ବଦଳିଲା ପାଗ: ଅନାଚକ ବର୍ଷାରେ ଭିଜିଲା ଭୁବନେଶ୍ବର-କଟକ, ବିଭିନ୍ନ ସ୍ଥାନରେ ଜମିଲା ପାଣି

ଭୁବନେଶ୍ବର: ଗୁରୁବାର ଟ୍ବିନସିଟିରେ  ଦୀପାବଳି ପାଳନ ହୋଇଥିଲା । ତେବେ ଆଜି ସକାଳୁ ସକାଳୁ କେହଲା ପାଗ ସାଙ୍ଗକୁ ବର୍ଷା ଜାରି ରହିଛି । ସକାଳୁ କୋହଲା ପାଗ ରହିଥିବା ବେଳେ ଘଡିଘଡି ଜାରି ରହିଥିଲା । ବର୍ତ୍ତମାନ 1 ଘଣ୍ଟା ହେବ ଭୁବନେଶ୍ବରରେ ବର୍ଷା ଜାରି ରହିଛି । ସେହିପରି ଯଦି କଟକ କଥା ଦେଖିବା ତାହେଲେ କଟକ ମଧ୍ୟ ବର୍ଷାରେ ଭିଜିଛି । କଟକରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ପାଣି ଜମିଥିବା ଦେଖାଯାଇଛି । ବର୍ଷା ନେଇ କୌଣସି ପୂର୍ବାନୁମାନ କରାଯାଇନଥିଲେ ହେଁ ଅନାଚକ ବର୍ଷାରେ ଭିଜିଛି ଭୁବନେଶ୍ବର-କଟକ ।

ଗତକାଲି ଦୀପାବଳି ପାଳନ ହୋଇଥିବାବେଳେ ଆଜି ମାଆ କାଳୀଙ୍କ ପୂଜାର୍ଚ୍ଚନା ଚାଲିଛି । ଅନେକ ଲୋକ ସେମାନଙ୍କ ଗାଡ଼ି ପୂଜା ପାଇଁ ମନ୍ଦିରରେ ଭିଡ଼ ଜମାଇଛନ୍ତି । ତେବେ ସକାଳୁ ସକାଳୁ ବର୍ଷା ଲାଗିରହିଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ପ୍ରକାଶଥାଉକି, ନଭେମ୍ବର 1 ତାରିଖ ପରଠାରୁ ରାତିର ତାପମାତ୍ରା ପ୍ରାୟ 2 ଡିଗ୍ରୀ ସେଲସିୟସ କମିପାରେ ବୋଲି କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଥିଲେ । ଛତିଶଗଡ ଏବଂ ପାଶ୍ବବର୍ତ୍ତୀ ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ରହିଥିବା କାରଣରୁ 2 ତାରିଖ ଯାଏଁ ସ୍ଥାନେସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ 3 ତାରିଖରୁ ପାଗ ପୁରା ଶୁଖିଲା ରହିବ । ଭୁବନେଶ୍ୱର ସମେତ କଟକ, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଅନୁଗୋଳ, ନୟାଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ଦେବଗଡ଼, ଗଞ୍ଜାମ ଓ ମାଲକାନଗିରି ଜିଲାର କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି ।