ନୂଆଦିଲ୍ଲୀ: ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପର ମିଞ୍ଜି ମିଞ୍ଜି ଆଲୋକରେ ଝଲସି ଉଠିବ ସାରା ଭାରତବର୍ଷ । ଲଙ୍କା ବିଜୟ ପରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ଦୀପାବଳି ଭାବରେ ପାଳନ କରିଥାଏ ସାରା ଦେଶ । ଅନ୍ଧାର ଉପରେ ଆଲୋକର ବିଜୟକୁ ଦର୍ଶାଇ ଏହି ପର୍ବ ପାଳେନ କରାଯାଏ । ତେବେ ଏହି ଅବସରରେ ଅଯୋଧ୍ୟାରେ ପାଳନ କରାଯିବ ଅଷ୍ଟମ ଦୀପୋତ୍ସବ । ଭଗବାନ ରାମଲାଲାଙ୍କ ପାଦପଦ୍ମରେ ୨୫ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରି ଏହି ଉତ୍ସବକୁ ସ୍ମରଣୀୟ ମୁହୂର୍ତ୍ତ କରିବା ପାଇଁ ଯୋଜନା ରହିଛି । ଏଥିପାଇଁ ଅଯୋଧ୍ୟାରେ ୯୨ ହଜାର ଲିଟର ତେଲ ପହଞ୍ଚିଛି । ଏହାପୂର୍ବରୁ ନଗରୀର ମୋଟ ୫୫ଟି ଘାଟରେ ଦୀପ ମଧ୍ୟ ପହଞ୍ଚିସାରିଛି ।
ବିଳମ୍ବିତ ରାତି ସୁଦ୍ଧା ପ୍ରାୟ ୯୨ ହଜାର ଲିଟର ତେଲ ବିଭିନ୍ନ ଘାଟରେ ପହଞ୍ଚାଇ ଦିଆଯିବ ବୋଲି ଜାଣିବାକୁ ମିଳିଛି । ଏହାସହିତ ୨୫ ଲକ୍ଷରୁ ଅଧିକ ଦୀପ ରାମଙ୍କ ନଗରୀର ୫୫ଟି ଘାଟରେ ପ୍ରଜ୍ଜ୍ୱଳନ କରାଯିବ । ଏଥିପାଇଁ ପ୍ରାୟ ୯୨ ହଜାର ଲିଟରରୁ ଅଧିକ ସୋରିଷ ତେଲର ଆବଶ୍ୟକତା ରହିବ । ଏହି ତେଲ ବର୍ତ୍ତମାନ ସମସ୍ତ ଘାଟକୁ ପଠାଇ ଦିଆଯାଉଛି । ଏହାପରେ ଆସନ୍ତାକାଲି ଠାରୁ ଦୀପ ପ୍ରଜ୍ଜ୍ୱଳନ ପାଇଁ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ(ମହମବତୀ, କର୍ପୁର ଏବଂ ଧୂପକାଠି) ଇତ୍ୟାଦି ପହଞ୍ଚାଇବାର ବ୍ୟବସ୍ଥା କରାଯିବ ।
ଅବଧ ବିଶ୍ୱବିଦ୍ୟାଳୟର ପ୍ରଫେସର ଅମିତ ବର୍ମା କହିଛନ୍ତି ଯେ, ଘାଟରେ ତେଲ ପହଞ୍ଚାଇବାର ବ୍ୟବସ୍ଥା ଜାରି ରହିଛି । ଆମେ ଉତ୍ସାହିତ ରହିଛୁ । ପୁଣିଥରେ ଆମେ ଏକ ନୂଆ ରେକର୍ଡ ସୃଷ୍ଟି କରିବୁ । ଏଥିପାଇଁ ପ୍ରସ୍ତୁତି ଜାରି ରହିଛି । ସେହିପରି ଦୀପୋତ୍ସବର ନୋଡଲ ଅଧିକାରୀ କହିଛନ୍ତି ଯେ, ଘାଟରେ ସମସ୍ତ ସାମଗ୍ରୀ ପହଞ୍ଚାଇ ଦିଆଯାଉଛି । ୮୦ ପ୍ରତିଶତରୁ ଅଧିକ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି । ବାକି ରହିଥିବା ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ୨୯ ତାରିଖ ସୁଦ୍ଧା ଶେଷ ହୋଇଯିବ । ତେବେ ଅବଧ ୟୁନିଭର୍ସିଟିର ପ୍ରାୟ ୩୦୦୦୦ ସ୍ୱେଚ୍ଛାସେବୀ ଗ୍ରାଉଣ୍ଡରେ ଉପସ୍ଥିତ ରହିଛନ୍ତି ଏବଯ ଦୀପ ଲଗାଇବାର କାର୍ଯ୍ୟକ୍ରମ କରୁଛନ୍ତି । ଚଳିତବର୍ଷ ଦୀପୋତ୍ସବରେ ଅଯୋଧ୍ୟାରେ ମୋଟ ୨୫ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଦୀପୋତ୍ସବର ନୋଡଲ ଅଧିକାରୀ ।