ଆତ୍ମା ସହିତ ବାହାଘର ! ‘ହାଫ୍ ଲଭ୍ ଷ୍ଟୋରୀ’ର ଅଡିଓ ରିଲିଜ, ଆସନ୍ତା 15ରେ ଶୁଭମୁକ୍ତି

ଭୁବନେଶ୍ବର: ଅଞ୍ଜନେୟ ମିଡ଼ିଆ ପ୍ରଇଭେଟ ଲିମିଟେଡ଼ ପ୍ରସ୍ତୁତ ‘ହାଫ୍ ଲଭ୍ ଷ୍ଟୋରୀ’ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ହୋଇଛି । ଶୀତଲ ହୋଟେଲର ଏକ ବର୍ଣ୍ଣାଢ୍ୟ ପରିବେଶରେ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଅନେକ ସିନେପ୍ରେମୀଙ୍କ ସମେତ ସାମ୍ବାଦିକ ବନ୍ଧୁମାନଙ୍କ ଗହଣରେ ମହାଡ଼ମ୍ବରରେ ଅଡିଓ ଲୋକାର୍ପଣ କରାଯାଇଛି । ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରଭାତ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ଚଳଚ୍ଚିତ୍ରର କ୍ରି୍ଏଟିଭ ହେଡ଼ ମିଡିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ରହିଥିବା ବେଳେ ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି । ସେହିପରି ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାଶ ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଏବଂ ଡାକ୍ତର ଶୁଭ ଦାଶ । ଚିତ୍ରତ୍ତୋଳନ ଈଶ୍ୱର ବାରିକ ଏବଂ ସମ୍ପାଦନା ରାଜେଶ ଦାଶ ।

ତବେ ଚଳଚ୍ଚିତ୍ରଟି ମନକୁ ଛୁଇଁବା ନେଇ ଆଶା କରାଯାଉଛି । ଏକ ମଫସଲ ଗାଁର ବାପା ମାଆ ଛେଉଣ୍ଡ ଯୁବକ ଶିବୁ ଗାଁରେ ଏକ ଚାଉଳ ଦୋକାନ କରିଥିବା ବେଳେ ପଡୋଶୀ ଗାଁର ଏକ ଝିଅ ସହିତ ପ୍ରେମ ହୋଇଛି । ତାକୁ ବାହା ହେବ ବୋଲି ପ୍ରସ୍ତାବ ଦେଇଥିବା ବେଳେ ଝିଅ ମଧ୍ୟ ରାଜି ହୋଇଯାଇଛି । ମାମୁଁ, ମାଇଁ ଙ୍କୁ ଏ ପ୍ରସ୍ତାବ ପାଇଁ କହିଛି ହେଲେ ଆଗରୁ କେତେ ଗୁଡ଼ାଏ ପ୍ରସ୍ତାବ ଭାଙ୍ଗିଥିବାରୁ ମାମୁଁ ବିରକ୍ତ ହୋଇଛନ୍ତି । ତଥାପି ମାମୁଁ ମାଇଁ ଙ୍କୁ ନେଇ ଝିଅ ଘରକୁ ପ୍ରସ୍ତାବ ନେଇ ଯାଇଛି ହେଲେ ଝିଅ ଘରେ କେହି ନଥିବା ଦେଖି ମାମୁଁ ପୁଣି ବିରକ୍ତ ହୋଇ ଫେରିଛନ୍ତି । ପରେ ସେମାନେ ଗାଁ ମନ୍ଦିରରେ ଶିବୁ ବ୍ରାହ୍ମଣ ଙ୍କ ସହିତ କଥା ହୋଇ ବାହାଘର କାମ ସାରି ଗାଡ଼ିରେ ବୋହୂକୁ ନେଇ ମାମୁଁ ଘରକୁ ଆସିଛି । ମାଇଁ ବନ୍ଦାଣ ଥାଳି ଧରି ଆସି ଦେଖନ୍ତି ତ ବୋହୂ ନାହିଁ କେବଳ ଶିବୁ, ପୁଣି ବିରକ୍ତ ହୋଇଛନ୍ତି ମାମୁଁ ଓ ମାଇଁ । ଶିବୁ ମନ୍ଦିର ନନାଙ୍କୁ ଯାଇ ପଚାରିଲା ମୁଁ ଯୋଉ ଝିଅକୁ ମନ୍ଦିରରେ ବାହା ହେଲି ସେ ଝିଅକୁ ଦେଖିଛନ୍ତି କି? ନନା ଉତ୍ତରରେ କହିଛନ୍ତି ତମେ ତ ଏକୁଟିଆ ଆସିଥିଲ, ଝିଅ ତ କେହି ସାଙ୍ଗରେ ଆସିନଥିଲେ । ଶେଷରେ ଫ୍ଲାସବ୍ୟାକରେ ଜଣାପଡେ ଶିବୁ ବାହା ହେଇଥିବା ଝିଅ ପ୍ରକୃତ ମଣିଷ ନୁହେଁ ସେ ଗୋଟେ ଆତ୍ମା । କାହାଣୀ ଏତିକିରେ ଶେଷ ହେଉନି ବରଂ ଆରମ୍ଭ ହେଉଛି । ତେବେ ମାମୁଁ ଚରିତ୍ରରେ ସ୍ବର୍ଗତ ପିଣ୍ଟୁ ନନ୍ଦ ଏବଂ ମାଇଁ ଚରିତ୍ରରେ ଜ୍ୟୋତି ମିଶ୍ର, ଘନିଷ୍ଠ ବନ୍ଧୁ ହରିଆ ଚରିତ୍ରରେ ହରିହର ମହାପାତ୍ର ଅଭିନୟ କରିଛନ୍ତି ।

ଶିବୁ ଭୂମିକାରେ ସୁନୀଲ କୁମାର ଏବଂ ନାୟିକା ଭୂମିକାରେ କୁକିଜ୍ ସ୍ୱାଇଁ ଏବଂ ମନସ୍ବିନୀ ରହିଛନ୍ତି । ଅନ୍ୟାନ୍ୟ ଚରିତ୍ରରେ ଅସିତ ପତି, ଭୂପତି ତ୍ରିପାଠୀ, ବବି ମିଶ୍ର, ସୂର୍ଯ୍ୟ ନାରାୟଣ ଦୋରା ଅଛନ୍ତି । ହ୍ୟୁମାନ ସାଗର, ଗୌରଭ ଆନନ୍ଦ, କୁଲଦୀପ ପଟ୍ଟନାୟକ, ତାରିକ ଅଜିଜ୍, ବୈଦ୍ୟନାଥ ଦାଶ ଏବଂ ଅସୀମା ପଣ୍ଡା କଣ୍ଠଦାନ କରିଛନ୍ତି ।  ଆସନ୍ତା ନଭେମ୍ବର ୧୫ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ ଏଇ ଓଡ଼ିଆ ଚଳଚ୍ଚିତ୍ର ହାଫ୍ ଲଭ୍ ଷ୍ଟୋରୀ । ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଛୋଟ ପରଦା ହେଉ ଅବା ବଡ଼ ପରଦା, ସବୁ ଚଳଚ୍ଚିତ୍ରକୁ ଦର୍ଶକ ଭଲ ପାଇବା ଦେଇଆସିଛନ୍ତି । ହାଫ୍ ଲଭ୍ ଷ୍ଟୋରୀ କୁ ମଧ୍ୟ ଢେର ଭଲ ପାଇବା ଏବଂ ପ୍ରଶଂସା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।