ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ନାମ ନ ନେଇ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଭାରତ ବର୍ତ୍ତମାନ ପରିବର୍ତ୍ତନ ହୋଇସାରିଛି । ଆତଙ୍କବାଦୀମାନେ ବର୍ତ୍ତମାନ ନିଜ ଘରେ ମଧ୍ୟ ସୁରକ୍ଷିତ ଭାବେ ରହିପାରୁନାହାନ୍ତି । ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ ସମ୍ମିଳନୀରେ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ, ବିକାଶ ଏବଂ ନିଜ ସରକାରର ନୀତିଗୁଡିକ ଉପରେ ଆଲୋଚନା କରିଛନ୍ତି । ନିଜ ଉଦଘାଟନୀ ଭାଷଣରେ ସେ କହିଛନ୍ତି ଯେ, ଆତଙ୍କବାଦୀ ନିଜ ଘରେ ବି ସୁରକ୍ଷିତ ନାହାନ୍ତି, ଏହା ଭାରତର ସୁରକ୍ଷାରେ ଆସିଥିବା ଦୃଢତାର ପ୍ରତୀକ ।
ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇର ୨୬/୧୧ ଆତଙ୍କବାଦୀ ଆକ୍ରମଣ ରିପୋର୍ଟ ଉଲ୍ଲେଖ କରି କହିଛନ୍ତି ଯେ, ଆଜି ମୁଁ ଏକ ପ୍ରଦର୍ଶନୀରେ ୨୬/୧୧ର ଆକ୍ରମଣ ସହ ଜଡିତ ରିପୋର୍ଟ ଦେଖିଲି । ସେହି ସମୟର ଆତଙ୍କବାଦ ଭାରତବାସୀଙ୍କ ପାଇଁ ଏକ ବଡ଼ ବିପଦ ଥିଲା ଏବଂ ଲୋକେ ନିଜକୁ ଅସୁରକ୍ଷିତ ଅନୁଭବ କରୁଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ବଦଳିସାରିଛି, ବର୍ତ୍ତମାନ ଆତଙ୍କବାଦୀମାନେ ନିଜ ଘରେ ବି ସୁରକ୍ଷିତ ଅନୁଭବ କରୁନାହାନ୍ତି ।
ପ୍ରଧାନମନ୍ତ୍ରୀ ନିଜ ସରକାରର ନୀତିଗୁଡିକୁ ସ୍ପଷ୍ଟ କରି କହିଛନ୍ତି ଯେ, ତାଙ୍କ ସରକାର ସର୍ବଦା ବିକାଶକୁ ପ୍ରଥମିକତା ଦେଇଛି ଏବଂ ଭୋଟ-ବ୍ୟାଙ୍କ ରାଜନୀତିଠାରୁ ଦୂରରେ ଅଛି । ଆମ ସରକାରର ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି, ଲୋକଙ୍କ ପାଇଁ ଲୋକଙ୍କ ଦ୍ୱାରା ବିକାଶ । ଆମେ କେବଳ ଜନହିତ ଦିଗରେ କାମ କରୁଛୁ ।