ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାଇ-ଭଉଣୀଙ୍କ ସମ୍ପର୍କକୁ ଏ ଦୁନିଆର ଅନ୍ୟତମ ଶ୍ରେଷ୍ଠ ସମ୍ପର୍କ ଭାବେ ବିବେଚନା କରାଯାଇଥାଏ । ଭଉଣୀର ସୁରକ୍ଷା କରିବା ସହ ସୁଖଦୁଃଖରେ ପାଖରେ ଠିଆ ହେବା ପାଇଁ ଭଉଣୀଟିଏ ତା’ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଭାଇ-ଭଉଣୀଙ୍କ ଏହି ଅତୁଟ ବନ୍ଧନକୁ ମନେରଖିବା ପାଇଁ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଥାଏ । ବାପା-ମାଆଙ୍କ ପରେ ଭାଇ ହିଁ ଗୋଟିଏ ଭଉଣୀର ସମସ୍ତ ଦୁଃଖ ବୁଝିପାରିଥାଏ । ତେବେ ଆଜିର ସମାଜରେ ସତେ ଯେମିତି ଭାଇ-ଭଉଣୀଙ୍କର ସେହି ମହାନ୍ ସମ୍ପର୍କ ନଷ୍ଟ ହୋଇଯାଇଛି ।
ତେବେ ଆଜି ଭାଇ-ଭଉଣୀଙ୍କ ସେହି ରାକ୍ଷୀରେ ଲାଗିଛି କଳଙ୍ଗର ଦାଗ । ଗଞ୍ଜାମ ଜିଲ୍ଲାରୁ ଆସିଛି ଏପରି ଏକ ଘଟଣା । ଗୋଟିଏ ଭାଇ ନିଜେ ନ ଖାଇ, ନ ପିଇ ତା’ ଭଉଣୀ ପାଇଁ ଟଙ୍କା ସାଇତି ରଖିଥାଏ, ଲୁହ ଝରାଇ ତାକୁ ପରଘରକୁ ବିଦା କରିଥାଏ । ମାତ୍ର ଆଜି ତାହା ବୋଧହୁଏ ଆମ ସମାଜରୁ ହଜିଯାଇଛି । ପରିସ୍ଥିତି ଏପରି ହୋଇଛି ଯେ ଗୋଟିଏ ଭାଇ ଆଜି ତା’ର ନିଜ ରକ୍ତର ଭଉଣୀ ଘରୁ ଚୋରି କରିବାକୁ ପଛାଇ ନାହିଁ । ଭଉଣୀ ଘରର ଆଲମିରା ଭାଙ୍ଗି ଭାଇ ଚୋରି କରିବାକୁ ପଛାଇ ନାହିଁ । ବ୍ରହ୍ମପୁରର ଶରଧାବାଲି ପଞ୍ଚମ ଲେନରେ ଘଟିଯାଇଛି ଏଭଳି ଏକ ଲଜ୍ଜାଜନକ ଘଟଣା । ଏହି ଘଟଣାରେ ଅଭିଯୁକ୍ତ ଭାଇକୁ ପୋଲିସ ଗିରଫ କରିଛି । ଭଉଣୀ ଘରୁ ଚୋରି କରିଥିବା ସୁନା, ଗହଣାକୁ ଭାଇ ଫାଇନାନ୍ସ କମ୍ପାନୀରେ ବନ୍ଧକ ରଖିଥିଲା । ତା’ ବଦଳରେ ଭାଇ ୧ ଲକ୍ଷ ୨୫ ହଜାର ଟଙ୍କା ଆଣିଥିଲା । ବୈଦ୍ୟନାଥପୁର ପୋଲିସ ଅଭିଯୁକ୍ତ ଭାଇକୁ ଗିରଫ କରିବା ସହ ଟଙ୍କା ଓ ସୁନାଗହଣା ଜବତ କରିଛି ।