ଦିଲ୍ଲୀ ପ୍ରଦୂଷଣ; ବଦଳିଲା ସରକାରୀ କାର୍ଯ୍ୟାଳୟ ସମୟ, ସ୍କୁଲରେ ହେବ ଅନଲାଇନ୍ କ୍ଲାସ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ିଲା ପ୍ରଦୂଷଣର ସ୍ତର, ଏହି କାରଣକୁ ଦୃଷ୍ଟିରେ ରଖି ଏଣିକି ବିଦ୍ୟାଳୟଗୁଡ଼ିକରେ ହେବ ଅନଲାଇନ୍ କ୍ଲାସ । ଏପରିକି ସରକାରୀ କାର୍ଯ୍ୟାଳୟର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି ଏହି ସୂଚନା ଦେଇଛନ୍ତି । ଦିଲ୍ଲୀରେ ଟ୍ରାଫିକ୍ ଏବଂ ପ୍ରଦୂଷଣ ହ୍ରାସ କରିବା ପାଇଁ ଦିଲ୍ଲୀର ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବିଭିନ୍ନ ସମୟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏବେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ କାର୍ଯ୍ୟାଳୟ ସକାଳ ସାଢ଼େ ୮ଟାରୁ ଅପରାହ୍ନ ୫ଟା, କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଏବଂ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହା ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ ଯୋଗୁଁ ଗୁରୁବାର ଦିନ ଘୋଷଣା କରାଯାଇଥିଲା ଯେ ପ୍ରାଥମିକ ବିଦ୍ୟାଳୟ କ୍ଲାସ ଅନଲାଇନରେ କରାଯିବ ।

ଅନ୍ୟପକ୍ଷରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୩ଟି କଟକଣା ସହ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି) ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ଶୁକ୍ରବାର ସକାଳ ୮ଟାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିଛି ।