ବେଇମାନୀର ଶିକାର ହେଲେ ଋଷଭ? ମୁମ୍ବାଇ ଟେଷ୍ଟରେ ଅମ୍ପାୟାର ସାଜିଲେ ଭିଲେନ୍, ରାଗିଗଲେ ରୋହିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ଲିନସ୍ୱିପ ହୋଇଛି ଟିମ ଇଣ୍ଡିଆ । ଭାରତର ଦୁର୍ବଳ ବ୍ୟାଟିଂ ଲାଇନ୍ ଅପ୍ ଦଳକୁ ଏକ ଲଜ୍ଜାଜନ ପରାଜୟର ସ୍ୱାଦ ଚଖାଇଛି । ଏହି ଟେଷ୍ଟ ସିରିଜରେ ୦-୩ରେ ପରାସ୍ତ ହୋଇ କ୍ଲିନ ସ୍ୱିପର ସାମନା କରିଛି ରୋହିତ ସେନା । ତେବେ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଅନେକ ଚେଷ୍ଟା କରିଥିଲେ ଦଳକୁ ବିଜୟ ଭେଟି ଦେବା ପାଇଁ । କିନ୍ତୁ ଶେଷ ମ୍ୟାଚର ତୃତୀୟ ଦିନରେ ୬୪ ରନ କରି ସେ ଆଉଟ ହୋଇଥିଲେ । ତେବେ ଋଷଭଙ୍କ ଏହି ୱିକେଟକୁ ନେଇ ବର୍ତ୍ତମାନ ବିବାଦ ଦେଖାଦେଇଛି । ଏହାକୁ ନେଇ ଅଧିନାୟକ ରୋହିତ ମଧ୍ୟ ନିରାଶା ଜାହିର କରିଛନ୍ତି ।

ମ୍ୟାଚର ତୃତୀୟ ଦିନରେ ଋଷଭ ପନ୍ତଙ୍କ ୱିକେଟକୁ ନେଇ ବିବାଦ ଆରମ୍ଭ ହୋଇଛି । ଅନ୍ ଫିଲ୍ଡ ଅମ୍ପାୟାର ତାଙ୍କୁ ନଟ୍ ଆଉଟ୍ ଦେଇଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ଏଥିପାଇଁ ରିଭ୍ୟୁ କରିଥିଲେ । ତେବେ ଥାର୍ଡ ଅମ୍ପାୟାର ଏହାକୁ ଦେଖିବା ପରେ ଆଉଟ ବୋଲି ଘୋଷଣା କରିଥିଲେ । ଘଡ଼ିସନ୍ଧି ମୁହୂର୍ତ୍ତରେ ପନ୍ତଙ୍କ ୱିକେଟ ଭାରତ ପରାଜୟର ଆଉ ଏକ କାରଣ ପାଲଟିଛି । ଋଷଭ ପନ୍ତଙ୍କ ୱିକେଟ ବିବାଦକୁ ନେଇ ରୋହିତ ମଧ୍ୟ ନାରାଜ ଥିବା ଦେଖାଯାଇଛି । ପ୍ରେସ କନଫରେନ୍ସରେ ରୋହିତ କହିଛନ୍ତି ଯେ, ମୋତେ ଜଣାନାହିଁ, ଯଦି ଆମେ କିଛି କହୁଛୁ, ତେବେ ଏହାକୁ ଭଲ ଭାବରେ ଗ୍ରହଣ କରାଯାଉ ନାହିଁ । ଯଦି ନିଷ୍ପତ୍ତି ନିର୍ଣ୍ଣାୟକ ନ ରହେ, ତେବେ ଏହା ଅନ୍ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଗ୍ରହଣ କରାଯାଏ ।

ତେବେ ଆଜି ଋଷଭଙ୍କ କ୍ଷେତ୍ରରେ ଏହା କେମିତି ବଦଳିଗଲା, ତାହା ମୋତେ ଜଣାନାହିଁ । ବ୍ୟାଟ ସମ୍ପୂର୍ଣ୍ଣ ଭାବରେ ପ୍ୟାଡ ପାଖରେ ରହିଥିଲା । ତେବେ ଏହି ବିଷୟରେ କଥା ହେବା ଠିକ ନା ଭୁଲ ମୋତେ ଜଣାନାହିଁ, କିନ୍ତୁ ଅମ୍ପାୟାରଙ୍କ ପାଇଁ କିଛି ଚିନ୍ତା କରିବା ଉଚିତ । ପ୍ରତ୍ୟେକ ଟିମ୍ ପାଇଁ ଗୋଟିଏ ପ୍ରକାରର ନିୟମ ରହିବା ଉଚିତ୍ । ମନ ପରିବର୍ତ୍ତନ ହେବାଉଚିତ ନୁହେଁ । ଋଷଭ ଖୁବ ଭଲ ଫର୍ମରେ ଥିଲେ ଏବଂ ସେ ଭଲ ଖେଳୁଥିଲେ । ତେଣୁ ସେ ମ୍ୟାଚ ଜିତାଇପାରିବେ ବୋଲି ଆଶା ଥିବା ବେଳେ ଏହା ଆମପାଇଁ ଦୁର୍ଭାଗ୍ୟଜନକ ରହିଥିଲା ।