ବଜାରଠୁ କମ୍ ଦାମରେ ବିକ୍ରି ହେଉଛି ଡାଲି-ଚାଉଳ… ଜାଣନ୍ତୁ କେଉଁଠୁ କିଣିବେ

ନୂଆଦିଲ୍ଲୀ : ପରିବାଠାରୁ ଆରମ୍ଭ କରି ରାସନ, ସବୁ ଜିନିଷର ଦାମ୍ ଏବେ ଘୋ ଘୋ ହୋଇ ବଢ଼ିବାରେ ଲାଗିଛି । ଖାଉଟିଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ମଧ୍ୟ ପାଲଟିଛି । କିନ୍ତୁ ଯଥାଶୀଘ୍ର ଏ ଚିନ୍ତା ଦୂର ହେବାକୁ ଯାଉଛି । କାରଣ ଖୁବ୍ କମ୍ ଦରରେ ମିଳିବ ଅଟା, ଚାଉଳ, ଡାଲି ଭଳି ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ଦ୍ରବ୍ୟ । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତ ବ୍ରାଣ୍ଡର ଫେଜ୍-୨ ରିଟେଲ୍ ସେଲ୍ ଲଞ୍ଚ କରାଯାଇଛି । ଏହା ଜରିଆରେ ଅଟା କିଲୋ ପିଛା ୩୦ ଟଙ୍କାରେ ଏବଂ ଚାଉଳ ୩୪ ଟଙ୍କାରେ ଖାଉଟି କିଣିପାରିବେ ।

ଚାଉଳ ଏବଂ ଅଟାର ୫ କିଲୋ ଓ ୧୦ କିଲୋ ଗ୍ରାମର ପ୍ୟାକେଟ୍ ଏନ୍ସିସିଏଫ୍, ନାଫେଡ୍ , କେନ୍ଦ୍ରୀୟ ଭଣ୍ଡାର ଏବଂ ଇ-କମର୍ସ ପ୍ଲାଟ୍ଫର୍ମରେ ମୋବାଇଲ ଭ୍ୟାନ୍ ଜରିଆରେବିକ୍ରି କରାଯିବ । ଏ ନେଇ ଫୁଡ୍ କର୍ପୋରେଶନ୍ ଅଫ୍ ଇଣ୍ଡିଆ (ଏଫ୍ସିଆଇ) ଠାରୁ କେନ୍ଦ୍ର ସରକାର ୩.୬୯ ଲକ୍ଷ ଟନ୍ ଗହମ ଓ ୨.୯୧ ଲକ୍ଷ ଟନ୍ ଚାଉଳ ଆଣିଥିବା କେନ୍ଦ୍ର ଖାଦ୍ୟମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି । ସଞ୍ଚିତ ପରିମାଣର ଅଟା ଚାଉଳ ସରିବା ପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ ଅଟା, ଚାଉଳ ଓ ଡାଲି ପୁଣି ଯୋଗାଯିବ । ସରକାରଙ୍କ ଏ ଯୋଜନା ବ୍ୟବସାୟ କୈନ୍ଦ୍ରିକ ନୁହେଁ ବରଂ ଲୋକଙ୍କୁ କମ୍ ମୂଲ୍ୟରେ ଖାଦ୍ୟ ଯୋଗାଇ ଦେବା ଲାଗି କେନ୍ଦ୍ର ପ୍ରୟାସ କରୁଥିବା ଯୋଶୀ କହିଛନ୍ତି । ୨୦୨୩ ଅକ୍ଟୋବରଠାରୁ ୨୦୨୪ ଜୁନ୍ ପର୍ଯ୍ୟନ୍ତ ଚାଲିଥିବା ପ୍ରଥମ ସୋପାନରେ ଖାଉଟିଙ୍କୁ ୧୫.୨୦ ଲକ୍ଷ ଟନ୍ ଅଟା ଓ ୧୪.୫୮ ଲକ୍ଷ ଚାଉଳ ଲୋକଙ୍କୁ ଶସ୍ତାରେ ବିକ୍ରି କରାଯାଇଥିଲା ।