ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟୀ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟ ଗ୍ରାଜୁଏଟ (ନୀଟ ପିଜି) କାଉନସେଲିଂ ୨୦୨୪ର ଶିଡ୍ୟୁଲ ଜାରି କରିଛି ମେଡିକାଲ କାଉନସେଲିଂ କମିଟି (ଏମସିସି) । ଯେଉଁ ପ୍ରାର୍ଥୀମାନେ ଏହି କାଉନସେଲିଂରେ ଅଂଶଗ୍ରହଣ କରିବେ ସେମାନେ ଏମସିସିର ଅଫିସିଆଲ ୱେବସାଇଟ https://mcc.nic.in/ କୁ ଯାଇ ଶିଡ୍ୟୁଲ ଦେଖିପାରିବେ । ମୋଟ ୪ଟି ରାଉଣ୍ଡରେ ଏହି କାଉନସେଲିଂ ପ୍ରକ୍ରିୟା ସମାପ୍ତ ହେବ । ପ୍ରଥମ ରାଉଣ୍ଡ ପାଇଁ ନଭେମ୍ବର ୧୭ରେ ରେଜିଷ୍ଟ୍ରେସନ ବନ୍ଦ ହୋଇଯିବ ।
ସୂଚନାଯୋଗ୍ୟ ଯେ, ନୀଟ ପିଜି ଯୋଗ୍ୟ ପ୍ରାର୍ଥୀଙ୍କୁ ସମୟସୀମା ପୂର୍ବରୁ ପଞ୍ଜିକରଣ କରିବାକୁ ହେବ । ନୀଟ ପିଜି ରାଉଣ୍ଡ-୧ର କାଉନସେଲିଂ ଆଲଟମେଣ୍ଟ ରେଜଲ୍ଟ ନଭେମ୍ବର ୨୦କୁ ଜାରି କରାଯିବ । ନୀଟ ପିଜି କାଉନସେଲିଂ ଜରିଆରେ ଏମଡି, ଏମଏସ, ପୀଜି ଡିପ୍ଲୋମା କୋର୍ସରେ ଆଡମିସନ ପାଇଁ କାଉନସେଲିଂରେ ବିଳମ୍ବ ହୋଇଛି । ମାତ୍ର ଏନେଇ ଏମସିସି ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ଗତ ଅଗଷ୍ଟ ୧୧ରେ ନୀଟ ପିଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେଥିପାଇଁ ୨ ଲକ୍ଷ ୨୮ ହଜାର ୫୪୦ ଜଣ ପ୍ରାର୍ଥୀ ରେଜିଷ୍ଟ୍ରେସନ କରିଥିଲେ । ଦୁଇ ଶିଫ୍ଟରେ ଆୟୋଜିତ ହୋଇଥିବା ପରୀକ୍ଷାରେ ୨ ଲକ୍ଷ ୧୬ ହଜାର ୧୩୬ ଜଣ ପ୍ରାର୍ଥୀ ଉପସ୍ଥିତ ହୋଇଥିଲେ । ଗତ ଅଗଷ୍ଟ ୨୩ରେ ନୀଟ ପିଜିର ଫଳାଫଳ ଘୋଷିତ ହୋଇଥିଲା । ତା’ ପରଠାରୁ ପ୍ରାର୍ଥୀମାନେ କାନଉନସେଲିଂ ପାଇଁ ଅପେକ୍ଷା କରି ରହିଥିଲେ ।