ନୂଆଦିଲ୍ଲୀ: ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ୨୯ ଜଣ ନାବାଳକଙ୍କୁ ମିଳିପାରେ ମୃତ୍ୟୁଦଣ୍ଡ । ମହଙ୍ଗା ବିରୋଧରେ ପ୍ରଦର୍ଶନରେ ସାମିଲ ହେବା ଏବେ ଉକ୍ତ ନାବାଳକଙ୍କ ପାଇଁ କାଳ ସାଜିଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିପାରେ । ଅଦାଲତରେ ନିଜର ଦଲିଲ ରଖିବା ପୂର୍ବରୁ ୪ ଜଣ ନାବାଳକ ଥକ୍କାପଣ କାରଣରୁ ବେହୋସ୍ ହୋଇଯାଇଥିଲେ । ନାଇଜେରିଆରେ ବର୍ଦ୍ଧିତ ମହଙ୍ଗା ମାଡ଼ ବିରୋଧରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କ ବିରୋଧରେ ୧୦ଟି ସଙ୍ଗୀନ ଅଭିଯୋଗ ଲାଗିଥିଲା । ସେଥିମଧ୍ୟରେ ରାଜଦ୍ରୋହ, ସମ୍ପତ୍ତି ନଷ୍ଟ କରିବା, ଉପଦ୍ରବ ମଚାଇବା ଓ ବିଦ୍ରୋହ କରିବା ଆଦି ସାମିଲ ରହିଛି । ଏହି ନାବାଳକଙ୍କ ବୟସ ୧୪ରୁ ୧୭ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ।
ନାଇଜେରିଆରେ ନିତ୍ୟବ୍ୟବହୃତ ସାମଗ୍ରୀର ଦାମ୍ ବଢ଼ିବା କାରଣରୁ ଗତ କିଛି ମାସ ଧରି ସେଠାରେ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ଯୁବବର୍ଗଙ୍କୁ ଚାକିରି ପ୍ରଦାନ ଦାବି ନେଇ ଗତ ଅଗଷ୍ଟ ମାସରେ ହୋଇଥିବା ପ୍ରଦର୍ଶନ ସମୟରେ ଅତିକମରେ ୨୦ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେହି ମାମଲାରେ ଶତାଧିକ ଲୋକଙ୍କୁ ଗିରଫ କରାଯାଇଥିଲା । ୧୯୭୦ ଦଶକରୁ ନାଇଜେରିଆରେ ମୃତ୍ୟୁଦଣ୍ଡ ଲାଗୁ ହୋଇଥିଲା, ମାତ୍ର ୨୦୧୬ ମସିହା ପରଠାରୁ ଦେଶରେ କାହାକୁ ମୃତ୍ୟୁଦଣ୍ଡ ଦିଆଯାଇ ନଥିଲା । ତେବେ ବାଲ ଅଧିକାର ଅଧିନିୟମ ଅନୁସାରେ କୌଣସି ନାବାଳକଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ କି ମୃତ୍ୟୁଦଣ୍ଡ ଦିଆଯାଇ ପାରିବ ନାହିଁ ବୋଲି ଜଣେ ପ୍ରାଇଭେଟ ଓକିଲ କହିଛନ୍ତି ।