ଏଭଳି ବ୍ୟକ୍ତିଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ ନିଜ ଦୁଃଖ, ଅନ୍ୟ ସାମ୍ନାରେ ହୋଇପାରନ୍ତି ଉପହାସର ପାତ୍ର

ଓଡ଼ିଶା ଭାସ୍କର: କଥାରେ ଅଛି ସୁଖ ବାଣ୍ଟିଲେ ବଢ଼ିଥାଏ ଓ ଦୁଃଖ ବାଣ୍ଟିଲେ ମନ ହାଲୁକା ହୋଇଥାଏ । ପ୍ରାୟ ସମସ୍ତେ ଜୀବନରେ କିଛି ନା କିଛି ସମସ୍ୟା ଦେଇ ଗତି କରୁଥାନ୍ତି । ଏଭଳି ସ୍ଥିତିରେ ସେମାନଙ୍କ ମାନସିକ ସ୍ଥିତି ଠିକ୍ ନଥାଏ । ସେମାନେ ନିଜ ଦୁଃଖ ପ୍ରକାଶ କରିବା ପାଇଁ ସାଥିଟିଏ ଖୋଜିଥାନ୍ତି । କିନ୍ତୁ ଆଜିକାଲିର ସ୍ୱାର୍ଥପର ଦୁନିଆରେ କାହା ଉପରେ ବିଶ୍ୱାସ କରିବା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ସହ ନିଜ ଦୁଃଖ ବାଣ୍ଟିବା ଉଚିତ ନୁହେଁ । ଏଭଳି ବ୍ୟକ୍ତି ଆପଣଙ୍କ ସମସ୍ୟା ଲାଘବ କରିବା ପରିବର୍ତ୍ତେ ଆହୁରି ବୃଦ୍ଧି କରିଥାନ୍ତି । ତେଣୁ ଏଭଳି ବ୍ୟକ୍ତିଙ୍କ ସାମ୍ନାରେ ନିଜ ଦୁଃଖକୁ ଗୋପନ ରଖିବା ଉଚିତ ।

୧. ସମସ୍ତଙ୍କୁ ସହ ବନ୍ଧୁତା କରୁଥିବା ବ୍ୟକ୍ତି: ଆଜିର ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା କୌଣସି ବିପଦ ଠାରୁ କମ୍ ନୁହେଁ । ଏମାନେ କେବଳ ଉପର ଠାଉରିଆ ଭାବେ ସମସ୍ତଙ୍କ ସହ ମିଶିଥାନ୍ତି । କାହା ସହ ଆନ୍ତରିକତାର ଭାବନା ନଥାଏ । ଏମାନଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ । ସୀମିତ ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତୁ ।

୨. ପ୍ରତ୍ୟେକ କଥାରେ ମଜାକ୍ କରୁଥିବା ବ୍ୟକ୍ତି: ପ୍ରତି କଥାରେ ମଜାକ୍ କରୁଥିବା ବ୍ୟକ୍ତିଙ୍କ ସାମ୍ନାରେ ସୁଖ ଦୁଃଖ ହେବା ବ୍ୟର୍ଥ ଅଟେ । ଆପଣଙ୍କ ଦୁଃଖକୁ ଅନ୍ୟ ସାମ୍ନାରେ ପରିହାସର ବିଷୟ ଭାବେ ଉପସ୍ଥାପନ କରିପାରନ୍ତି । ଯେଉଁ ବ୍ୟକ୍ତି ଜୀବନକୁ କେବେ ଗମ୍ଭୀରତାର ସହ ନେଇନଥାଏ ସିଏ ଆପଣଙ୍କୁ ଦୁଃଖ କ’ଣ ବୁଝିବ ।

୩. ସ୍ୱାର୍ଥୀ ବ୍ୟକ୍ତି: ସ୍ୱାର୍ଥୀ ଏବଂ ମତଲବି ବ୍ୟକ୍ତି ସବୁକଥାରେ କେବଳ ନିଜ ଫାଇଦା ଦେଖିଥାନ୍ତି । ଏଥିପାଇଁ ସେମାନେ ଅନ୍ୟକୁ କ୍ଷତି ପହଂଚାଇବା ପାଇଁ କୁଣ୍ଠାବୋଧ କରନ୍ତି ନାହିଁ । ଏଭଳି ବ୍ୟକ୍ତି ଆପଣଙ୍କୁ ଦୁଃଖକୁ ବୁଝିବା ପାଇଁ ଅସମର୍ଥ ।

୪. ଇର୍ଷ୍ୟାଳୁ ବ୍ୟକ୍ତି: ଇର୍ଷ୍ୟା ଭାବ ରଖୁଥିବା ବ୍ୟକ୍ତିଙ୍କ ସହ ଯେତିକି କମ୍ କଥାବାର୍ତ୍ତା ହେବେ ସେତିକି ଭଲ । ଏମାନେ ପରିସ୍ଥିତି ଦେଖି ନିଜ ସ୍ୱଭାବ ବଦଳାଇଥାନ୍ତି । ସମାଜ ସାମ୍ନାରେ ଆପଣଙ୍କ ଦୁଃଖର ପରିହାସ କରିବାକୁ ବି ପଛାଇବେ ନାହିଁ ।

୫. କିଛି ନ ଭାବି କଥା କହୁଥିବା ବ୍ୟକ୍ତି: ଅଧିକାଂଶ ସମୟରେ କିଛି ବ୍ୟକ୍ତି ସ୍ଥାନ, କାଳ ଓ ପାତ୍ର ବିଷୟରେ ନ ଭାବି କଥା କହିଥାନ୍ତି । ଏହି କୁଅଭ୍ୟାସ ପାଇଁ ସେମାନେ ପରବର୍ତ୍ତୀ ମୁହୂର୍ତ୍ତରେ ପସ୍ତାଇବାକୁ ପଡ଼ିଥାଏ । ଏଭଳି ବ୍ୟକ୍ତିଙ୍କ ସହ ନିଜ ସମସ୍ୟା ବିଷୟରେ ଆଲୋଚନା କରିବା ମୁର୍ଖତା ଅଟେ । ଏମାନେ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ଗୋପନ କଥା ଅନ୍ୟ ସାମ୍ନାରେ ପ୍ରକାଶ କରିପାରନ୍ତି ।