କେଉଁ ଦିନ ପାଳିବେ ତୁଳସୀ ବିବାହ, ଏଥିରେ କଣ ରହିଛି ମାହାତ୍ମ୍ୟ?

ଓଡିଶା ଭାସ୍କର- କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ପଡିଥାଏ ତୁଳସୀ ବିବାହ । ଏହି ଦିନରେ ଏମିତି ଉପାୟରେ ତୁଳସୀ ବିବାହ ପାଳନ କରିବା ସହ ଏହି ଭାବେ ପୂଜା କଲେ ପରିବାରର ମଙ୍ଗଳ ହୋଇଥାଏ । ଘରୁ ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଏହା ବ୍ୟତୀତ, ବିଭିନ୍ନ ଅଧା ରହିଥିବା ଇଛାର ପୂର୍ତ୍ତି ହୁଏ ତୁଳସୀ ବିବାହ ଦ୍ୱାରା । ତେବେ କେମିତି କରିବେ ତୁଳସୀ ବିବାହ, କଣ ରହିଛି ତାର ବିଧି ବିଧାନ ଆସନ୍ତୁ ଜାଣିନେବା ।

ଚଳିତ ବର୍ଷ ତୁଳସୀ ବିବାହ ନଭେମ୍ବର ୧୨ ଓ ୧୩ ତାରିଖରେ ପଡୁଛି । ତେବେ ପଞ୍ଜିକା ମୁତାବକ ୧୨ ତାରିଖ ଅପରାହ୍ନ ୪ଟା ୪ରୁ ଏହି ତିଥି ଆପମ୍ଭ ହୋଇ ୧୩ ଅପରାହ୍ନ ୧ଟା ୧ ଯାଏଁ ରହୁଛି । ୧୨ ତାରିଖରେ ଦେବ ଉଠାଣ ଏକାଦଶୀ ରହିଛି । ସଂଧ୍ୟାରେ ତୁଳସୀ ବିବାହର ଆୟୋଜନ କରାଯାଇପାରିବ । ସଂଧ୍ୟା ୫.୨୯ ମିନିଟରେ ସୂର୍ଯ୍ୟାସ୍ତ ହେବ । ଏହା ପରେ ତୁଳସୀ ବିବାହ କାମ ଆରମ୍ଭ କରନ୍ତୁ ।

ଦେବୀ ତୁଳସୀଙ୍କ ବିବାହ ବିଷ୍ଣୁଙ୍କ ଅବତାର ଶାଳଗ୍ରାମ ସହ ହୋଇଥାଏ । ତୁଳସୀ ଚଉରା ନିକଟରେ ଭଗବାନ ଶାଳଗ୍ରାମଙ୍କୁ ସ୍ଥାପନା ପରି ବିବାହ କରାଯିବ । ତେଣୁ ୫.୨୫ ପରେ ଚଉରା ମୂଲ ଲିପାପୋଛା ସାରି ସେହି ସ୍ଥାନକୁ ସୁଦ୍ଧ କରନ୍ତୁ । ତେବେ ତୁଳସୀ ବିବାହ ଅବସରେ ଦେବୀ ତୁଳସୀଙ୍କ ପାଖରେ ଲାଗି ହେଉଥିବା ଭୋଗର ରହିଛି ବିଶେଷ ମହତ୍ୱ । ଏହି ଭୋଗ ଲଡୁ, ପେଡା ବା ଖଇ ନୁହେଁ । ଏହା ହେଉଛି ପଞ୍ଚାମୃତ । ମା ତୁଳସୀଙ୍କୁ ପଞ୍ଚାମୃତ ଲାଗି କଲେ ସେ ପ୍ରସନ୍ନ ହୋଇଥାନ୍ତି । ଏଥିପାଇଁ କ୍ଷୀର, ଦହି, ମହୁ, ଗୁଡ ଓ ଘିଅରେ ପଞ୍ଚାମୃତ ପ୍ରସ୍ତୁତ କରି ତାହାକୁ ଚଢାନ୍ତୁ ।

ଏମିତି କରିବା ଦ୍ୱାରା ମାତା ତୁଳସୀ ପ୍ରସନ୍ନ ହେବେ । ଘରେ ବିବାହ ଯୋଗ୍ୟ ପୁଅ ଓ ଝିଅଙ୍କ ବାହାଘର ପାଇଁ ଯୋଗ ଫିଟିବା ସହ ଏହି ଶୁଭ କାମ ଶୀଘ୍ର ସମ୍ପନ୍ନ ହେବ ।