ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଧଉଳି ଶାନ୍ତି ସ୍ତୂପର ୫୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧଉଳି ଏକ ସାଧାରଣ ପାହାଡ ନୁହେଁ, ଧଉଳି ପାହାଡ ଓଡିଶା ଇତିହାସର ଏକ ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି । କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ସାହାସ ଓ ସାମର୍ଥ୍ୟର ପ୍ରତୀକ ଏହି ଧଉଳି । ଓଡିଆ ବୀର ସନ୍ତାନଙ୍କ ଲୁହ ଆଉ ରକ୍ତରେ ଏକାକାର ହୋଇଥିବା ତ୍ୟାଗର ତୀର୍ଥସ୍ଥଳୀ ଏହି ଧଉଳି ବୋଲି ଆଜି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ଧଉଳି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖ୍ରୀଷ୍ଟପୂର୍ବ ୨୬୧ରେ ଲୋମହର୍ଷଣକାରୀ କଳିଙ୍ଗ ଯୁଦ୍ଧ ପରେ ଏହିଠାରୁ ଶାନ୍ତିକୁ ଜୀବନର ବ୍ରତ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ସମ୍ରାଟ ଅଶୋକ । ଆଜିକୁ ୫୨ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ଶାନ୍ତିର ସ୍ତୁପ । ସେବେଠାରୁ ଆଜି ପର୍ଯ୍ୟନ୍ତ ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସାଜିଛି ଏହି ଧଉଳି ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ବୌଦ୍ଧ ଧର୍ମ ସମ୍ପର୍କରେ ଯେବେ ଆଲୋଚନା କରାଯାଏ ସେତେବେଳେ ଓଡିଶାର ନା ସବୁଠାରୁ ଆଗରେ ଆସିଥାଏ । ଓଡିଶାରେ ବୌଦ୍ଧ ଧର୍ମର ଯେତେ ପ୍ରଚାର ପ୍ରସାର ହୋଇଥିଲା ଏବଂ ଯେତେ ବୌଦ୍ଧ ବିହାର ଓଡିଶାରେ ଦେଖିବାକୁ ମିଳେ ତାହା ଭାରତବର୍ଷର ଅନ୍ୟ କୌଣସି ପ୍ରଦେଶରେ ଦେଖିବାକୁ ମିଳେ ନାହିଁ । ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀଠାରୁ ଓଡିଶାରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା । ଧଉଳି ପାଦ ଦେଶରେ ଦୟାନଦୀ କୂଳରେ ଭାରତ ଇତିହାସରେ ଏକ ନିର୍ଣ୍ଣାୟକ ମୋଡ ଆସିଥିଲା । ମଗଧର ସମ୍ରାଟ ଅଶୋକଙ୍କୁ କଳିଙ୍ଗ ଯୁଦ୍ଧର ବିଭୀଷିକା ଧର୍ମାଶୋକରେ ପରିଣତ କରିଥିଲା । ସମ୍ରାଟ ଅଶୋକ ଦେଶ ବିଦେଶରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ନିଜ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଙ୍ଘମିତ୍ରାଙ୍କୁ ସିଂହଳ ଦେଶକୁ ଏହି ଓଡିଶାରୁ ପଠାଇଥିବା ବିଶ୍ୱାସ କରାଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଅତୀତର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେତେବେଳେ ନୌବାଣିଜ୍ୟ ପରମ୍ପରାରେ ଓଡିଶା ସାଧବ ପୁଅ ମାନେ ସିଦ୍ଧହସ୍ତ ଥିଲେ । ବୋଇତରେ ସେମାନେ ସାତ ସମୁଦ୍ର ପାର ହୋଇ ବାଣିଜ୍ୟ କାରବାର କରିବାକୁ ଯାଉଥିଲେ । ଭାରତର ଅନ୍ୟ କୌଣସି ରାଜ୍ୟର ଲୋକମାନେ ସେତେବେଳେ ବୋଇତରେ ସମୁଦ୍ରଯାତ୍ରା ବିଷୟରେ ଜାଣି ନଥିଲେ । ତେଣୁ ବୌଦ୍ଧ ଧର୍ମର ପ୍ରଚାର ପାଇଁ ଯାଉଥିବା ବୌଦ୍ଧ ସନ୍ୟାସୀ ମାନେ ଓଡିଶାରୁ ବିଦେଶକୁ ଯାଉଥିଲେ । ସେଥିପାଇଁ ଓଡିଶାରେ ବୌଦ୍ଧ ଧର୍ମର ବହୁଳ ପ୍ରସାର ଘଟିଥିଲା । ଯାହାର ଐତିହାସିକ ମୁକସାକ୍ଷୀ ଭାବେ ରତ୍ନଗିରି, ଲଳିତଗିରି, ଉଦୟଗିରି ଓ ଖଣ୍ଡଗିରି ଆଦିରେ ବୌଦ୍ଧ ବିହାର, ଗୁମ୍ଫା ଓ ଭଗ୍ନାବଶେଷ ଆଜି ମଧ୍ୟ ଦେଖିବାକୁ ମିଳୁଛି ।
ସେ ପୁଣି କହିଥିଲେ ଧଉଳି ଗିରିରେ ଆଜି ଯେଉଁ ଶାନ୍ତିସ୍ତୁପ ନିର୍ମାଣ କରାଯାଇଛି ତାହା ସାରା ପୃଥିବୀକୁ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଛି । ଲୋକମାନଙ୍କ ମଧ୍ୟରେ ଶାନ୍ତିର ବାର୍ତ୍ତା ପ୍ରସାର ପାଇଁ ସମ୍ରାଟ ଅଶୋକ ଏଠାରେ ଅନେକ ଗୁଡିଏ ସ୍ତୁପ ଏବଂ ଶିଳାସ୍ତମ୍ବ ନିର୍ମାଣ କରିଥିଲେ । ଆଜିର ଏହି ଆଧୁନିକ ଶାନ୍ତିସ୍ତୁପ ଜାପାନ ବୁଦ୍ଧ ସଂଘ ଏବଂ କଳିଙ୍ଗ ନିପନ ବୁଦ୍ଧ ସଂଘ ଦ୍ୱାରା ୭୦ଦଶକରେ ନିର୍ମାଣ କରାଯାଇଥିଲା । ଦେଶ ବିଦେଶରୁ ଏଠାକୁ ଯେଉଁ ପର୍ଯ୍ୟଟକମାନେ ଆସନ୍ତି ସେମାନେ ନିଶ୍ଚୟ ଧଉଳିର ଏହି ଶାନ୍ତି ସ୍ତୁପରୁ ଅହିଂସା, ଶାନ୍ତି ଓ ଦିବ୍ୟତ୍ୱର ଅନୁଭବ ନେଇ ଫେରନ୍ତି । ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ପ୍ରସିଦ୍ଧି ଅର୍ଜନ କରିଛି । ଧଉଳି ସ୍ତୁପ ଏହି ଶାନ୍ତିପ୍ରିୟ ମନୋଭାବର ପ୍ରତୀକ । ଧଉଳି ହୁଏତ ବୌଦ୍ଧ ଧର୍ମର ଏକ କୀର୍ତ୍ତିରାଜି ହୋଇପାରେ କିନ୍ତୁ ଏହା ଓଡିଆ ଭାଷା, ସଂସ୍କୃତି ଓ ପରମ୍ପରା ସହିତ ଏପରି ଭାବେ ସମ୍ମିଳିତ ହୋଇଯାଇଛି ଯେ ରାଜ୍ୟବାସୀ ଏହାକୁ ନିଜ ସଂସ୍କୃତିର ଏକ ଅଙ୍ଗଭାବେ ମାନି ନେଇଛନ୍ତି । ଧଉଳି ଶାନ୍ତି ସ୍ତୁପର ଆହୁରି ବିକାଶ କରାଯିବ ଏବଂ ଆଖପାଖ ଅଞ୍ଚଳର ବ୍ୟାପକ ଉନ୍ନତିକରଣ କରାଯିବ । ଧଉଳି ସମେତ ଆମର ସବୁ ଐତିହ୍ୟ ସ୍ଥଳୀ ଗୁଡିକର ବିକାଶ ପାଇଁ ସମନ୍ୱିତ ଯୋଜନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଆମ ସନାତନ ଧର୍ମ ଭଳି ବୌଦ୍ଧ ଧର୍ମର ଆଧାର ହେଉଛି ଅହିଂସା ପରୋମ ଧର୍ମ । ଯେତେବଡ ସମସ୍ୟା ଆସିଲେ ମଧ୍ୟ ତା’ର ସମାଧାନ ହିଂସା ନୁହେଁ ବରଂ ତାର ସମାଧାନ ଆପୋଷ କଥାବାର୍ତ୍ତା ମାଧ୍ୟମରେ ମଧ୍ୟ ହୋଇପାରିବ । ଏହାକୁ ଆଧାର କରି ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୠଷିଆ-ୟୁକ୍ରେନ ତଥା ଇସ୍ରାଏଲ- ଆରବ ଯୁଦ୍ଧର ଶାନ୍ତି ପୂର୍ଣ୍ଣ ସମାଧାନ ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି । କଥାବାର୍ତ୍ତା ମାଧ୍ୟମରେ ଭାରତ ଓ ଚୀନ ମଧ୍ୟରେ ଥିବା ସୀମା ବିବାଦର ମଧ୍ୟ ସମାଧାନ ହୋଇପାରିଛି । ଆଜି ମୋଦୀଜୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ବନ୍ଧୁଭାବେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ବିଶିଷ୍ଟ ବୌଦ୍ଧ ସନ୍ୟାସୀ ଶ୍ରୀ ଟି ଓକଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଧଉଳି ଶାନ୍ତି ସ୍ତୁପର ଏକ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ, ଧଉଳି ଏକ ଐତିହ୍ୟ ସମ୍ପନ୍ନ ମାଟି । ଭଗବାନ ବୁଦ୍ଧଙ୍କ ବାଣୀକୁ ପ୍ରଚାର କରିବା ସହିତ ଓଡିଆ ଜାତିର ବୀରତ୍ୱର ପ୍ରତୀକ ହେଉଛି ଏହି ଧଉଳି ମାଟି । ସମ୍ରାଟ ଅଶୋକଙ୍କ ଦ୍ୱାରା ବୁଦ୍ଧଙ୍କର ଅହିଂସା ଓ ସତ୍ୟର ବାର୍ତ୍ତା ଏହି ଧଉଳି ମାଟିରୁ ପରିବ୍ୟାପ୍ତ ହୋଇଛି । ବୌଦ୍ଧଧର୍ମର ପ୍ରଚାର ପ୍ରସାରରେ ଓଡିଶାର ଯୋଗଦାନ ବିଷୟରେ ଇତିହାସରେ ଲିପିବଦ୍ଧ ହୋଇରହିଛି ବୋଲି ସେ କହିଥିଲେ । ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ କହିଥିଲେ ଯେ, କେବଳ ଓଡିଶାକୁ ନୁହେଁ ଭାରତବର୍ଷ ତଥା ସାରା ପୃଥିବୀକୁ ଶାନ୍ତିର ବାର୍ତ୍ତା ଦେଉଛି ଏହି ଧଉଳି । ଏ ମାଟି କେବଳ ଯୁଦ୍ଧ ଶିଖାଇ ନାହିଁ ଶାନ୍ତିର ବାର୍ତ୍ତା ମଧ୍ୟ ଦେଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କଳିଙ୍ଗ ନିପନ ବୁଦ୍ଧ ସଂଘର କୋର୍ଡିନେଟର ରବି ମହାରଣା ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଉପସଭାପତି ହରି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।