର କ୍ରିକେଟର ଜଶପ୍ରୀତ ବୁମରାହ-ସୂର୍ଯ୍ୟକୁମାର ଯାଦବଙ୍କ ଭିତରୁ କାହାକୁ ରିଟେନ୍ କରିବ ଏବଂ କାହାକୁ ରିଲିଜ କରିବ, ଏଥିପାଇଁ ଦଳ ଅକ୍ସନ ପୂର୍ବରୁ ଚିନ୍ତାରେ ପଡ଼ିଯାଇଛି । ତେବେ ଆସନ୍ତୁ ଦେଖିବା କ’ଣ ରହିବ ମୁମ୍ବାଇର ରିଟେନସନ୍ ତାଲିକା

ଅନକ୍ୟାପ୍ଡ ଖେଳାଳି: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅନକ୍ୟାପ୍ଡ ଖେଳାଳିଙ୍କୁ ଚୟନ କରିବା ବିଶେଷ ସମସ୍ୟା ସୃଷ୍ଟି କରିବ ନାହିଁ । କାରଣ ଦଳରେ ପିୟୁଷ ଚାୱଲାଙ୍କ ସମେତ ନେହାଲ ୱାଧେରା ଏବଂ ଆକାଶ ମାଧୱାଲ ସାମିଲ ରହିଛନ୍ତି । ଏହି ୩ ଜଣଙ୍କ ମଧ୍ୟରୁ ମୁମ୍ବାଇ ଯେକୌଣସି ଜଣେ କ୍ରିକେଟରଙ୍କୁ ୪ କୋଟି ଟଙ୍କା ବିନିମୟରେ ଆଇପିଏଲ-୨୦୫ ପାଇଁ ରିଟେନ୍ କରିପାରିବ । କିନ୍ତୁ ଏହାପରେ ୫ କ୍ୟାପ୍ଡ ପ୍ଲେୟର ଚୟନରେ ଫସିରହିଛି ମୁମ୍ବାଇ ।

ଜଶପ୍ରୀତ ବୁମରାହ: ବିଶ୍ୱର ସର୍ବଶ୍ରେଷ୍ଠ ବୋଲରଙ୍କ ତାଲିକାରେ ଜଶପ୍ରୀତ ବୁମରାହଙ୍କ ନାମ ଖୁବ ଉପରେ ରହିଛି । ଏହାବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ତାଙ୍କର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ଦଳ ତାଙ୍କୁ କେବେକ ରିଲିଜ କରିବା ପାଇଁ ଚିନ୍ତା କରି ନ ପାରେ । ତେଣୁ ଆଗାମୀ ସିଜନ ପାଇଁ ସର୍ବାଧିକ ମୂଲ୍ୟ ୧୮ କୋଟି ବିନିମୟରେ ବୁମରାହଙ୍କୁ ଦଳରେ ସାମିଲ କରିପାରେ ମୁମ୍ବାଇ ।

ହାର୍ଦ୍ଦିକ ପାଣ୍ଡ୍ୟା: ଗତ ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାବରେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିଲେ । ତେଣୁ ମୁମ୍ବାଇ ପାଇଁ ହାର୍ଦ୍ଦିକ ଜଣେ ମୂଲ୍ୟବାନ୍ ଖେଳାଳି ପାଲଟିଛନ୍ତି । ତେଣୁ ଜଣେ ଅଧିନାୟକ ଭାବରେ ହାର୍ଦ୍ଦିକଙ୍କୁ ପ୍ରଥମ ରିଟେନ୍ ଭାବରେ ୧୮ କୋଟି ବିନିମୟରେ ଦଳରେ ସାମିଲ କରିପାରେ ମୁମ୍ବାଇ ଇଣ୍ଡିଆନ୍ସ । ନୂଆ ନିୟମ ଅନୁସାରେ ପ୍ରତ୍ୟେକ ଦଳ ୨ ଜଣ ଖେଳାଳିଙ୍କୁ ୧୮ କୋଟି ବିନିମୟରେ ରିଟେନ୍ କରିପାରିବ ।

ସୂର୍ଯ୍ୟକୁମାର ଯାଦବ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ଏବଂ ୩୬୦ ଡିଗ୍ରୀ କ୍ରିକେଟ ଶଟ୍ ତାଙ୍କୁ ଦଳ ପାଇଁ ଅମୋଘ ଅସ୍ତ୍ର ଭାବରେ ନୂଆ ପରିଚୟ ଦେଇଛି । ଟିମ ବ୍ଲୁ ପାଇଁ ସୂର୍ଯ୍ୟକୁମାର ଭବିଷ୍ୟତର ଅଧିନାୟକ ମଧ୍ୟ ହୋଇପାରନ୍ତି । ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଦଳର ନେତୃତ୍ୱ ନେବା ପାଇଁ ବେଶ୍ ଦାବିଦାର ପାଲଟିଛନ୍ତି । ତେଣୁ ତାଙ୍କୁ ଦଳରେ ସାମିଲ କରିବା ମୁମ୍ବାଇ ପାଇଁ ଗୁରୁତ୍ୱପୂ୍ଣର୍ଣ ହୋଇପାରେ । ତେବେ କୋଲକାତା ନାଇଟ ରାଇଡର୍ସ ତରଫରୁ ତାଙ୍କୁ ଅଧିନାୟକ ଦାୟିତ୍ୱ ନେବା ପାଇଁ ଅଫର ମିଳିଥିବା ଚଚ୍ଚା ହେଉଛି । ତେଣୁ ମୁମ୍ବାଇ ଦଳରେ ରହିବା ନେଇ ବର୍ତ୍ତମାନ ନିଷ୍ପତ୍ତି ସୂର୍ଯ୍ୟକୁମାରଙ୍କ ହାତରେ ରହିଛି । କିନ୍ତୁ ଯଦି ସେ ଦଳରେ ରହିବାକୁ ଚାହିଁବେ, ତେବେ ମୁମ୍ବାଇ ୧୧ କୋଟି ବିନିମୟରେ ତାଙ୍କୁ ଦଳରେ ସାମିଲ କରିପାରେ ।

ରୋହିତଙ୍କୁ ରିଟେନ୍ କରିବ କି ମୁମ୍ବାଇ?

ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି ରୋହିତଙ୍କ ରିଟେନସନ୍ । ରୋହିତ ମୁମ୍ବାଇ ଛାଡ଼ିବା ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି । ତେବେ ମୁମ୍ବାଇ ମଧ୍ୟ ୧୮ କୋଟି ଟଙ୍କା ଖର୍ଚ୍ଚରେ ରୋହିତଙ୍କୁ ଦଳାରେ ସାମିଲ କରିବ କି ନାହିଁ, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ରହିଛି । ତେଣୁ ରୋହିତଙ୍କ ରିଟେନସନକୁ ନେଇ ଅନେକ ଦ୍ୱନ୍ଦ୍ୱ ଲାଗି ରହିଛି । ରୋହିତ ଆଗାମୀ ସିଜନ ପୂର୍ବରୁ ମୁମ୍ବାଇ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ରୋହିତ ଶର୍ମାଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ । ତେବେ ରୋହିତଙ୍କୁ ଦଳରେ ରଖିବା ହିଁ ପ୍ରଶ୍ନଘେରରେ ରହିଛି । ତେଣୁ ରୋହିତଙ୍କ ରିଟେନସନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୋହିତ ଶର୍ମାଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ ।

ଏହାବ୍ୟତୀତ ଦଳରେ ଇଶାନ୍ କିଶାନ୍ ଏବଂ ତିଲକ ବର୍ମା ୨ ଜଣ କ୍ୟାପ୍ଡ ଖେଳାଳି ମଧ୍ୟ ରହିଛନ୍ତି । ଏ ଦୁହିଁଙ୍କ ମଧ୍ୟରୁ ମୁମ୍ବାଇ କାହାକୁ ରଖିବା ପାଇଁ ମଧ୍ୟ ଯୋଜନା କରିପାରେ । ୧୧ କୋଟି ଟଙ୍କା ବିନିମୟରେ ଇଶାନ୍ କିମ୍ବା ତିଲକଙ୍କୁ ଦଳରେ ରଖିପାରେ ମୁମ୍ବାଇ । ତେବେ ବର୍ତ୍ତମାନ ସୁଦ୍ଧା ୪ ଜଣ ଖେଳାଳିଙ୍କ ରିଟେନ୍ ନେଇ ଅଧିକ ଆଶା ଦେଖା ଦେଉଛି । ହାର୍ଦ୍ଦିକ ପାଣ୍ଡ୍ୟା, ଜଶପ୍ରୀତ ବୁମରାହ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସହ ଅନକ୍ୟାପ୍ଡ ଖେଳାଳି ଭାବରେ ପିୟୁଷ ଚାୱଳା କିମ୍ବା ନେହାଲ ୱାଧେରାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରିଟେନ୍ କରିପାରେ ।