ମିଥ୍ୟା ଖବରର ମୁକାବିଲା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଡିଜିଟାଲ ମିଡିଆର ଉତ୍ତରଦାୟିତ୍ୱ ନେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ଜାତୀୟ ପ୍ରେସ୍ ଦିବସ ୨୦୨୪ ଅବସରରେ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହିତ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ. ମୁରୁଗନ୍, ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ଏବଂ ବରିଷ୍ଠ ସାମ୍ବାଦିକ କୁନ୍ଦର ରମଣଲାଲ ବ୍ୟାସ ଉପସ୍ଥିତ ଥିଲେ ।

ଶ୍ରୀ ବୈଷ୍ଣବ ଭର୍ଚୁଆଲ ମାଧ୍ୟମରେ ଜାତୀୟ ପ୍ରେସ୍ ଦିବସ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତର ଜୀବନ୍ତ ଓ ବିବିଧି ଗଣମାଧ୍ୟମ ଇକୋସିଷ୍ଟମ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ୩୫ ହଜାର ପଞ୍ଜିକୃତ ଖବରକାଗଜ, ଅନେକ ନ୍ୟୁଜ୍ ଚ୍ୟାନେଲ ଓ ଏକ ସୁଦୃଢ଼ ଡିଜିଟାଲ ଭିତ୍ତିଭୂମି ଅନ୍ତର୍ଭୁକ୍ତ । ୪ଜି ଓ ୫ଜି ନେଟୱାର୍କ ପୁଞ୍ଜିନିବେଶ ଭାରତକୁ ବିଶ୍ୱସ୍ତରରେ ସର୍ବନିମ୍ନ ଡାଟା ମୂଲ୍ୟ ସହିତ ଡିଜିଟାଲ ସଂଯୋଗ କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ପହଞ୍ଚାଇଛି ବୋଲି ସେ କହିଥିଲେ । ଏଥିସହିତ ଗଣମାଧ୍ୟମ ଓ ପ୍ରେସର ପରିବର୍ତ୍ତିତ ଦୃଶ୍ୟପଟ୍ଟ ଯୋଗୁଁ ଆମ ସମାଜ ସମ୍ମୁଖୀନ ହେଉଥିବା ୪ଟି ପ୍ରମୁଖ ଆହ୍ୱାନ ବିଷୟରେ ସେ ଉଲ୍ଲେଖ କରିଥିଲେ ।

୧. ମିଥ୍ୟା ଖବର ଓ ଭୁଲ ସୂଚନା

ମିଥ୍ୟା ଖବର ପ୍ରସାର ଗଣମାଧ୍ୟମ ଉପରେ ବିଶ୍ୱାସକୁ କ୍ଷୂର୍ଣ୍ଣ କରିବା ସହ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରୁଛି । ନିଜ ଅଭିଭାଷଣରେ ଶ୍ରୀ ବୈଷ୍ଣବ ଡିଜିଟାଲ ମିଡିଆର ଦ୍ରୁତ ଅଭିବୃଦ୍ଧି ଓ ପ୍ଲାଫର୍ମରେ ପ୍ରକାଶିତ ବିଷୟବସ୍ତୁର ଦାୟିତ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ । ୧୯୯୦ ଦଶକରେ ବିକଶିତ ହୋଇଥିବା ସେଫ୍ ହାର୍ବରର ଧାରଣା, ଯେତେବେଳେ ଡିଜିଟାଲ ମିଡିଆର ଉପଲବ୍ଧତା ବିଶ୍ୱବିଦ୍ୟାଳୟ ଓ ଗବେଷଣା ଅନୁଷ୍ଠାନର ମନୋନୀତ ଉପଭୋକ୍ତାମାନଙ୍କ ମଧ୍ୟରେ ସୀମିତ ଥିଲା, ପ୍ଲାଟଫର୍ମଗୁଡ଼ିକୁ ଉପଭୋକ୍ତା-ଉତ୍ପାଦିତ ବିଷୟବସ୍ତୁ ପାଇଁ ଉତ୍ତରଦାୟୀ ହେବାରୁ ମୁକ୍ତି ପ୍ରଦାନ କରିଥିଲା ।

୨. ବିଷୟବସ୍ତୁ ନିର୍ମାତାମାନଙ୍କ ପାଇଁ ଉଚିତ କ୍ଷତିପୂରଣ

ପାରମ୍ପରିକରୁ ଡିଜିଟାଲ ମିଡିଆକୁ ପରିବର୍ତ୍ତନ ପାରମ୍ପରିକ ଗଣମାଧ୍ୟମକୁ ଆର୍ଥିକ ଭାବରେ ପ୍ରଭାବିତ କରିଛି, ଯାହା ସାମ୍ବାଦିକତା ଅଖଣ୍ଡତା ଓ ସମ୍ପାଦକୀୟ ପ୍ରକ୍ରିୟାରେ ବ୍ୟାପକ ବିନିଯୋଗ କରେ । ଡିଜିଟାଲ ପ୍ଲାଟଫର୍ମ ଓ ପାରମ୍ପରିକ ଗଣମାଧ୍ୟମ ମଧ୍ୟରେ ମୂଲଚାଲ କ୍ଷମତାରେ ଥିବା ଅସମାନତାକୁ ଦୂର କରି ପାରମ୍ପରିକ ବିଷୟବସସ୍ତୁ ନିର୍ମାତାମାନଙ୍କ ପାଇଁ ଉଚିତ କ୍ଷତିପୂରଣର ଆବଶ୍ୟକତା ଉପରେ ଶ୍ରୀ ବୈଷ୍ଣବ ଆଲୋକପାତ କରିଥିଲେ । ଏଥିସହିତ ସେ ଆଲଗୋରିଦିମିକ ପକ୍ଷପାତିତା ଓ ବୌଦ୍ଧିକ ସମ୍ପତ୍ତି ଅଧିକାର ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବ ଉପରେ ସେ ମତାମତ ରଖିଥିଲେ । ସେହିପରି ସାମ୍ବାଦିକତାର ଅଖଣ୍ଡତା ବଜାୟ ରଖିବାରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ଭୂମିକା ଉପରେ ଜଷ୍ଟିସ ରଞ୍ଜନା ଦେଶାଇ ତାଙ୍କ ଅଭିଭାଷଣରେ ଆଲୋକପାତ କରିଥିଲେ ।