ଭିଲେନ୍ ଚରିତ୍ରରୁ କରିଲେ ଡେବ୍ୟୁ… ଗୋଟିଏ ଦିନର ଶୁଟ୍ ପାଇଁ ଚାର୍ଜ କରୁଥିଲେ ୩୫ ଲକ୍ଷ, କ୍ୟାରିୟର ପିକରେ ଷ୍ଟାରଡମରୁ ଦୂରେଇଯାଇଥିଲେ ଏହି ଅଭିନେତା
ମୁମ୍ବାଇ: ବଲିଉଡ଼ ଦୁନିଆ ବାହାରୁ ଯେତିକି ଚକାଚକ ସେତିକି ସଂଘର୍ଷମୟ । ଏଠି ଷ୍ଟାରଡମ ମେନଟେନ୍ କରିବା ଏତେ ସହଜ କଥା ନୁହେଁ । ଷ୍ଟାରଡମ ଚକ୍କରରେ ଅଧିକାଂଶ କଳାକାର ଅନ୍ଧ ହୋଇ ଭୁଲ ନିଷ୍ପତ୍ତି ନେଇଥାନ୍ତି ଓ ଏମିତି ଫିଲ୍ମ ସାଇନ୍ କରିଥାନ୍ତି ଯାହାର ଷ୍ଟୋରିଲାଇନ୍ କିଛି ଖାସ୍ ନଥାଏ । ପରବର୍ତ୍ତୀ ସମୟରେ ଏହା ଫ୍ଲପ୍ ହୋଇଥାଏ । ଏଥିମଧ୍ୟରୁ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ବହୁତ ଭାବିଚିନ୍ତି ଫିଲ୍ମ ସାଇନ୍ କରିଥାନ୍ତି । ସୋମନେ ଧୀରେ ଧୀରେ କ୍ୟାରିୟର ଶୀର୍ଷରେ ପହଂଚିଥାନ୍ତି । ସେମାନଙ୍କ ଦମଦାର ଆକ୍ଟିଂ ହିଁ ଦର୍ଶକଙ୍କ ମନ ଜିଣିପାରିଥାଏ ।
ଆଜି ଆମେ କଥା ହେବା ଏଭଳି ଜଣେ ଅଭିନେତାଙ୍କ ବିଷୟରେ ଯିଏ ଷ୍ଟାରଡମ ଶୀର୍ଷରେ ଥିବା ବେଳେ ଲାଇମଲାଇଟରୁ ଦୂରେଇଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ହେଉଛନ୍ତି ଏଭଳି ଜଣେ ଅଭିନେତା ଯିଏ କି ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କୁ କଡ଼ା ଟକ୍କର ଦେଇଥିଲେ । ଫିଲ୍ମରେ ନେଗେଟିଭ୍ ଚରିତ୍ରରୁ ଅଭିନୟ ଆରମ୍ଭ କରି ଲିଡିଂ ଷ୍ଟାର ହୋଇଯାଇଥିଲେ । ସେ ହେଉଛନ୍ତି ବନୋଦ ଖାନ୍ନା । ୧୯୪୬ ମସିହା ଅକ୍ଟୋବର ୬ରେ ବିନୋଦ ଖାନ୍ନା ପେଶାୱର(ବର୍ତ୍ତମାନ ପାକିସ୍ତାନ)ରେ ଜନ୍ମଗ୍ରହଣ କରିଥିଲେ । ସେଣ୍ଟ ମେରୀ ସ୍କୁଲରୁ ସେ ୨ୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ଏହା ପରେ ସେମାନେ ଦିଲ୍ଲୀ ସିଫ୍ଟ ହୋଇଗଲେ । ସେଠାରେ ସେ ଦିଲ୍ଲୀ ପବ୍ଲିକ ସ୍କୁଲରୁ ପାଠପଢ଼ା ଶେଷ କରି ମୁମ୍ବାଇର ସୈଦେନହାମ୍ କଲେଜରୁ ସ୍ନାତକ କରିଥିଲେ । ସେ କ୍ରିକେଟ ଖେଳିବାର ମଧ୍ୟ ସଉକୀନ ଥିଲେ । ୧୯୬୮ରେ ଅଧୁର୍ତି ସୁବରାଓଙ୍କ ନିର୍ଦ୍ଦେଶିତ ଏବଂ ସୁନୀଲ ଦତ୍ତଙ୍କ ପ୍ରଯୋଜିତ ‘ମନ୍ କା ମୀତ୍’ଫିଲ୍ମରୁ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ଖଳନାୟକ ଭୂମିକାରେ ନଜର ଆସିଥିଲେ । ଏହା ପରେ ସେ ‘ପୂରବ ଔର ପଶ୍ଚିମ’, ‘ସଚ୍ଚା ଝୁଠା’, ‘ମେରା ଗାଓଁ ମେରା ଦେଶ’, ‘ମସ୍ତାନା’ ଭଳି ଫିଲ୍ମରେ ନେଗେଟିଭ୍ ଚରିତ୍ରରେ ନଜର ଆସିଥିଲେ । ଏହା ପରେ ୧୯୭୧ରେ ‘ହମ୍ ତୁମ୍ ଔର ୱୋ’ରେ ବିନୋଦ ଲିଡ୍ ରୋଲରେ ନଜର ଆସିଥିଲେ । ଏହା ପରେ ସେ ତାଙ୍କ ଅଭିନୟ ଯାଦୁ ଚଲାଇଲେ ଓ ଅନେକ ସୁପରହିଟ୍ ଫିଲ୍ମ ଦେଇଥିଲେ ।
ଲାଇମଲାଇଟରୁ ଦୂରେଇ ଯାଇଥିଲେ ବିନୋଦ ଖାନ୍ନା
୧୯୮୨ରେ ବିନୋଦ ଖାନ୍ନା ତାଙ୍କ କ୍ୟାରିୟରରେ ଶୀର୍ଷରେ ଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇଯାଇଥିଲେ । ସେ ଆଧ୍ୟାତ୍ମିକ ମାର୍ଗରେ ଯାଇ ସନ୍ୟାସୀ ହୋଇଯାଇଥିଲେ । ସେ ୧୯୮୭ରେ ପୁଣି ଥରେ ‘ଇନସାଫ୍’ ଫିଲ୍ମ ମାଧ୍ୟମରେ ଇଣ୍ଡଷ୍ଟ୍ରିକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ସେ ‘ଜୁର୍ମ’, ‘ଚାନ୍ଦନୀ’ ଭଳି ଅନେକ ଫିଲ୍ମରେ ରୋମାଣ୍ଟିକ ଭୂମିକାରେ ନଜର ଆସିଥିଲେ । ଏକ ସାକ୍ଷାତକାରରେ ବିନେଦ ଖାନ୍ନା କହିଥିଲେ କି ସେ ନିଜ ଉପରେ ଫୋକସ୍ କରିବା ଏବଂ ଗୁରୁଙ୍କ ଶରଣରେ କିଛି ବର୍ଷ ସମୟ ବିତାଇବା ପାଇଁ ଲାଇମଲାଇଟରୁ ଦୂରେଇଯାଇଥିଲେ । ଅଭିନେତା- ନିର୍ଦ୍ଦେଶକ ଅନନ୍ତ ମହାଦେବନଙ୍କ କହିବାନୁଯାୟୀ ଗୋଟିଏ ଦିନର ଶୁଟ୍ ହେଉ କିମ୍ବା ୨୦ ଦିନର ସିଡ୍ୟୁଲ, ବିନୋଦ ଏଥିପାଇଁ ୩୫ ଲକ୍ଷ ଟଙ୍କା ଫିକ୍ସ ଚାର୍ଜ କରୁଥିଲେ । ବିନୋଦ ଖାନ୍ନାଙ୍କ ‘ଇନସାଫ୍’ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଥିଲା । ଆଡଭାନ୍ସ ଟିକେଟ ବୁକିଂ ପାଇଁ ଲୋକଙ୍କ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । କିନ୍ତୁ ବକ୍ସ ଅଫିସରେ ଏହି ଫିଲ୍ମ ଏତେଟା କମାଲ କରିପାରିନଥିଲା । ସେ ଜଣେ ଖୁସ୍ମିଜାଜି ଓ ଭଲ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ।
୧୯୯୭ରେ ବିନୋଦ ଖାନ୍ନା ବିଜେପିରେ ସାମିଲ ହୋଇଥିଲେ । ୧୯୯୮ରେ ସେ ଗୁରୁଦାସପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହା ପରେ ୧୯୯୯ରେ ସେହି ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ସାଂସ୍କୃତିକ ଓ ପର୍ଯ୍ୟଟନ ମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ୨୦୧୭ ଏପ୍ରିଲ ୧୭ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ । ୨୦୧୮ରେ ବିନୋଦଙ୍କୁ ମରଣୋତ୍ତର ଭାରତୀୟ ସିନେମାର ସର୍ବେଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିିଲା ।