ଋଷଭଙ୍କ ଟାର୍ଗେଟରେ ବିରାଟ ରେକର୍ଡ! ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁନିଆ ଦେଖିଲା ପନ୍ତଙ୍କ ରୌଦ୍ର ରୂପ

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ସଂଘର୍ଷ ଜାରି ରହିଛି । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୨୩୫ ରନ୍ କରି ଅଲଆଉଟ ହୋଇଥିବା ବେଳେ ଭାରତ ୨୬୩ ରନ୍ ସଂଗ୍ରହ କରିଛି । ଶୁଭମନ ଗିଲଙ୍କ ୯୦ ସହ ଋଷଭ ପନ୍ତଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ୨୮ ରନ୍ ଆଗୁଆ ରହିଛି । ତେବେ ମ୍ୟାଚର ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଋଷଭ ପନ୍ତ ଦମଦାର ବ୍ୟାଟିଂ ଜାରି ରଖିଥିଲେ । ଏହି ମ୍ୟାଚରେ ମାତ୍ର ୩୬ ବଲରୁ ଅର୍ଦ୍ଧଶତକ ହାସଲ କରି ଋଷଭ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ।

ତୃତୀୟ ମ୍ୟାଚର ଦ୍ୱିତୀୟ ଦିନରେ ଦମଦାର ବ୍ୟାଟିଂ ସହ ଋଷଭ ସାରା ଦୁନିଆକୁ ନିଜ ରୌଦ୍ର ରୂପ ଦେଖାଇଛନ୍ତି । ନ୍ୟୁଜିଲାଣ୍ଡ ବୋଲରଙ୍କୁ ଟାର୍ଗେଟ କରି ଋଷଭ ବିସ୍ଫୋରକ ବ୍ୟାଟିଂ କରିଥିଲେ । ମାତ୍ର ୩୬ ବଲ ଖେଳି ନିଜ ଅର୍ଦ୍ଦଶତକ ହାସଲ କରିଥିଲେ ଋଷଭ । ଏହାସହିତ ଏକ ରେକର୍ଡ ମଧ୍ୟ ସେ ନିଜ ନାମରେ କରିଛନ୍ତି । ମାତ୍ର ୮୬ ରନରେ ଭାରତ ୪ ୱିକେଟ ହରାଇ ସଂକଟରେ ପଡ଼ିଥିବା ବେଳେ ଋଷଭ ପାଳି ସମ୍ଭାଳିଥିଲେ । ଶୁଭମନ ଗିଲଙ୍କ ସହ ମିଶି ଭାରତକୁ ଏହି ବିପଦରୁ ବାହାର କରିଛନ୍ତି ଋଷଭ । ଏହି ଇନିଂସରେ ଋଷଭ ୫୯ ବଲରୁ ୮ଟି ଚୌକା ଏବଂ ୨ଟି ଛକା ସହିତ ୬୦ ରନର ଦମଦାର ପାଳି ଖେଳିଛନ୍ତି ।

ତେବେ ୩୬ ବଲରେ ଅର୍ଦ୍ଧଶତକ ହାସଲ କରି ଋଷଭ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି ଭାବରେ ରେକର୍ଡ ସୃଷ୍ଟି କରିଛନ୍ତି ଋଷଭ । ଏହାପୂର୍ବରୁ ଯଶସ୍ୱୀ ଜଏସ୍ୱାଲ ୪୧ ବଲରେ ଅର୍ଦ୍ଦଶତକ ହାସଲ କରି ଏହି ରେକର୍ଡ ନିଜ ନାମରେ କରିଥିଲେ । ପୁଣେରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟରେ ଏହି ରେକର୍ଡ ହାସଲ କରିଥିଲେ ଯଶସ୍ୱୀ ଜଏସ୍ୱାଲ । ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ଭାରତୀୟ ଖେଳାଳି ପାଲଟିଛନ୍ତି ।