ଓଡ଼ିଶା ଭାସ୍କର: ଦୁନିଆର ଜଣେ ଧନୀ ବ୍ୟକ୍ତି ଭାବରେ ସେ ବେଶ ଜଣାଶୁଣା । ଜଣେ ସଫଳ ବ୍ୟବସାୟୀ ସହ ଉଦାର ହୃଦୟର ବ୍ୟକ୍ତିତ୍ୱର ଅଧିକାରୀ । ଯୁବା ବୟସରେ ବୈଷୟିକ କ୍ଷେତ୍ରରେ ବିପ୍ଳବ ଆଣିଥିବା ହେଉଛନ୍ତି ହାୱାର୍ଡ଼ ବିଶ୍ୱବିଦ୍ୟାଳୟ ଡ୍ରପ୍ ଆଉଟ୍ । ସେ ହେଉଛନ୍ତି ମାଇକ୍ରୋସଫ୍ଟର ସହ- ପ୍ରତିଷ୍ଠାତା ବିଲ୍ ଗେଟ୍ସ ।
୧୯୫୫ ମସିହା ୨୮ଅକ୍ଟୋବର ୱାଶିଂଟନରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପୁରା ନାଁ ହେଉଛି ୱିଲିୟମ ହେନରୀ ଗେଟ୍ସ । ଆଜି ସେ ତାଙ୍କ ୬୮ତମ ଜନ୍ମ ଦିବସ ପାଳନ କରୁଛନ୍ତି । ପରିବାରରେ ସମସ୍ତ ଭାଇ ଭଉଣୀଙ୍କ ଠାରୁ ବିଲ୍ ଗେଟ୍ସ ସବୁଠାରୁ ସାନ ଥିଲେ । ତାଙ୍କ ମାତା ପିତାଙ୍କ ଇଚ୍ଛା ଥିଲା କି ସେ ଆଇନ୍ ପାଠ ପଢ଼ି ଓକିଲାତି କରିବେ । ସ୍କୁଲ ପାଠପଢ଼ାରେ ମଧ୍ୟ ବିଲ୍ ଗେଟ୍ସ ଭଲ ନମ୍ବର ରଖୁନଥିଲେ । ଏନେଇ ତାଙ୍କ ମାତା ପିତା ବେଶ ଚିନ୍ତିତ ରହୁଥିଲେ । ସେ ସ୍କୁଲ ଶିକ୍ଷକ ଏବଂ ମାତା ପିତାଙ୍କ କଥାକୁ ବେଖାତିର କରୁଥିଲେ । ଏହିପରି ସେ ହାଇସ୍କୁଲ ପାସ୍ କରିଲେ । ଏହା ପରେ ଉଚ୍ଚଶିକ୍ଷା ପାଇଁ ତାଙ୍କୁ ହାୱାର୍ଡ଼ ପଠାଗଲା । ସେଠରେ ସେ ଅଧାରୁ ପାଠପଢ଼ା ଛାଡ଼ିଦେଲେ । ସେତେବେଳେ ମାତ୍ର ୧୩ ବର୍ଷ ବୟସରେ ସେ ତାଙ୍କ ସାଙ୍ଗ ପଲ୍ ଏଲେନଙ୍କ ସହ କମ୍ପ୍ୟୁଟର ପ୍ରୋଗ୍ରାମିଂରେ ମାତିଗଲେ । ପଲ୍ ଏଲେନ ପୂର୍ବରୁ ତାଙ୍କ ପାଠପଢ଼ା ଛାଡ଼ିଥିଲେ । ପରବର୍ତ୍ତୀ ସମୟରେ ଉଭୟ ମିଶି ‘ଅଲ୍ଟୱେୟାର’ ନାମକ ପ୍ରଥମ ପ୍ରୋଗ୍ରାମ କରିଥିଲେ । ଏହା ପରେ ମାଇକ୍ରୋସଫ୍ଟ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । IBM କର୍ପରେସନ ପାଇଁ MS-DOS ପ୍ରସ୍ତୁତ କରି ବିଲ୍ ଗେଟ୍ସଙ୍କ କମ୍ପାନୀ ହିଟ୍ ହୋଇଥିଲା । ପ୍ରଥମେ ମାଇକ୍ରୋସଫ୍ଟ ଅନ୍ୟ କମ୍ପାନୀ ପାଇଁ ସଫ୍ଟୱେୟାର ତିଆରି କରୁଥିଲା । କିନ୍ତୁ ‘ୱିଣ୍ଡୋ’ ପ୍ରସ୍ତୁତି କରିବା ପରେ ବିଶ୍ୱରେ କମ୍ପ୍ୟୁଟର୍ସ ଅପରେଟିଂ ସିଷ୍ଟମ ‘ୱିଣ୍ଡୋ’ ଦ୍ୱାରା ସଞ୍ଚାଳିତ ହେଲା । ‘ୱିଣ୍ଡୋ’ ମାଧ୍ୟମରେ ମାଇକ୍ରୋସଫ୍ଟ ଏକ କ୍ରାନ୍ତି ଆଣିଥିଲା । ଏହା ପରେ ବିଲ୍ ଗେଟ୍ସ କେବେ ପଛକୁ ଫେରି ଚାହିଁନାହାଁନ୍ତି ।
୧୯୭୫ ମସିହାରେ ବିଲ୍ ଗେଟ୍ସ ତାଙ୍କ ସାଙ୍ଗ ପଲ୍ ଏଲେନ(Paul Allen)ଙ୍କ ସହ ମିଶି ମାଇକ୍ରୋସଫ୍ଟ ପ୍ରତିଷ୍ଠା କରିଥିଲେ । ମାତ୍ର ୪ ବର୍ଷ ସମୟ ମଧ୍ୟରେ କମ୍ପାନୀ ୨୫ ଲକ୍ଷ ଡଲାର ସଫଳତା ହାସଲ କରିପାରିଥିଲା । ବିଲ୍ ଗେଟ୍ସ ଟେକ୍ନୋଲୋଜି ଏବଂ ବ୍ୟବସାୟର ମିଶ୍ରଣ କରିଥିଲେ । ଏହା ପରେ ଅନଲାଇନ୍ ଗେମିଂରେ ମଧ୍ୟ ଏହି ଟେକନିକ୍ ବ୍ୟବହାର କରାଯାଇଥିଲା । ୧୯୮୬ ମସିହାରେ କମ୍ପାନୀ ଶେୟାର ମାର୍କେଟରେ ତାଲିକଭୁକ୍ତ ହୋଇଥିଲା । ଏହା ପରେ ମାତ୍ର ୩୧ ବର୍ଷ ବୟସରେ ବିଲ୍ ଗେଟ୍ସ ବିଲିୟନେୟାର ତାଲିକାରେ ସାମିଲ ହୋଇଥିଲେ । ୧୯୯୨ରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ଆମେରିକାର ଧନୀ ବ୍ୟକ୍ତି ରହିଥିଲେ । ଏହା ବ୍ୟତୀତ ଫୋର୍ବସ ବିଲିୟନେୟାର ତାଲିକାରେ ମଧ୍ୟ ସବୁଠାରୁ ଧନୀ ବ୍ୟକ୍ତି ରହିଥିଲେ ।
ବ୍ୟବସାୟ ବ୍ୟତୀତ ବିଲ୍ ଗେଟ୍ସ ତାଙ୍କ ଦୟାଳୁ ସ୍ୱଭାବ ପାଇଁ ମଧ୍ୟ ବେଶ ଜଣାଶୁଣା । ସେ ଦେଶରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ଉତ୍ତମ କରିବା ଦିଗରେ ପ୍ରୟାସ ଜାରି ରଖିଥିଲେ । ଏଥିପାଇଁ ତାଙ୍କ ମିଲିଣ୍ଡା ଗେଟ୍ସ ଫାଉନଡେସନ୍ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ସେ ତାଙ୍କ ସମ୍ପତ୍ତିର ୯୫% ଦାନ କରିବେ ବୋଲି ଘୋଷଣା କରିଛନ୍ତି । ସେ ତାଙ୍କ ପିଲାଙ୍କୁ କେବଳ ୧୦ ବିଲିୟନ୍ ଡଲାରର ସମ୍ପତ୍ତି ଦେବେ । ଆଜି ବି ଧନୀ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାଁ ରହିଛି ।