ନୂଆଦିଲ୍ଲୀ: ଟ୍ରାଫିକ ଚାଲାଣ ପଇଠ ହେବାକୁ ଯାଉଛି ସହଜ । ଏଣିକି ହ୍ୱାଟ୍ସ ଆପ ଜରିଆରେ ଜମାକରିହେବ ଚାଲାଣ । ପରିବହନ ବିଭାଗ ଖୁବ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । ଉଭୟ ଚାଲାଣ ନୋଟିସ ଓ ପଇଠ ଆପଣ ସାଙ୍ଗେ ସାଙ୍ଗେ ଯେଉଁଠି ବି ଥାଆନ୍ତୁ, ହ୍ୱାଟ୍ସଆପରୁ ଜାଣିବା ସହ କରିପାରିବେ । ଏହି ନିୟମ ଦିଲ୍ଲୀ ପାଇଁ ଆରମ୍ଭ ହେବ । ଦିଲ୍ଲୀ ସରକାର ତରଫରୁ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦିଆଯାଇଛି ।
ପୋଷ୍ଟ ମାଧ୍ୟମରେ ସରକାର ତରଫରୁ କୁହାଯାଇଛି କି, ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ସିଧା ହ୍ୱାଟ୍ସ ଆପରେ ଇ ଚାଲାଣ ପଠାଯିବ । ସେଥିରେ ଏକ ଲିଙ୍କ ରହିବ । ସେହି ଲିଙ୍କରେ ଫାଇନ ପଇଠ କରିହେବ । ତେବେ ଆଗରୁ ମଧ୍ୟ ହ୍ୱାଟ୍ସଆପରେ ଆର୍ଥ ଦେଣ ନେଣର ସୁବିଧା ରହିଛି । ଏବେ ଏଥିରେ ଟ୍ରାଫିକ ଚାଲାଣକୁ ଆଡ କରିଛି ଦିଲ୍ଲୀ ସରକାର । ଏହି ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ଶୁଳ୍କ ମୁକ୍ତ ରହିବ ।
ଲୋକଙ୍କ ସୁବିଧା ପାଇଁ ଏହି ପଦକ୍ଷେପ ନିଆଯାଇଛି । କାରଣ ଅନେକ ସମୟରେ ଚାଲାଣ ନୋଟିସ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଲୋକଙ୍କୁ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ହ୍ୱାଟ୍ସଆପରେ ପଠାଇଲେ ଲୋକଙ୍କୁ ମିଳିବ ଓ ସେମାନେ ଏହାର ପଇଠ ସମୟରେ କରି ଫାଇନରୁ ବର୍ତ୍ତି ପାରିବେ ।